ହୁଏଭା : ଭାରତର ପ୍ରମୁଖ ମହିଳା ଶଟଲର୍ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ପିଭି ସିନ୍ଧୁ ଗୁରୁବାର ଥାଇଲାଣ୍ଡର ପୋର୍ନପାୱି ଚୋଚୁୱାଙ୍ଗ୍ଙ୍କୁ ହରାଇ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ବିଶ୍ୱର ନଂ୭ ସିନ୍ଧୁ ନଂ୧୦ ପୋର୍ନପାୱିଙ୍କୁ ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ୨୧-୧୪, ୨୧-୧୮ରେ ହରାଇ ଦେଇଛନ୍ତି । ଏହି ମ୍ୟାଚ୍ ୪୮ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏହି ବିଜୟ ଫଳରେ ଷଷ୍ଠ ସିଡ୍ ସିନ୍ଧୁ ଏଯି ଟୁର୍ଣ୍ଣାମେଣ୍ଟ୍ରେ ପୋର୍ନପାୱିଙ୍କ ବିପକ୍ଷରେ ବିଜୟ ରେକର୍ଡକୁ ୫-୩ରେ ପହଞ୍ଚାଇଛନ୍ତି ।
ଏହା ସହିତ ସିନ୍ଧୁ ଚଳିତ ମାସ ପ୍ରାରମ୍ଭରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସ ଗ୍ରୁପ୍ ମ୍ୟାଚ୍ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ଶିପ୍ ପରାଜୟର ପ୍ରତିଶୋଧ ନେଇଛନ୍ତି । ଦୁଇଟି ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ କ୍ୱାର୍ଟର୍ ଫାଇନାଲ୍ରେ ଟପ୍ ସିଡ୍ ତଥା ବିଶ୍ୱ ନଂ୧ ଚୀନା ତାଇପେଇର ତାଇ ଜୁ ୟିଙ୍ଗ୍ଙ୍କ ଭେଟିବେ । ତାଇ ଜୁ ଅନ୍ୟ ଏକ ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ସ୍କଟ୍ଲାଣ୍ଡର କ୍ରିଷ୍ଟି ଗିଲ୍ମୋର୍ଙ୍କୁ ୨୧-୧୦, ୧୯-୨୧, ୨୧-୧୧ରେ ହରାଇ ଦେଇଛନ୍ତି ।