ତେହେରାନ: ଆମେରିକୀୟ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀରେ ନୌସେନା ଲ୍ୟାଣ୍ଡମାଇନ୍ ଲୋଡ୍ କରିଥିଲା । ଏହା ସେହି ପଥ ଯାହା ଦେଇ ବିଶ୍ୱର ତୈଳ ଏବଂ ଗ୍ୟାସ୍ ବାଣିଜ୍ୟର ଏକ ପଞ୍ଚମାଂଶ ହୋଇଥାଏ । ସିଧାସଳଖ କହିଲେ ଇରାନ୍ ନିଜ ନୌସେନା ଜରିଆରେ ଗଭୀର ସମୁଦ୍ର ଜଳରାଶିରେ ପ୍ରଚୁର ପରିମାଣର ବିସ୍ଫୋରକ ସାମଗ୍ରୀସବୁ ବିଛାଇଥିଲା । ଭାରତ ଏବଂ ଚୀନ୍ ତୈଳମାର୍ଗକୁ ନଷ୍ଟ କରିଦେବା ହିଁ ଇରାନ୍ର ବାସ୍ତବିକ ଉଦ୍ଦେଶ୍ୟ ଥିଲା । ପ୍ରକାଶ, ଏହା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ବନ୍ଦ କରିବା ପାଇଁ ଇରାନ୍ର ଅନ୍ୟତମ ପ୍ରସ୍ତୁତି ଥିଲା ବୋଲି ମଧ୍ୟ ବିବେଚନା କରାଯାଉଛି । ତେବେ ଯଦିଓ ଖଣିଗୁଡ଼ିକୁ ଏପର୍ଯ୍ୟନ୍ତ ନିୟୋଜିତ କରାଯାଇ ନାହିଁ, ରିପୋର୍ଟ ଅନୁଯାୟୀ ବିପଦ ଏବେ ବି ରହିଛି ।
ଜୁନ୍ ୧୩ରେ ଇସ୍ରାଏଲର ଆକ୍ରମଣ ଏବଂ ଜୁନ୍ ୨୨ରେ ଆମେରିକାର ଆକ୍ରମଣ ମଧ୍ୟରେ ଇରାନ୍ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଦିଗରେ ଚିନ୍ତା କରିଥିଲା । ହର୍ମୁଜ ପ୍ରଣାଳୀ ପାରସ୍ୟ ଉପସାଗରକୁ ଆରବ ସାଗର ସହିତ ସଂଯୋଗ କରେ ଏବଂ ମାତ୍ର ୩୪ କିଲୋମିଟର ଚଉଡ଼ା । କିନ୍ତୁ ଏହାର ରଣନୈତିକ ଏବଂ ଆର୍ôଥକ ଗୁରୁତ୍ୱ ବହୁତ ଅଧିକ । ସାଉଦିଆରବ, ଇରାକ, କତାର, ୟୁଏଇ ଏବଂ କୁୱେତ ଭଳି ଦେଶରୁ ଅଶୋଧିତ ତୈଳ ଏବଂ ଗ୍ୟାସ ଏହି ପଥ ଦେଇ ବାହାରକୁ ରପ୍ତାନୀ କରାଯାଇଥାଏ । ଏହି ରାସ୍ତା ଉପରେ ଇରାନ ନିଜେ ମଧ୍ୟ ନିର୍ଭରଶୀଳ । ଏହି କାରଣରୁ ଯଦି ଏହି ରାସ୍ତା ବନ୍ଦ ହୋଇଯାଏ, ତେବେ ବିଶ୍ୱ ଶକ୍ତି ଯୋଗାଣ ଭୁଶୁଡ଼ି ପଡ଼ିପାରେ ଏବଂ ତେଲ ମୂଲ୍ୟ ଆକାଶଛୁଆଁ ହୋଇପାରେ । ତଥାପି ଆମେରିକା ଆକ୍ରମଣ ପରେ ଅନ୍ତର୍ଜାତୀୟ କୂଟନୈତିକ ଚାପ ଏବଂ ସାମରିକ ସତର୍କତା ଯୋଗୁ ଏପ୍ରକାର ଏକ ଆଶଙ୍କାକୁ ଏଡ଼ାଯାଇପାରିଥିଲା ।
ତେବେ କିଛି ସାମରିକ ବିଶେଷଜ୍ଞଙ୍କ କହିବାନୁସାରେ ଇରାନ୍ ଏପ୍ରକାର ବିସ୍ଫୋରକ ବିଛାଇବା ପଛରେ ଦୁଇଟି କାରଣ ହୋଇପାରେ । ପ୍ରଥମତଃ ଏହା ପ୍ରକୃତରେ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଚାହୁଁଥିଲା । ଦ୍ୱିତୀୟରେ ଇରାନ୍ ଆମେରିକା ଏବଂ ଏହାର ସହଯୋଗୀରାଷ୍ଟ୍ରଗୁଡ଼ିକଙ୍କ ଉପରେ ଏକ ମାନସିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା । ଜୁନ ୨୨ରେ ଇରାନ ସଂସଦ ହର୍ମୁଜ ବନ୍ଦ କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିବା ପରେ ଏହି ଆଶଙ୍କା ଅଧିକ ଦୃଢ଼ୀଭୂତ ହୋଇଥିଲା । ତେବେ ଏହି ନିଷ୍ପତ୍ତି ଚୂଡ଼ାନ୍ତ ନ ଥିଲା କାରଣ ଏହାର ଅନୁମୋଦନ ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ପାଖରୁ ମଧ୍ୟ ଆସିବା ବାକି ଥିଲା । ପ୍ରକାଶ, ଇରାନ ପୂର୍ବରୁ ଅନେକ ଥର ହର୍ମୁଜକୁ ବନ୍ଦ କରିବାକୁ ଧମକ ଦେଇସାରିଛି । ତେବେ ସାମ୍ପ୍ରତିକ ସମୟରେ ହର୍ମୁଜ ପ୍ରଣାଳୀ ଖୋଲା ଅଛି ଏବଂ ବିଶ୍ୱ ତୈଳ ବଜାରରେ ମୂଲ୍ୟ ସ୍ଥିର ରହିଛି । କିନ୍ତୁ ଆମେରିକୀୟ ନୌସେନା ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକ ଏ ବିଷୟରେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ।