ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧବିରତି ପ୍ରକ୍ରିୟା ଶେଷ ହୋଇଛି । ଉଭୟ ପରସ୍ପରକୁ ଏହି ଅସ୍ତ୍ରବିରତି ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ କରିଛନ୍ତି । ଏଥିପାଇଁ ପରସ୍ପରକୁ ଦାୟୀ ମଧ୍ୟ କରିଛନ୍ତି । ଅସ୍ତ୍ରବିରତି ଅବଧି ମଧ୍ୟରେ ଇସ୍ରାଏଲ୍ ଗାଜାରେ ଏୟାର ଷ୍ଟ୍ରାଇକ୍ କରିଛି ଓ ପାଲେଷ୍ଟାଇନ ଗୋଷ୍ଠୀ ମଧ୍ୟ ଜବାବରେ ପାଲଟା ଆକ୍ରମଣ କରିଛନ୍ତି । ଗାଜା ଷ୍ଟ୍ରିପର ହମାସ ନିୟନ୍ତ୍ରଣାଧୀନ ସଂସ୍ଥା କହିଛି, ଅସ୍ତ୍ରବିରତି ନେଇ ହୋଇଥିବା ଚୁକ୍ତିକୁ ଇସ୍ରାଏଲ ଉଲ୍ଲଙ୍ଘନ କରିଛି । ଗାଜାରେ ଏୟାରଷ୍ଟ୍ରାଇକ କରିଛି । ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଇସ୍ରାଏଲ କରିଥିବା ଆକ୍ରମଣରେ ପ୍ରାୟ ୨୪୦ ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ଏହାରି ମଧ୍ୟରେ ଅସ୍ତ୍ରବିରତି ପ୍ରକ୍ରିୟାରୁ ବାହାରି ଯାଇଛି ଇସ୍ରାଏଲ । ଉଭୟ ପକ୍ଷ ମଧ୍ୟରେ ଜାରି ରହିଥିବା ଅସ୍ତ୍ରବିରତି ଓ ବନ୍ଧକଙ୍କୁ ମୁକ୍ତ କରିବା ଆଲୋଚନା ପାଇଁ ଇସ୍ରାଏଲର ଏକ ପ୍ରତିନିଧି ଟିମ କତାର ରାଜଧାନୀ ଦୋହା ଗସ୍ତ କରିଥିଲେ । ଏହି ଟିମ ଇସ୍ରାଏଲର ପ୍ରତିନିଧି ଭାବେ ମଧ୍ୟସ୍ଥତା କରିଥିଲେ । ତେବେ ଏହି ଟିମକୁ ଆଲୋଚନା ବନ୍ଦ କରି ସ୍ୱଦେଶ ଫେରିବା ପାଇଁ ଇସ୍ରାଏଲ ନିର୍ଦ୍ଦେଶ ଦେଇଛି । ତେବେ ଏହା ସ୍ପଷ୍ଟ ଯେ, ଇସ୍ରାଏଲ ଏହି ଆଲୋଚନାରେ ଆଉ ନାହିଁ । ତେଣୁ ଇସ୍ରାଏଲ ପୂର୍ବ ପରି ଗାଜାରେ ଗ୍ରାଉଣ୍ଡ ଅପରେସନକୁ ଜୋରଦାର କରିବା ନେଇ ଆଶା କରାଯାଉଛି । ତେବେ ଇସ୍ରାଏଲର ଅଭିଯୋଗ ଅନୁସାରେ, ଏହି ଅସ୍ତ୍ରବିରତି ଅବଧି ମଧ୍ୟରେ ଗାଜାରୁ ହମାସ ଆତଙ୍କୀ ଇସ୍ରାଏଲର କିଛି ସୀମାନ୍ତ ଏରିଆରେ ରକେଡ ମାଡ କରିଛନ୍ତି । ଏହାକୁ ହମାସ ପକ୍ଷରୁ ଖଣ୍ଡନ କରାଯାଇଛି ।
ପ୍ରାୟ ଦେଢମାସ ଧରି ଇସ୍ରାଏଲର ସାମରିକ ଅପରେସନ ପରେ କତାରର ମଧ୍ୟସ୍ଥତାରେ ଅସ୍ତ୍ରବିରତି ଚୁକ୍ତି ଅନୁସାରେ ବନ୍ଦୀଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ ନୀତି ଆପଣାଇଥିଲେ ୨ ଦେଶ । ଏହିକ୍ରମରେ ନଭେମ୍ବର ୨୪ରୁ ୭ ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ବନ୍ଦୀମାନଙ୍କୁ ମୁକ୍ତ ଅଭିଯାନ ଜାରି ରହିଥିଲା । ଗୁରୁବାର ରାତିରେ ୬ ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କୀ ସଂଗଠନ ପକ୍ଷରୁ ମୁକୁଳା ଯାଇଥିଲା । ଏହି ଅସ୍ତ୍ରବିରତି ସମୟ ମଧ୍ୟରେ ହମାସ ପକ୍ଷରୁ ୧୦୦ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡିଥିଲା । ତେବେ ସମସ୍ତ ଅଟକମାନେ ରେଡକ୍ରସ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଇଜିପ୍ଟର ରାଫା ସୀମା ଦେଇ ନିଜ ଦେଶରେ ପହଞ୍ଚିଥିଲେ ।