21.1 C
Bhubaneswar
Thursday, January 23, 2025
Homeଓଡିଶାପାଞ୍ଚ ବର୍ଷ ହେଲା ବିଛଣାରେ ବିତୁଛି ଦେବରାଜଙ୍କ ଜୀବନ

ପାଞ୍ଚ ବର୍ଷ ହେଲା ବିଛଣାରେ ବିତୁଛି ଦେବରାଜଙ୍କ ଜୀବନ

ଜଗନ୍ନାଥପ୍ରସାଦ: ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହୋଇଛି । କିନ୍ତୁ ସରକାରୀ ଯୋଜନାର ସୁଫଳ ନ ପାଇ ରୋଗଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜଗନ୍ନାଥପ୍ରସାଦ ବ୍ଲକର ଛାମୁଣ୍ଡା ପଞ୍ଚାୟତ ପାଟଣାସାହି ବାସିନ୍ଦା ଦେବରାଜ ସାହୁ(୫୨) ।  ଦେବରାଜ ୧୦ବର୍ଷ ହେବ ସୁରତର ଏକ ସୁତାକଳରେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲେ । ପରିବାରର ମୁଖିଆ ଦେବରାଜ ଯାହା ରୋଜଗାର କରୁଥିଲେ ସେହି ଅର୍ଥରେ ତାଙ୍କ ପରିବାର ଚଳୁଥିଲା । ଗତ ୫ ବର୍ଷ ପୂର୍ବେ ସୁରତରେ ଅଚାନକ ସେ ଶ୍ୱାସରୋଗରେ ପୀଡ଼ିତ ହେବା ସହ ହାତଗୋଡ ଥରିବାରୁ ଦୁର୍ବଳ ହୋଇପଡିଥିଲେ ।

ଚିକିତ୍ସା ପାଇଁ ନିଜ ଗ୍ରାମ ଛାମୁଣ୍ଡାକୁ ଫେରି ଆସିଥିଲେ । କିଛି ଦିନ ପରେ ସେ ଉନ୍ନତ ମାନର ଚିକିତ୍ସା ପାଇଁ ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଦୀର୍ଘ ଏକ ବର୍ଷର ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଯାହା କିଛି ଅର୍ଥ ଥିଲା ସେଥିରେ ଚିକିତ୍ସା ହୋଇ ରୋଗ ଭଲ ନ ହେବାରୁ ଗ୍ରାମକୁ ଫେରି ଆସିଥିଲେ ଦେବରାଜ । ଦୀର୍ଘବର୍ଷ ଧରି ବିଛଣାରେ ପଡିରହିଛନ୍ତି ଦେବରାଜ । ଦେବରାଜଙ୍କ ପରିବାର କହିଲେ ପତ୍ନୀ ନୟନୀ ସାହୁ, ଦୁଇ ଝିଅ ସହ ପୁଅ ସନ୍ତୋଷ ସାହୁ ରହିଛନ୍ତି । ବାପାଙ୍କ ଦୁଃଖ ଦେଖି ପୁଅ ସନ୍ତୋଷ ଅଷ୍ଟମ ଶ୍ରେଣୀରୁ ପାଠ ଛାଡି ଏବେ ଭୁବନେଶ୍ୱରରେ ଏକ ରୁଟି କମ୍ପାନୀରେ କାମକରି ଯାହାକିଛି ରୋଜଗାର କରୁଛନ୍ତି ତାଙ୍କ ଘର ଚଳୁଛି ।

ବାପାଙ୍କ ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ପତ୍ନୀ ନୟନୀ କହିଛନ୍ତି । ସମ୍ପତି ଯାହା ଥିଲା ଗୋଟିଏ ଝିଅର ବାହାଘର ଏବଂ ସ୍ୱାମୀଙ୍କ ଚିକିତ୍ସାରେ ସରିଯାଇଛି । ଭଗବାନ ଭରସାରେ ଅତି ଦୟନୀୟ ଭାବେ ଦିନ କାଟୁଛୁ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ବୋଲି ଦୁଃଖଭରା କଣ୍ଠରେ କହିଛନ୍ତି ନୟନୀ । ଉପଯୁକ୍ତ ଚିକିତ୍ସା ସେବା ମିଳିଲେ ସ୍ୱାମୀ ସୁସ୍ଥ ହୋଇପାରିବେ ବୋଲି ସେ ଦୃଢ ଆଶାବାଦୀ ଅଛନ୍ତି । ପ୍ରଶାସନ ଓ  ସହୃଦୟ ବ୍ୟକ୍ତି ଦେବରାଜଙ୍କୁ ସହାୟତାର ହାତ ବଢ଼ାଇବାକୁ ଇଛୁକ ବ୍ୟକ୍ତି ୮୯୮୪୬୬୮୩୬୭ କିମ୍ବା ୯୩୪୮୫୯୫୫୬୯ ନମ୍ବରରେ ଯୋଗାଯୋଗ କରିବାକୁ ପତ୍ନୀ ନୟନୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking