30.1 C
Bhubaneswar
Monday, May 20, 2024
Homeଓଡିଶାପାଠ ପଢ଼ିନଥିବାରୁ ପଦ ହରାଇଲେ ସରପଞ୍ଚ

ପାଠ ପଢ଼ିନଥିବାରୁ ପଦ ହରାଇଲେ ସରପଞ୍ଚ

ଧାମନଗର:ଧାମନଗର ବ୍ଲକ୍ ବୟାଙ୍ଗଡ଼ିହି ସରପଞ୍ଚ କୁନ୍ତଳା ମଲ୍ଲିକଙ୍କୁ ଭଦ୍ରକ ଜିଲ୍ଲାଜଜ୍ ଅଯୋଗ୍ୟ ଘୋଷଣା କରିଛନ୍ତି । ତଳକୋର୍ଟ ବା ଧାମନଗର ଦେୱାନୀ ଅଦାଲତଙ୍କ ରାୟ ବିରୋଧରେ କୁନ୍ତଳା କରିଥିବା ଆବେଦନକୁ ଭଦ୍ରକ କୋର୍ଟ ଖାରଜ କରିଛନ୍ତି । କୁନ୍ତଳାଙ୍କ ଆପତ୍ତି ଆଧାରହୀନ ହୋଇଥିବାରୁ ତାଙ୍କ ବିରୋଧରେ ଧାମନଗର ଦେୱାନୀ ଅଦାଲତ ଦେଇଥିବା ରାୟକୁ ଖାରଜ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଫଳରେ ଗତବର୍ଷ ଅଗଷ୍ଟ ୩୧ରେ ତଳ କୋର୍ଟ ଦେଇଥିବା ରାୟ ବଳବତ୍ତର ରଖି କୁନ୍ତଳାଙ୍କୁ ସରପଞ୍ଚ ପଦରୁ ଅଯୋଗ୍ୟ ଘୋଷିତ କରଯାଇଛି ।

୨୦୨୨ ପଞ୍ଚାୟତ ନିର୍ବାଚନରେ ବୟାଙ୍ଗଡ଼ିହି ପଞ୍ଚାୟତରେ କୁନ୍ତଳା ମଲ୍ଲିକ ଓ ଭାରତୀ ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । କୁନ୍ତଳା ୨,୨୮୧ ଖଣ୍ଡ ଭୋଟ ପାଇଥିବାବେଳେ ଭାରତୀ ୧୯୧୨ ଖଣ୍ଡ ଭୋଟ ପାଇଥିଲେ । ତେବେ ନାମାଙ୍କନ ଦାଖଲ ପରଠୁୁ କୁନ୍ତଳା ଜଣେ ଅଶିକ୍ଷିତ ମହିଳା ଏବଂ ସେ ଓଡ଼ିଆ ଭାଷା ଲେଖି ପଢ଼ି ଜାଣିନାହାନ୍ତି ବୋଲି ଭାରତୀ ଅଭିଯୋଗ କରିଥିଲେ । କିନ୍ତୁ କୁନ୍ତଳା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ନିର୍ବାଚନ ସରିବା ପରେ ବିରୋଧୀ ଭାରତୀ ଏନେଇ ଧାମନଗର ଦେୱାନୀ ଅଦାଲତରେ ନିର୍ବାଚନୀ ମାମଲା କରିଥିଲେ ।

ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଅନୁସାରେ ଓଡ଼ିଆ ଲେଖି ପଢ଼ି ପାରୁନଥିଲେ ଜଣେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ । ଏଣୁ ଏହାକୁ ନେଇ ପ୍ରତିପକ୍ଷ ଭାରତୀ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ । ଏପରିକି ନିଜର ଶିକ୍ଷାଗତ ଯୋଗ୍ୟତା ନେଇ କୁନ୍ତଳା ଭୁଲ୍ ସତ୍ୟପାଠ ଦାଖଲ କରିଛନ୍ତି ବୋଲି ଭାରତୀ ନିଜ ଆବେଦନରେ ଦର୍ଶାଇଥିଲେ । ଅନ୍ୟପଟେ ଅଯୋଗ୍ୟ ଘୋଷଣା ହେବାରୁ ବର୍ତ୍ତିବା ଲାଗି କୁନ୍ତଳା କେନ୍ଦୁଝର ଜିଲ୍ଲା ଘସିପୁରାର ବନଦୁର୍ଗା ସଂସ୍କୃତ ଟୋଲରୁ ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ନେଇ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏସମ୍ପର୍କରେ ପ୍ରତିପକ୍ଷ ଘସିପୁରା ବିଇଓଙ୍କଠାରୁ ତଥ୍ୟ ମାଗିବା ପରେ ଘସିପୁରା ଅଞ୍ଚଳରେ ସେମିତି କୌଣସି ସଂସ୍କୃତ ଟୋଲ ବା ଶିକ୍ଷାନୁଷ୍ଠାନ ନାହିଁ ବୋଲି ଜଣାପଡ଼ିଥିଲା ।

ଏଭଳି ପ୍ରମାଣ ମିଳିବା ପରେ ଧାମନଗର କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଧାମନଗର କୋର୍ଟଙ୍କ ରାୟ ବିରୋଧରେ ଉପର କୋର୍ଟକୁ ଯାଇ ସ୍ଥଗିତାଦେଶ ଆଣିବାରେ ସକ୍ଷମ ହୋଇଥିଲେ । ତେବେ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଧାମନଗର କୋର୍ଟ ଦେଇଥିବା ରାୟକୁ ଭଦ୍ରକ କୋର୍ଟ ବଳବତ୍ତର ରଖିଛନ୍ତି । ଏନେଇ ସରପଞ୍ଚ କୁନ୍ତଳାଙ୍କୁ  ଯୋଗାଯୋଗ କରିବାରୁ ମୁଁ ସେପରି ସୂଚନା ପାଇନାହିଁ । ତେବେ ରାୟ ବିରୋଧରେ ମୁଁ ଉପର କୋର୍ଟକୁ ଯିବି ବୋଲି ସରପଞ୍ଚ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking