20.1 C
Bhubaneswar
Tuesday, November 19, 2024
Homeଖେଳଆଇଏସ୍‌ଏଲ୍‌-୮ : ଆଜି ଜାମେସଦପୁରକୁ ଭେଟିବ ଓଏଫ୍‌ସି

ଆଇଏସ୍‌ଏଲ୍‌-୮ : ଆଜି ଜାମେସଦପୁରକୁ ଭେଟିବ ଓଏଫ୍‌ସି

ଭୁବନେଶ୍ୱର:  ଚଳିତ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍‌ଏଲ୍‌)ର ଅଷ୍ଟମ ସଂସ୍କରଣରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ତା’ର ପଞ୍ଚମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିକୁ ଭେଟିବ । ସଂସ୍କରଣରେ ଅଦ୍ୟାବଧି ୪ଟି ମ୍ୟାଚ୍ ଖେଳି ପ୍ରଭାବଶାଳୀ ପ୍ରଦର୍ଶନ ପୂର୍ବକ ଓଏଫ୍‌ସି ୩ଟି ବିଜୟ ସହ ୯ ପଏଣ୍ଟ୍ ପାଇଁ ଶୀର୍ଷ ୪ ଦଳ ମଧ୍ୟରେ ରହିଛି । ଦଳ ଅଦ୍ୟାବଧି କେବଳ କେରଳ ବ୍ଲାଷ୍ଟର୍ସଠାରୁ ପରାସ୍ତ ହୋଇଥିବା ବେଳେ ବିଏଫ୍‌ସି, ଏସ୍‌ସି ଇଷ୍ଟ୍ ବେଙ୍ଗଲ୍ ଏସ୍‌ସି ଓ ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫ୍‌ସି ବିପକ୍ଷରେ ବିଜୟୀ ହୋଇଛି । ତେଣୁ ଦଳର ଖେଳାଳିମାନେ ଆଗାମୀ ମ୍ୟାଚ୍‌ରେ ବି ସେମାନଙ୍କ ପୂର୍ବ ପ୍ରତିବଦ୍ଧତା ଦୋହରାଇବେ ବୋଲି ମୁଖ୍ୟ କୋଚ୍ କିକୋ ରାମିରେଜ୍ ଆଶା ପ୍ରକାଶ କରିଛନ୍ତି ।

ସୋମବାର ଅନୁଷ୍ଠିତ ପ୍ରାକ୍‌-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ରାମିରେଜ୍ ଦଳର ଖେଳାଳିମାନଙ୍କୁ ପରାମର୍ଶ ଦେବାକୁ ଯାଇ କହିଛନ୍ତି ଯେ ଖେଳାଳିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ମ୍ୟାଚ୍ ଉପରେ ଦୃଷ୍ଟିନିବଦ୍ଧ କରିବାକୁ ପଡ଼ିବ । ସେମାନଙ୍କ ପ୍ରତିବଦ୍ଧତା ଶତପ୍ରତିଶତ ରହିବା ଦରକାର । ଜାମସେଦପୁର ବିପକ୍ଷରେ ଆମକୁ କଡ଼ା ସଂଘର୍ଷ କରିବାକୁ ପଡ଼ିବ, ଏହା ନିଶ୍ଚିତ । ତେଣୁ ଶେଷ ମିନିଟ୍ ପର୍ଯ୍ୟନ୍ତ ଲଢ଼େଇ କଲେ ହିଁ ଆମକୁ ସଫଳତା ମିଳିପାରିବ, ଏହା ପ୍ରତିଟି ଖେଳାଳି ମନେ ରଖିବା ଉଚିତ ବୋଲି ରାମିରେଜ୍ କହିଛନ୍ତି ।

ଗତ ମ୍ୟାଚ୍‌ରେ ଆରିଡାଇ କାବ୍ରେରା ଶେଷ ଆଡ଼କୁ ସାମାନ୍ୟ ଅସହଜ ଅନୁଭବ କରିଥିବାରୁ ଏନେଇ ରାମିରେଜ୍ କହିଛନ୍ତି ଯେ ତାଙ୍କର ଆଘାତ ସମସ୍ୟା ସେତେଟା ଗୁରୁତର ନୁହେଁ । ତଥାପି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ସାମିଲ୍ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ତା’ଛଡ଼ା ଟ୍ରେନିଂ ସେସନ୍‌ରେ ସମସ୍ତ ଖେଳାଳି ବେଶ୍ ଫିଟ୍ ଥିବା ମନେ ହୋଇଥିଲା ବୋଲେି ୫୧ ବର୍ଷୀୟ ସ୍ପେନୀୟ କୋଚ୍ କହିଛନ୍ତି । ପ୍ରତିପକ୍ଷ ଜାମସେଦପୁର ଏଫ୍‌ସି ଓ ଉକ୍ତ ଟିମ୍‌ର ମୁଖ୍ୟ କୋଚ୍ ଓୱେନ୍ କୋୟଲେଙ୍କ ସମ୍ପର୍କରେ ମତ ଦେବାକୁ ଯାଇ ରାମିରେଜ୍ କହିଛନ୍ତି ଯେ କୋୟଲେ ଜାମସେଦପୁରକୁ ଚଳିତ ସଂସ୍କରଣର ଅନ୍ୟତମ ଶକ୍ତିଶାଳୀ ଦଳ ଭାବେ ଗଢ଼ି ତୋଳିବାରେ ସକ୍ଷମ ହୋଇଛନ୍ତି ।

ଦଳର ଖେଳାଳିମାନେ କୋଚ୍‌ଙ୍କ ପରାମର୍ଶକୁ ସଠିକ୍ ଭାବେ ଗ୍ରହଣ କରି ପ୍ରତିପକ୍ଷ ଟିମ୍‌କୁ ଚାଲେଞ୍ଜ୍ ଦେବାରେ ସକ୍ଷମ ହୋଇଥିବା ଏହି ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ରାମିରେଜ୍ ମତ ଦେଇଛନ୍ତି । ସେହିପରି ଅଦ୍ୟାବଧି ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଛି ବୋଲି ସହଯୋଗୀ କୋଚ୍ ତଥା ଫୁଟ୍‌ବଲ୍ ଡେଭଲପ୍‌ମେଣ୍ଟ୍ ମୁଖ୍ୟ କିନୋ ଗାର୍ସିଆ କହିବା ସହ ଦଳର ବିଜୟ ଧାରା କାଏମ ରହିବା ନିହାତି ଖୁସିର ଖବର । ପଏଣ୍ଟ୍ ଟେବଲ୍‌ରେ ଶୀର୍ଷ ୪ ଦଳ ମଧ୍ୟରେ ରହିବା ଖେଳାଳିଙ୍କ ଆତ୍ମବିଶ୍ୱାସକୁ ଅଧିକ ବଳ ଦେବ । ଖେଳାଳିମାନେ ଏହାଦ୍ୱାରା ସେମାନଙ୍କ ପ୍ରଦର୍ଶନକୁ ଆହୁରି ଉନ୍ନତ କରିପାରିବେ ।

ତେଣୁ ଦଳ ବିଜୟ ସହ ଅଭ୍ୟସ୍ତ ହୋଇପାରିବ ବୋଲି ଗାର୍ସିଆ କହିଛନ୍ତି । ଦଳର ଅନ୍ୟତମ ପ୍ରମୁଖ ଖେଳାଳି ଜେଭି ହର୍ଣ୍ଣାଣ୍ଡେଜ୍ ଚଳିତ ପ୍ରତିଯୋଗିତାରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନକୁ ଜାରି ରଖିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଜାମସେଦପୁର ବିପକ୍ଷ ମ୍ୟାଚ୍‌ଟି ନିଶ୍ଚିତ ଭାବେ ସଂଘର୍ଷପୂର୍ଣ୍ଣ ହେବ ।

କାରଣ ଏହି ଟିମ୍ ମ୍ୟାଚ୍ ବେଳେ ନିଜର ସମସ୍ତ ଦକ୍ଷତାର ଉପଯୋଗ କରିବାର ଉଦାହରଣ ରହିଛି । ତା’ଛଡ଼ା ଚଳିତ ସିଜନ୍‌ରେ ଏହି ଦଳ ମଧ୍ୟ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି । ତେଣୁ ଆମ ପାଇଁ ବିଜୟ ସହଜ ହେବ ନାହିଁ ବୋଲି ହର୍ଣ୍ଣାଣ୍ଡେଜ୍ କହିଛନ୍ତି । ସେହିପରି ଓଏଫ୍‌ସିର ଖେଳାଳିମାନେ ପ୍ରତିଯୋଗିତା ଆଗକୁ ବଢ଼ିବା ସହ ନିଜକୁ ଅଧିକ ଶାଣିତ କରିପାରିଛନ୍ତି । ଭାରତୀୟ ଖେଳାଳିଙ୍କ ନିକଟରେ ଶିଖିବାର ଆଗ୍ରହ ରହିଛି । ତେଣୁ ଏହା ଆଇଏସ୍‌ଏଲ୍ ପାଇଁ ଏକ ଶୁଭ ସଂକେତ ବୋଲି ହର୍ଣ୍ଣାଣ୍ଡେଜ୍ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking