21.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶଗାଜା ସୀମାରେ ଇସ୍ରାଏଲର ଟ୍ୟାଙ୍କ୍ ମୁତୟନ: ୨୪ ଘଣ୍ଟାରେ ଗାଜା ଛାଡ଼ିବାକୁ ନିର୍ଦ୍ଦେଶ

ଗାଜା ସୀମାରେ ଇସ୍ରାଏଲର ଟ୍ୟାଙ୍କ୍ ମୁତୟନ: ୨୪ ଘଣ୍ଟାରେ ଗାଜା ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଥିବାବେଳେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଖୁବ୍‌ଶୀଘ୍ର ଇସ୍ରାଏଲ ସେନା ଗାଜାରେ ପଶି ଭୟାବହ ଆକ୍ରମଣ କରିବାକୁ ଯୋଜନା କରିଛି। ଇସ୍ରାଏଲ ସେନା ଶୁକ୍ରବାର ଉତ୍ତର ଗାଜାରେ ରହୁଥିବା ଲୋକମାନଙ୍କୁ ୨୪ ଘଣ୍ଟା‌ ମଧ୍ୟରେ ସେମାନଙ୍କ ଘର ଏବଂ ଅଞ୍ଚଳ ଛାଡ଼ି ଦକ୍ଷିଣ ଗାଜାକୁ ଚାଲିଯିବାପାଇଁ ନିର୍ଦ୍ଦେଶ ଦେଇଛି। ଉତ୍ତର ଗାଜାରେ ପ୍ରାୟ ୧.୧ ନିୟୁତ ଲୋକ ରହନ୍ତି। ଇସ୍ରାଏଲ ସେନାର ନିର୍ଦ୍ଦେଶ ପରେ ଗାଜାରୁ ନାଗରିକମାନେ ସେମାନଙ୍କ ଘରଛାଡ଼ିବା ପ୍ରକ୍ରିୟା ଆରମ୍ଭ କଲେଣି। ଲୋକେ କାର୍‌ରେ ଜିନି‌ଷପତ୍ର ବୋଝେଇ କରି ଦକ୍ଷିଣ ଗାଜା ଅଭିମୁଖେ ବାହାରିଥିବା ନେଇ ବିଭିନ୍ନ ଭିଡିଓ ଜାରି ହୋଇଛି। ଇସ୍ରାଏଲ ସେନାର ନିର୍ଦ୍ଦେଶ ପରେ ଗାଜାରୁ ନାଗରିକମାନେ ସେମାନଙ୍କ ଘର ଛାଡ଼ିବା ଆରମ୍ଭ କଲେଣି। ଅନ୍ୟପକ୍ଷେ ଇସ୍ରାଏଲ ସେନାର ଏହ‌ି ନିର୍ଦ୍ଦେଶକୁ ଅମାନ୍ୟ କରିବା ପାଇଁ ହମାସ୍‌ ଗାଜାବାସୀଙ୍କୁ ଆହ୍ବାନ ଦେଇଛି। ସେମାନେ ଘର ନଛାଡ଼ି ନିଜ ନିଜ ଘରେ ରହିବାପାଇଁ ହମାସ୍‌ କହିଛି। ଜାତିସଂଘ ମଧ୍ୟ ଇସ୍ରା‌ଏଲ ସେନାର ଏଭଳି ନିର୍ଦ୍ଦେଶକୁ ଅସମ୍ଭବ ବୋଲି କହିଛି। ଘୋର ମାନବୀୟ ସଙ୍କଟକୁ ଏଡ଼ାଇବାପାଇଁ ଜାତିସଂଘ ଇସ୍ରାଏଲ ସେନାକୁ ଏଭଳି ନିର୍ଦ୍ଦେଶ ପ୍ରତ୍ୟାହାର କରିନେବାପାଇଁ କହିଛି। ଏକ ଯୁଦ୍ଧଗ୍ରସ୍ତ ଅଂଚଳର ଅସହାୟ ଲୋକଙ୍କ କ୍ଷେତ୍ରରେ ଏଭଳି ଅଭିଯାନ ସମ୍ଭବ ନୁହେଁ ବୋଲି ଜାତିସଂଘ ବିବେଚନା କରୁଛି। ତେବେ ଉତ୍ତର ଗାଜା‌ରେ ଜାତିସଂଘର ବିଭିନ୍ନ ସୁବିଧା କେନ୍ଦ୍ର ତଥା ସ୍କୁଲ୍‌ ଓ କ୍ଲିନିକ୍‌ରେ ଥିବା ବ୍ୟକ୍ତିଙ୍କ ପାଇଁ ବି ଇସ୍ରାଏଲ ସେନାର ନିର୍ଦ୍ଦେଶ ଲାଗୁ ବୋଲି ଏହା ଘୋଷଣା କରିବାପରେ ଜାତିସଂଘ ଦକ୍ଷିଣ ଗାଜାରେ ଏହାର ଅପରେସନ୍‌ ଆରମ୍ଭ କରିଛି। ଅନ୍ୟପକ୍ଷେ ଇସ୍ରାଏଲ ଗାଜା ସୀମା ନିକଟରେ ବହୁସଂଖ୍ୟାରେ ଟ୍ୟାଙ୍କ୍‌ ମୁତୟନ ଆରମ୍ଭ କରିଛି। ଇସ୍ରାଏଲ –ହମାସ୍‌ ଯୁଦ୍ଧକୁ ଇତିମଧ୍ୟରେ ସପ୍ତାହେ ପୂରିଥିଲେ ବି କେଉଁଠି ବି ସ୍ଥିତିରେ ସୁଧାର ଦେଖିବାକୁ ମିଳିନାହିଁ। ପ୍ରତିଦିନ ଉଭୟ ପଟେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଦୁଇଦିନ ତଳେ ଇସ୍ରାଏଲ-ଗାଜା ସୀମାରେ ୧୫୦୦ ହମାସ ଆତଙ୍କବାଦୀଙ୍କ ଶବ ମିଳିଥିଲା ବୋଲି ଇସ୍ରାଏଲ ଦାବି କରିଥିଲା। ଇତିମଧ୍ୟରେ ଇସ୍ରାଏଲ ବାୟୁସେନା ଦାବି କରିଛି ଯେ ଏହା ଗତରାତିରେ ୭୫୦ରୁ ଅଧିକ ହମାସ ଟାର୍ଗେଟ୍‌ ଧ୍ବସ୍ତ କରିଦେଇଛି । ହମାସ୍‌ର ଅଣ୍ଡରଗ୍ରାଉଣ୍ଡ୍‌ ଟେରର ଟନେଲ୍‌ ଏବଂ ସାମରିକ ପୋଷ୍ଟ୍‌ ସମେତ ଶୀର୍ଷ ଆତଙ୍କବାଦୀମାନଙ୍କ ବାସଭବନକୁ ଟାର୍ଗେଟ୍‌ କରି ଆକ୍ରମଣ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking