ଅହମ୍ମଦାବାଦ: ଚଳିତ ଆଇପିଏଲ୍-୧୬ର ଅନ୍ତିମ ପର୍ଯ୍ୟାୟ ଜାରି ରହିଥିବା ବେଳେ ଶୁକ୍ରବାର ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ କ୍ୱାଲିଫାୟର୍-୨ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସ ସହ ଏହି ଦାମୀ ଲିଗ୍ର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ହେବ । ଡେବ୍ୟୁ ସିଜନ୍ରେ ଚାମ୍ପିଅନ୍ ହେବାର ଗୌରବ ହାସଲ କରିଥିବା ଗୁଜରାଟ କ୍ୱାଲିଫାୟର୍-୧ରେ ଚେନ୍ନାଇ ସୁପର୍ କିଙ୍ଗ୍ସଠାରୁ ପରାସ୍ତ ହୋଇଥିବା ବେଳେ ବୁଧବାରର ଏଲିମିନେଟର୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସକୁ ପରାସ୍ତ କରି ମୁମ୍ବାଇ କ୍ୱାଲିଫାୟର୍-୨ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି ।
ତେବେ ଆଇପିଏଲ୍ର ସ୍ୱଳ୍ପ ଦିନର ଅଭିଯାନରେ ପ୍ରଥମ ଥର ପାଇଁ ଗୁଜରାଟ କୌଣସି ମ୍ୟାଚ୍ରେ ଚାପ ଅନୁଭବ କରି । କାରଣ ନିଜର ଟାଇଟଲ୍ ବଜାୟ ରଖିବାକୁ ହେଲେ ଦଳକୁ ଏହି ମ୍ୟାଚ୍ରେ ବିଜୟୀ ହେବାକୁ ପଡ଼ିବ । ଲିଗ୍ ପର୍ଯ୍ୟାୟର ଏକ ନମ୍ବରରେ ରହିଥିଲେ ମଧ୍ୟ ଗୁଜରାଟ କ୍ୱାଲିଫାୟର୍-୧ରେ ତା’ର ଶ୍ରେଷ୍ଠତ୍ୱ ବଜାୟ ରଖିବାରେ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ସିଜନ୍ ପ୍ରାରମ୍ଭରୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲେ ହେଁ ମୁମ୍ବାଇ ଲିଗ୍ ପର୍ଯ୍ୟାୟର ଅନ୍ତିମ ୫ରୁ ୪ଟିରେ ବିଜୟୀ ହୋଇ ଶ୍ରେଷ୍ଠ ୪ ଦଳ ମଧ୍ୟରେ ସାମିଲ୍ ହୋଇଥିଲା । ଏହି ଧାରାକୁ ଏଲିମିନେଟର୍ରେ ବଜାୟ ରଖି ଦଳ ବିଜୟୀ ହେବା ଫଳରେ ଲକ୍ଷ୍ନୌକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ଲେଅଫ୍ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିଥିଲା । ବ୍ୟାଟ୍ସମ୍ୟାନ୍ ଓ ବୋଲର୍ମାନେ ସଠିକ୍ ସମୟରେ ଶାଣିତ ପ୍ରଦର୍ଶନ କରିବା ଫଳରେ ମୁମ୍ବାଇଙ୍କୁ ଷଷ୍ଠ ଟାଇଟଲ୍ ଜିତିବା ପାଇଁ ଫେବରିଟ୍ ବିବେଚନା କରାଯାଉଛି ।
ଆଇପିଏଲ୍ରେ ଉଭୟ ଦଳର ପରସ୍ପର ବିପକ୍ଷରେ ପ୍ରଦର୍ଶନକୁ ବିଚାରକୁ ନେଲେ, ଏଥିରେ ମୁମ୍ବାଇର ପଲା ଭାରୀ ରହିଛି । ଅଦ୍ୟାବଧି ଦୁଇ ଦଳ ମଧ୍ୟରେ ୩ ଥର ମୁକାବିଲା ହୋଇଥିବା ବେଳେ ମୁମ୍ବାଇ ଦୁଇ ଥର ବିଜୟୀ ହୋଇଛି । କିନ୍ତୁ ଚଳିତ ସଂସ୍କରଣରେ ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପର ବିପକ୍ଷରେ ବିଜୟ ଓ ପରାଜୟର ସ୍ୱାଦ ଚାଖିଛନ୍ତି । ମୁମ୍ବାଇ ଦଳର ବୋଲରମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସେତେଟା ସଫଳ ହୋଇ ନ ଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଦମ୍ଦାର ଫର୍ମ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପୀୟୂଷ ଚାୱଲା, ଜେସନ୍ ବେହରେନ୍ଡର୍ଫ ଓ ଆକାଶ ମାଢ଼ୱାଲ୍ଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ଏଲିମିନେଟର୍ରେ ମାତ୍ର ୫ ରନ୍ରେ ୫ଟି ୱିକେଟ୍ ନେଇ ଆଇପିଏଲ୍ ଇତିହାସରେ ପ୍ଲେଅଫ୍ରେ ଏପରି ସଫଳତା ପାଇବାରେ ମାଢ଼ୱାଲ୍ ପ୍ରଥମ ବୋଲର୍ ହୋଇଛନ୍ତି ।
ଅନ୍ୟପକ୍ଷରେ ଗୁଜରାଟର ବୋଲିଂ ଲାଇନ୍ ପ୍ରାରମ୍ଭରୁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଆସିଛି । ଲିଗ୍ ପର୍ଯ୍ୟାୟ ପରି କ୍ୱାଲିଫାୟର୍-୨ରେ ମଧ୍ୟ ଦଳର ଭାଗ୍ୟ ମୁଖ୍ୟତଃ ତାରକା ପେସର୍ ମହମ୍ମଦ ଶମି ଓ ସ୍ପିନର୍ ରଶିଦ୍ ଖାନ୍ଙ୍କ ଉପରେ ନିର୍ଭର କରିବ। ବୋଲିଂ ଲାଇନ୍ରେ କୌଣସି ତ୍ରୁଟି ନ ଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୂଡ଼ାନ୍ତ ଏକାଦଶରେ କେଉଁ କେଉଁ ବ୍ୟାଟ୍ସମ୍ୟାନ୍ଙ୍କୁ ସାମିଲ୍ କରାଯିବ, ସେଥିନେଇ ସାମାନ୍ୟ ସନ୍ଦିହାନ ଥିବା ମନେହୁଏ । କ୍ୱାଲିଫାୟର୍-୧ରେ ଦାସୁନ୍ ଶନାକାଙ୍କୁ ସାମିଲ୍ କରାଯିବା ଏହାର ଜ୍ୱଳନ୍ତ ପ୍ରମାଣ । ତା’ଛଡ଼ା ବିଜୟ ଶଙ୍କରଙ୍କୁ ସଠିକ୍ ଭାବେ ବ୍ୟବହାର କରିବାର ଆବଶ୍ୟକତା ମଧ୍ୟ ରହିଛି । ବ୍ୟାଟିଂ କ୍ରମ ନେଇ ଦଳ ନିଶ୍ଚିତ ହେଲେ ହିଁ ମୁମ୍ବାଇ ପରି ଏକ ଶକ୍ତିଶାଳୀ ଓ ନିର୍ଣ୍ଣାୟକ ମ୍ୟାଚ୍ ଜିତିବାର କଳା ଜାଣିଥିବା ଦଳକୁ ପରାସ୍ତ କରିପାରିବ ।
ସମ୍ଭାବ୍ୟ ମୁମ୍ବାଇ ଦଳ: ଈଶାନ୍ କିଶନ୍ (ୱିକେଟ୍କିପର୍), ରୋହିତ ଶର୍ମା (ଅଧିନାୟକ), କ୍ୟାମେରନ୍ ଗ୍ରୀନ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ୍ ଡେଭିଡ୍, ହ୍ରିତିକ୍ ଶୋକିନ୍/ନେହଲ୍ ୱାଧେରା, କ୍ରିସ୍ ଜୋର୍ଡାନ୍, ପୀୟୂଷ ଚାୱଲା, ଜେସନ୍ ବେହରେନ୍ଡର୍ଫ, ଆକାଶ ମାଢ଼ୱାଲ୍ ଓ କୁମାର କାର୍ତ୍ତିକେୟ ।
ସମ୍ଭାବ୍ୟ ଗୁଜରାଟ ଦଳ: ଶୁବମାନ ଗିଲ୍, ଋଦ୍ଧିମାନ୍ ସାହା (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍ ମିଲର୍, ସାଇ ସୁଦର୍ଶନ/ଅଭିନବ ମନୋହର, ରାହୁଲ୍ ଟେୱଟିଆ, ରଶିଦ୍ ଖାନ୍, ନୂର୍ ଅହମ୍ମଦ, ଜୋଶ୍ ଲିଟଲ୍/ୟଶ୍ ଦୟାଲ୍, ମୋହିତ ଶର୍ମା ଓ ମହମ୍ମଦ ଶମି ।