33.1 C
Bhubaneswar
Thursday, April 25, 2024
Homeଓଡିଶାବିଜୁ ବାବୁଙ୍କ ମୂର୍ତ୍ତିର ମୁଣ୍ଡକାଟ ନେଇ ରାଜନଗରରେ ଉତେଜନା

ବିଜୁ ବାବୁଙ୍କ ମୂର୍ତ୍ତିର ମୁଣ୍ଡକାଟ ନେଇ ରାଜନଗରରେ ଉତେଜନା

ରାଜନଗର : ୧୯୭୧ ମସିହାର ରାଜନଗର ବିଧାୟକ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ମୁଣ୍ଡକାଟ କରିଛି । ଏହାକୁ ନେଇ ବିଜୁପ୍ରେମୀଙ୍କ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ବିଜୁ ପ୍ରେମୀମାନେ ପ୍ରତିବାଦରେ ରାଜନଗର ଗୋପାଳପୁର ରାସ୍ତାର ତ୍ରିନାଥ ବଜାର ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ତୁରନ୍ତ ବିଜୁ ବାବୁଙ୍କ ମୁଣ୍ଡ କାଟରେ ସଂପୃକ୍ତି ଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଗର୍ଜନପୁର ରାସ୍ତାର ତ୍ରିନାଥ ବଜାର ନିକଟସ୍ଥ ହଂସୁଆ ନଦୀ କୂଳରେ ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟ ରହିଛି । ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେପି ନେତା ଅଲେଖ କୁମାର ଜେନା ୨୦୧୭ ମସିହାରେ ଏହି ସ୍ମୃତି ସଂସଦରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ସରକାରୀ ଜମି ଜବରଦଖଲ କରାଯାଇ ଏହି ସ୍ମୃତି ସଂସଦ ନିର୍ମାଣ ହୋଇଥିଲା । ସ୍ମୃତି ସଂସଦ କାର୍ଯ୍ୟାଳୟ ନାଁରେ ପ୍ରଥମେ ବିଜେଡି କାର୍ଯ୍ୟାଳୟ ଚାଲୁଥିଲା । ପରବର୍ତ୍ତୀ ଅବସ୍ଥାରେ ପୂର୍ବତନ ବିଧାୟକ ଶ୍ରୀ ଜେନା ବିଜେପିରେ ମିଶିବା ପରେ ବିଜୁ ସ୍ମୃତି ସଂସଦରେ ବିଜେପି କାର୍ଯ୍ୟାଳୟ ଚାଲିଥିଲା । ବିଜେପି ପତାକା ମରାଯାଇ ଓ ଶ୍ରୀ ଜେନାଙ୍କ ଫଟୋ ମରାଯାଇ ଏହି କାର୍ଯ୍ୟାଳୟ ଚାଲିଥିଲା । ଚଳିତବର୍ଷ ଜୁନ୍ ୧୯ ତାରିଖରେ ବିଜୁ ସ୍ମୃତି ସଂସଦ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରି ଦିଆଯାଇଥିଲା । ଏହାକୁ ନେଇ ସେତେବେଳେ ରାଜନଗର ଥାନାରେ ୩ଟି ଅଭିଯୋଗ ହୋଇଥିଲା । ରାଜନଗର ବନ୍ଦ ହୋଇଥିଲା । ସବୁ ମହଲରେ ପ୍ରତିକ୍ରିୟା ବଢିବା ପରେ ରାଜନଗର ତହସିଲଦାର ସେଠାରେ ପହଞ୍ଚି ବିଜୁବାବୁଙ୍କ ମୂର୍ତ୍ତି ଥିବା ସ୍ଥାନରେ ନାଲି ପତାକା ମାରିବା ସହ ଏହା ସରକାରଙ୍କ ସମ୍ପତି ବୋଲି ହୋର୍ଡିଂ କରିଥିଲେ । ଆଜି ଅପରାହ୍ନରେ କେହି ଦୁର୍ବୃତ୍ତ ପୁନର୍ବାର ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରିଦେଇଛି । ଏହି ଖବର ଜଣାପଡିବା ପରେ ରାଜନଗରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୁବନେତା ନରହରି ଜେନା, ବାଇଧର ସେଠୀ, ବିଜ୍ଞାନ ରଂଜନ ଜେନା, ଚିତ୍ତ ରଂଜନ ଦାସ, ଗଂଗାଧର ସେଠୀ, କ୍ଷୀରୋଦ କୁମାର ରାଉତ, ବୀର କିଶୋର ମହାନ୍ତି, ଦିବାକର ସେଠୀ, ସରୋଜ କୁମାର ନାଥ, ବାପିନା ମଳିକ, ରଘୁନାଥ ସେଠୀ, ମହେଶ୍ୱର ସେଠୀ, ସର୍ବେଶ୍ୱର ମଳିକ, ସୁରେନ୍ଦ୍ର ପ୍ରସାଦ ଘଡାଇ ପ୍ରମୁଖ ବିଜୁ ପ୍ରେମୀ ତ୍ରିନାଥ ବଜାର ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ପ୍ରବାଦପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଅଲଗା କରିଥିବା ଦୁର୍ବୃତ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking