ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ମୁମ୍ବାଇକୁ ୬ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଏହି ମ୍ୟାଚରେ ବିଜୟ ପାଇଁ ଚେନ୍ନାଇ ଆଗରେ ୧୪୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । ଏହି ଲକ୍ଷ୍ୟକୁ ୧୭.୪ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା ଚେନ୍ନାଇ । ଦଳ ପକ୍ଷରୁ ଦେୱନ କନୱେ ୪୪ ରନ , ଋତୁରାଜ ଗାଇକ୍ୱାଡ୍ ୩୦ରନ, ଶିବମ ଦୁବେ ୨୬ରନ ଓ ଅଜିଙ୍କ୍ୟ ରାହାଣେ ୨୧ରନ କରିଥିଲେ ।
ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୪ ରନରେ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ତେବେ ନିହାଲ ୱାଧେରା ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।
ୱାଧେରା ୬୪ରନ ଓ ସୂର୍ଯ୍ୟକୁମାର ୨୬ରନ କରିଥିଲେ । ଟ୍ରିସାନ ଷ୍ଟ୍ରବ୍ସ ୨୦ରନ କରିଥିଲେ । କିନ୍ତୁ ଶେଷ ବେଳକୁ ଦଳର ବ୍ୟାଟିଂ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚେନ୍ନାଇ ପକ୍ଷରୁ ଯୁବ ଦ୍ରୁତ ବୋଲର ମହିସା ପଥିରାନା ୧୫ ରନ ଦେଇ ୩ଟି ୱିକେଟ ନେଇଥିଲେ । ସେହିପରି ଦୀପକ ଚହର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ଗୋଟିଏ ୱିକେଟ୍ ନେଇଥିଲେ । ଏହି ବିଜୟ ସହ ଚେନ୍ନାଇ ୧୧ ମ୍ୟାଚରୁ ୬ ବିଜୟ ସହ ୧୩ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ପହଞ୍ଚିଛି । ମୁମ୍ବାଇ ୧୦ ମ୍ୟାଚରୁ ୫ଟିରେ ବିଜୟ ସହ ୧୦ ପଏଣ୍ଟ ପାଇଛି ।