14.1 C
Bhubaneswar
Saturday, January 18, 2025
Homeଆଇପିଏଲ୍ -2022ଚେନ୍ନାଇକୁ ଦୁବେଦେଲେ ପ୍ରଥମ ବିଜୟ

ଚେନ୍ନାଇକୁ ଦୁବେଦେଲେ ପ୍ରଥମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ମଙ୍ଗଳବାର ୨୨ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ୨୩ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଥିବା ଚେନ୍ନାଇ ୪ ୱିକେଟ୍‌ରେ ୨୧୬ ରନ୍‌ର ବିଶାଳ ସ୍କୋର୍ କରିଥିଲା । ଏହାର ଜବାବ ଦେବାକୁ ଯାଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି)୯ଟି ୱିକେଟ୍ ହରାଇ ୧୯୩ ରନ୍ କରିପାରିଥିଲା । ଏହି ମ୍ୟାଚ୍‌ରେ ମାତ୍ର ୪୬ଟି ବଲ୍‌ରେ ୯୫ ରନ୍‌ର ଜବରଦସ୍ତ ଇନିଂସ ଖେଳି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶିବମ୍ ଦୁବେ ଚେନ୍ନାଇକୁ ପଞ୍ଚମ ମୁକାବିଲାରେ ପ୍ରଥମ ବିଜୟ ଦେଇଛନ୍ତି ।

ଓପନର ଋତୁରାଜ ଗାଏକ୍ୱାଡ୍ ୩ଟି ଚୌକା ସହ ମାତ୍ର ୧୭ ରନ୍‌ରେ ଆଉଟ୍ ହେବା ଫଳରେ ସଂସ୍କରଣରେ ତାଙ୍କର ଖରାପ ଫର୍ମ କାଏମ ରହିଥିଲା । ପରେ ମୋଇନ୍ ଅଲୀ ମାତ୍ର ୩ ରନ୍ କରି ବିଦାୟ ନେଇଥିଲେ । ଫଳରେ ଚେନ୍ନାଇ ୩୬ ରନ୍ ମଧ୍ୟରେ ଦୁଇଟି ୱିକେଟ୍ ହରାଇଥିଲା । ଏହି ସମୟରେ ଅନ୍ୟତମ ଓପନର ରବିନ୍ ଉଥାପ୍ପା ଓ ଦୁବେଙ୍କ ମଧ୍ୟରେ ଜବରଦସ୍ତ ଭାଗୀଦାରୀ ହୋଇଥିଲା । ଉଭୟ ଖେଳାଳି ସେମାନଙ୍କ ଅର୍ଦ୍ଧଶତକ ପୂରଣ କରିବା ସହ ତୃତୀୟ ୱିକେଟ୍‌ରେ ୧୬୫ ରନ୍ ଯୋଡ଼ିଥିଲେ । ଉଥାପ୍ପା ୪ଟି ଚୌକା ଓ ୯ଟି ଛକା ମାଧ୍ୟମରେ ୮୮ ରନ୍ କରି ଆଉଟ୍ ହେବା ଫଳରେ ଏହି ଭାଗୀଦାରୀ ଭାଙ୍ଗିଥିଲା । କିନ୍ତୁ ସେତେବେଳକୁ ଦଳ ୨ ଶହ ରନ୍ ଅତିକ୍ରମ କରିସାରିଥିଲା । ପରେ ରବୀନ୍ଦ୍ର ଜାଡେଜା ଶୂନରେ ଆଉଟ୍ ହୋଇଥିଲେ ହେଁ ଦୁବେ ତାଙ୍କ ବିସ୍ଫୋରକ ବ୍ୟାଟିଂ କାଏମ ରଖିଥିଲେ । ଶେଷ ବଲ୍‌ରେ ଶତକ ପୂରଣ କରିବା ସକାଶେ ଛକା ମାରିବାକୁ ଯାଇ ଦୁବେ ଆଉଟ୍ ହେବା ପୂର୍ବରୁ ୯୫ ରନ୍ କରିସାରିଥିଲେ । ତାଙ୍କର ଏହି ବିସ୍ଫୋରକ ଇନିଂସରେ ୫ଟି ଚୌକା ଓ ୮ଟି ଛକା ରହିଥିଲା । ଆର୍‌ସିବି ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୨ଟି ଓ ପ୍ରଥମ ମ୍ୟାଚ୍ ଖେଳୁଥିବା ଜୋଶ୍ ହେଜଲଉଡ୍ ଗୋଟିଏ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଆର୍‌ସିବି ଉପରେ ୨୧୭ ରନ୍‌ର ବଡ଼ ଟାର୍ଗେଟ୍ ହାସଲ କରିବାର ଚାପ ସ୍ପଷ୍ଟ ବାରି ହୋଇପଡ଼ିଥିଲା । ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ଦଳ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଦଳୀୟ ରନ୍ ସଂଖ୍ୟା ୫୦ରେ ପହଞ୍ଚିବା ବେଳେ ଅଧିନାୟକ ତଥା ଓପନର ଫାଫ୍ ଡ୍ୟୁପ୍ଲେସିସ୍‌ଙ୍କ ସମେତ ୪ ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍ ଫେରିସାରିଥିଲେ । ଡ୍ୟୁପ୍ଲେସିସ୍ ୮ ରନ୍ କରିଥିବା ବେଳେ ତାଙ୍କ ଓପନିଂ ଯୋଡ଼ିଦାର ଅନୁଜ ରାୱତ୍ ଗୋଟିଏ ଚୌକା ସହ ୧୨, ତାରକା ଖେଳାଳି ବିରାଟ କୋହଲି ୧ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୨୬ ରନ୍ କରି ଆଉଟ୍ ହୋଇଥିଲେ । ପଞ୍ଚମ ୱିକେଟ୍‌ରେ ୬୦ ରନ୍ ଯୋଡ଼ି ସ୍ଥିତିକୁ ସମ୍ଭାଳିବା ସକାଶେ ଉଦ୍ୟମ କରିଥିଲେ ଶାହବାଜ୍ ଅହମ୍ମଦ ଓ ସୂୟାଶ ପ୍ରଭୁଦେଶାଇ । ମାତ୍ର ୧୮ଟି ବଲ୍ ଖେଳି ପ୍ରଭୁଦେଶାଇ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୪ ରନ୍ କରି ବିଦାୟ ନେଇଥିଲେ । ପରେ ଶାହବାଜ୍ ୪ଟି ଚୌକା ସହ ୪୧ ରନ୍ କରିଥିବା ବେଳେ ଦିନେଶ କାର୍ତ୍ତିକ ମାତ୍ର ୧୪ଟି ବଲ୍‌ରେ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୪ ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ମହୀଶ ତିକ୍‌ଶାନା ୪ଟି ଓ ଜାଡେଜା ୩ଟି ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଚେନ୍ନାଇ ସୁପର୍ କିଙ୍ଗ୍‌ସ-୨୧୬/୪, ୨୦ ଓଭର୍ (ଶିବମ୍ ଦୁବେ-୯୫, ରବିନ୍ ଉଥାପ୍ପା-୮୮, ୱାନିନ୍ଦୁ ହସରଙ୍ଗା-୩୫/୨, ଜୋଶ୍ ହେଜଲଉଡ୍‌-୩୩/୧); ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌- (ଶାହବାଜ୍ ଅହମ୍ମଦ-୪୧, ମହୀଶ ତିକ୍‌ଶାନା-୩୩/୪, ରବୀନ୍ଦ୍ର ଜାଡେଜା-୩୯/୩) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking