ମୁମ୍ବାଇ: ଚଳିତ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣରେ ଗୁରୁବାର ୩୩ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୩ ୱିକେଟ୍ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା । ଏହାର ଜବାବରେ ଚେନ୍ନାଇ ୨୦ ଓଭର୍ରେ ୭ଟି ୱିକେଟ୍ ହରାଇ ୧୫୬ ରନ୍ କରି ସଂସ୍କରଣରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ମୁମ୍ବାଇ ଅଦ୍ୟାବଧି ୭ଟି ମ୍ୟାଚ୍ ଖେଳିସାରିଥିବା ବେଳେ ପରାଜୟ ଦଳର ପିଛା ଛାଡ଼ୁନାହିଁ । ବିଜୟର ନିକଟତର ହୋଇଥିଲେ ହେଁ ମୁମ୍ବାଇ ସପ୍ତମ ପରାଜୟ ସହ ଦଳ ସର୍ବନିମ୍ନ ସ୍ଥାନରେ କାଏମ ରହିଛି ।
ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଈଶାନ୍ କିଶନଙ୍କ ଦୁର୍ବଳ ଫର୍ମ କାଏମ ରହିଥିଲା । ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ଓଭର୍ରେ ଆଉଟ୍ ହୋଇଥିବା ବେଳେ କେହି ଖାତା ବି ଖୋଲିବାରେ ସକ୍ଷମ ହୋଇ ନ ଥିଲେ । ଚେନ୍ନାଇ ପେସର୍ ମୁକେଶ ଚୌଧୁରୀ ଦ୍ୱିତୀୟ ବଲ୍ରେ ରୋହିତଙ୍କୁ ମିଚେଲ୍ ସାଣ୍ଟନର୍ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଚତୁର୍ଥ ବଲ୍ରେ ସେ କିଶନ୍ଙ୍କୁ ବୋଲ୍ଡ ଆଉଟ୍ କରି ଚେନ୍ନାଇକୁ ଡବଲ୍ ସଫଳତା ଦେଇଥିଲେ । ପରେ ଡେୱାଲ୍ଡ ବ୍ରେଭିସ୍ଙ୍କୁ ଆଉଟ୍ କରି ମୁକେଶ ମୁମ୍ବାଇ ସ୍କୋର୍କୁ ୨୩/୩ରେ ପହଞ୍ଚାଇଦେଇଥିଲେ । ସୂର୍ଯ୍ୟକୁମାର ଯାଦବ ମାତ୍ର ୨୧ ବଲ୍ରେ ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୨ ରନ୍ କରିଥିଲେ ହେଁ ସାଣ୍ଟନରଙ୍କ ବଲ୍ରେ ବିଦାୟ ନେଇଥିଲେ । ପରେ ହ୍ରିତିକ୍ ଶୋକିନ୍ ୩ଟି ଚୌକା ସହ ୨୫ ଏବଂ କାଇରନ୍ ପୋଲାର୍ଡ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୪ ରନ୍ କରିଥିଲେ । ଇନ୍ଫର୍ମ ତିଲକ ବର୍ମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ୪୩ ବଲ୍ରେ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୫୧ ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ମୁକେଶ ସର୍ବାଧିକ ୩ଟି ଓ ଡ୍ୱେନ୍ ବ୍ରାଭୋ ୨ଟି ୱିକେଟ୍ ନେଇଥିଲେ ।
ବ୍ୟାଟିଂରେ ଓପନର ଋତୁରାଜ ଗାଏକ୍ୱାଡ୍ଙ୍କୁ ଚେନ୍ନାଇ ପ୍ରଥମ ବଲ୍ରେ ଏବଂ ସାଣ୍ଟନର୍ (୧୧)ଙ୍କୁ ତୃତୀୟ ଓଭର୍ରେ ହରାଇଥିଲେ ହେଁ ମୁମ୍ବାଇ ପାଇଁ ଅନ୍ୟତମ ଓପନର ତଥା ଆଇପିଏଲ୍ରେ ୨୦୦ତମ ମ୍ୟାଚ୍ ଖେଳୁଥିବା ରବିନ୍ ଉଥାପ୍ପା ଓ ଅମ୍ବାତି ରାୟୁଡୁ ୫୦ ରନ୍ ଯୋଡ଼ିଥିଲେ । ୨୫ଟି ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୩୦ ରନ୍ କରିଥିବା ସମୟରେ ଉଥାପ୍ପା ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । ପରେ ପରେ ୩୫ଟି ବଲ୍ରେ ୨ଟି ଚୌକା ଓ ୩ଟି ଛକା ସହ ରାୟୁଡୁ ୪୦ ରନ୍ରେ ବିଦାୟ ନେଇଥିଲେ । ଏହାଛଡ଼ା ଡ୍ୱେନ୍ ପ୍ରିଟୋରିଅସ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୨, ଶିବମ୍ ଦୁବେ ୧୩, ଅଧିନାୟକ ରବୀନ୍ଦ୍ର ଜାଡେଜା ୩ ରନ୍ କରି ଆଉଟ୍ ହୋଇଥିଲେ । ଶେଷରେ ମହେନ୍ଦ୍ର ସିଂହ ଧୋନି ୧୩ଟି ବଲ୍ରେ ୩ଟି ଚୌକା ଓ ଗୋଟିଏ ଛକା ସହ ୨୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ମୁମ୍ବାଇ ପକ୍ଷରୁ ଡାନିଏଲ୍ ସାମ୍ସ ସର୍ବାଧିକ ୪ଟି ଓ ଜୟଦେବ ଉନାଦକତ୍ ୨ଟି ୱିକେଟ୍ ନେଇଥିଲେ ।
ସଂକ୍ଷିପ୍ତ ସ୍କୋର୍: ମୁମ୍ବାଇ ଇଣ୍ଡିଆନ୍ସ-୧୫୫/୭, ୨୦ ଓଭର୍ (ତିଲକ ବର୍ମା-୫୧³, ସୂର୍ଯ୍ୟକୁମାର ଯାଦବ-୩୨, ମୁକେଶ ଚୌଧୁରୀ-୧୯/୩, ଡ୍ୱେନ୍ ବ୍ରାଭୋ-୩୬/୨); ଚେନ୍ନାଇ ସୁପର୍ କିଙ୍ଗ୍ସ-୧୫୬/୭, ୨୦ ଓଭର୍ (ଅମ୍ବାତି ରାୟୁଡୁ-୪୦, ରବିନ୍ ଉଥାପ୍ପା-୩୦, ଡାନିଏଲ୍ ସାମ୍ସ-୨୯/୪, ଜୟଦେବ ଉନାଦକତ୍-୪୮/୨) ।