28.1 C
Bhubaneswar
Saturday, July 27, 2024
Homeଖେଳଭାରତର ବିଶାଳ ୩୫୬ ରନ

ଭାରତର ବିଶାଳ ୩୫୬ ରନ

ବ୍ୟୁରୋ : ବର୍ଷା ଛାଡ଼ିବା ପରେ ପାକିସ୍ତାନ ବୋଲର ଧୂଲେଇ କରିଛନ୍ତି ଭାରତୀୟ ବ୍ୟାଟର। ବିଶେଷ କରି ବିରାଟ କୋହଲି ଓ କେଏଲ ରାହୁଲଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ରନର ବର୍ଷା। ରବିବାର ରୋହିତ ଶର୍ମା ଓ ଶୁବମନ ଗିଲ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବର୍ଷା ହେବାରୁ ପାକିସ୍ତାନ ବୋଲର କାଲି ଧୂଲେଇରୁ ରକ୍ଷା ପାଇ ଯାଇଥିଲେ। କିନ୍ତୁ ଆଜି ସଂରକ୍ଷିତ ଦିବସରେ ବର୍ଷା ଛାଡ଼ିବା କ୍ଷଣି ବିରାଟ କୋହଲି ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଛନ୍ତି। ଭାରତ ରବିବାର ଖେଳ ବନ୍ଦ ହେବା ବେଳକୁ ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା। ଆଜି ସେହିଠାରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ବିରାଟ ଓ ରାହୁଲ ନିଜର ଜଲୱା ଦେଖାଇଥିଲେ। ଏଥିସହ ନିଜ ନିଜର ଶତକ ମଧ୍ୟ ହାସଲ କରିଛନ୍ତି। ତୃତୀୟ ୱିକେଟ ପାଇଁ ଉଭୟ ରେକର୍ଡ ବ୍ରେକିଂ ପାର୍ଟନରଶିପ ମଧ୍ୟ କରିଛନ୍ତି। ଉଭୟ ଆଜି ପାକିସ୍ତାନ ପକାଇଥିବା ୨୫.୫ ଓଭର ଦୁଇ ଜଣ ଯାକ ଖେଳିଛନ୍ତି। ଏଥିସହ ଦଳୀୟ ସ୍କୋରକୁ ୩୫୫ ପାର କରାଇଛନ୍ତି।ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଛି। ଫଳରେ ପାକିସ୍ତାନକୁ ଏସିଆ କପର ଏହି ସୁପର ୪ ମୁକାବିଲା ଜିତିବା ପାଇଁ ୩୫୭ ରନର ଟାର୍ଗେଟ ମିଳିଛି। ବିରାଟ ଶେଷ ଯାଏ ୯୪ ବଲରେ ୧୨୨ ଓ ରାହୁଲ ୧୦୬ ବଲରେ ୧୧୧ ରନ କରି ଅପରାଜିତ ରହିଥିଲେ। ତେବେ ଶ୍ରୀଲଙ୍କାର କଲମ୍ବୋରେ ବର୍ଷାର ଆଶଙ୍କା ଥିବାରୁ ପାକିସ୍ତାନ ୫୦ ଓଭର ବ୍ୟାଟିଂ କରିପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।ଆଜି ଦିନ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍‌ ୪.୪୦ରେ ଆରମ୍ଭ ହୋଇଥିଲା। ପ୍ରଥମ କିଛି ଓଭର ରାହୁଲ ଓ ବିରାଟ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏହାପରେ କିନ୍ତୁ ଉଭୟ ଗିୟର ବଦଳାଇ ପାକିସ୍ତାନ ବୋଲରମାନଙ୍କୁ ଆଟାକ କରିଥିଲେ। ଆଜି ହାରିସ ରୌଫ ଆହତ ଯୋଗୁ ଆଦୌ ବୋଲିଂ କରି ନାହାନ୍ତି।ତାଙ୍କ ବଦଳରେ ଇଫତକାର ଅହମଦ କିଛି ଓଭର ବୋଲିଂ କରିଥିଲେ। ଏହାର ଫାଇଦା ବିରାଟ ଓ ରାହୁଲ ଉଠାଇଥିଲେ। ପ୍ରଥମେ ରାହୁଲ ୬୦ ବଲରେ ନିଜର କମବ୍ୟାକ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ ମଧ୍ୟ ୫୫ ବଲରେ ୫୦ ରନ ପୂରଣ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଉଭୟ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରି ଦେଇଥିଲେ।ଏଥିସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଇନିଂସର ୪୫ତମ ଓଭରରେ ଭାରତର ସ୍କୋର ୩୦୦ ଛୁଇଁଥିଲା। ଏହି ସମୟରେ ରାହୁଲ ୯୫ ଓ ବିରାଟ ୮୩ ରନରେ ବ୍ୟାଟିଂ କରୁଥିଲେ।୪୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ଶାହୀନ ଶାହ ଆଫ୍ରିଦି। ଏହି ଓଭରରେ ସେ ମାତ୍ର ୬ ରନ ଦେଇଥିଲେ। ୪୭ତମ ଓଭର ବୋଲିଂ କରିବାକୁ ଆସିଥିଲେ ନଶୀମ ଶାହ। ତାଙ୍କର ପ୍ରଥମ ବଲରେ ୧ ରନ ନେଇ ରାହୁଲ ବ୍ୟକ୍ତିଗତ ୯୮ ରନରେ ପହଞ୍ଚିଥିଲେ। ତେବେ କୋହଲି ତାଙ୍କୁ ଛକା ମାରି ବ୍ୟକ୍ତିଗତ ୯୬ ରନ ପୂରଣ କରିଥିଲେ।ଏହାର ପରବର୍ତ୍ତୀ ବଲରେ ସେ ୧ ରନ ନେଇଥିଲେ। ଶମୀଙ୍କ ଶେଷ ବଲରେ ରାହୁଲ ୨ ରନ ନେଇ ନିଜର ଶତକ ହାସଲ କରିଥିଲେ। ଆହତ ସମସ୍ୟା ଯୋଗୁ ରାହୁଲ ଦୀର୍ଘ ଦିନ ହେଲା ଟିମରୁ ବାଦ ପଡ଼ିଥିଲେ। ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କମବ୍ୟାକ୍‌ କରିବା ସହ ନିଜର ଶତକ ମଧ୍ୟ ହାସଲ କରିଛନ୍ତି। ସେ ୧୦୦ ବଲରେ ୧୦୦ ରନ ପୂରଣ କରିଥିଲେ। ୪୭ ଓଭର ଶେଷ ସୁଦ୍ଧା ଭାରତ ୩୧୯ ରନ କରିନେଇଥିଲା।୪୮ତମ ଓଭରରେ ଶାହୀନ ପୁଣି ବୋଲିଂ କରିବାକୁ ଆସିଥିଲେ। ସେ ତାଙ୍କ ଦ୍ୱିତୀୟ ବୋଲରେ ୨ ରନ ନେଇ ନିଜ ଦିନିକିଆ କ୍ୟାରିୟରରେ ୧୩ ହଜାର ରନ ପୂରଣ କରିଥିଲେ। ତୃତୀୟ ବଲରେ ୧ ରନ ନେଇ ସେ ନିଜର ୪୭ ତମ ଦିନିକିଆ ଶତକ ମଧ୍ୟ ହାସଲ କରିଥିଲେ। ଏହା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ୭୭ତମ ଶତକ। ଶାହୀନ ଏହି ଓଭରରେ ମୋଟ ୧୧ ରନ ଦେଇଥିଲେ।୪୯ମ ଓଭର ନଶୀମ ବୋଲିଂ କରିବାକୁ ଆସିଥିଲେ। କିନ୍ତୁ ସେ ଦୁଇଟି ବଲ ପକାଇବା ପରେ ଆହତ ଯୋଗୁ ପଡ଼ିଆ ଛାଡ଼ିଥିଲେ। ତାଙ୍କ ଓଭର ଶେଷ କରିବାକୁ ଇଫତକାର ଆସିଥିଲେ। ନଶୀମ ଓ ଇଫତକାର ମିଳିତ ଭାବେ ଏହି ଓଭରରେ ୮ ରନ ଦେଇଥିଲେ। ଶେଷ ଓଭରେ ଫୈମ ଅଶରଫ ଭଲ ଆରମ୍ଭ କରିଥିଲେ। ସେ ପ୍ରଥମ ଦୁଇ ବଲରେ କେବଳ ୨ ରନ ଦେଇଥିଲେ।ଭାରତର ସ୍କୋର ମଧ୍ୟ ୩୪୦ ପହଞ୍ଚିଥିଲା। ତୃତୀୟ ବଲରେ ମଧ୍ୟ ୧ ରନ ହୋଇଥିଲା। ୪ର୍ଥ ବଲରେ ବିରାଟ କୌଣସି ରନ ହାସଲ କରି ପାରି ନଥିଲେ। ୫ମ ବଲରେ ବିରାଟ ଚୌକା ମାରିଥିବା ବେଳେ ଏହା ନୋବଲ ହୋଇଥିଲା। ଫଳରେ ଫ୍ରି ହିଟ୍‌ରେ ସେ ପୁଣି ଚୌକା ମାରିଥିଲା। ଭାରତର ସ୍କୋର ୩୫୦ରେ ପହଞ୍ଚି ଯାଇଥିଲା। ଶେଷ ବଲରେ ବିରାଟ ଛକା ମାରି ଇନିଂସ ଶେଷ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ପାକିସ୍ତାନୀ ବୋଲର ୨୫.୫ ଓଭର ବୋଲିଂ କରିଥିବା ବେଳେ କୌଣସି ବି ୱିକେଟ ଦଖଲ କରିବାକୁ ସକ୍ଷମ ହୋଇ ନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking