ନୂଆଦିଲ୍ଲୀ: ଚଳିତମାସ ୯ରେ ଦେଶରେ ସର୍ବାଧିକ ୪ ଲକ୍ଷ ଲୋକ ବିମାନଯାତ୍ରା କରିଥିବା ଜଣାପଡିଛି । ୨୦୨୦ ମାର୍ଚ୍ଚରେ ଭାରତରେ କୋଭିଡ୍ର ଆବିର୍ଭାବ ପରେ ଦୈନିକ ବିମାନଯାତ୍ରୀଙ୍କ ସଂଖ୍ୟାରେ ଏହା ସର୍ବାଧିକ ବୋଲି କୁହାଯାଇଛି । ଉକ୍ତଦିନ ୪,୦୨,୬୯୭ ଜଣ ଯାତ୍ରୀ ୨୭୩୨ଟି ବିମାନରେ ଦେଶର ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରିଛନ୍ତି ।
ଏହା ଦେଶର ଅର୍ଥନୀତି ପାଇଁ ନିଶ୍ଚିତଭାବେ ଏକ ଶୁଭ ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୃଥକଭାବେ ଟ୍ୱିଟ୍ କରି କହିଛନ୍ତି । ବିମାନ ଇନ୍ଧନର ମୂଲ୍ୟବୃଦ୍ଧିି ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟ ହ୍ରାସ ପାଉଥିବାରୁ ବିଗତ କିଛି ମାସ ଧରି ଦେଶରେ ବିମାନ ଭଡା ଆଖିଦୃଶିଆଭାବେ ବୃଦ୍ଧି ପାଇଛି । ଦଶହରା ପରେ ଘରୋଇ ସେକ୍ଟରରେ ବିମାନଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏୟାରଲାଇନ୍ସଗୁଡିକ ଯେଉଁ ଆଶା ପୋଷଣ କରିଥିଲେ, ତାହା ସତ ପ୍ରମାଣିତ ହେବାକୁ ଯାଉଛି । ଏହି ଧାରା ୨୦୨୩ ଜାନୁଆରୀ ପର୍ଯ୍ୟନ୍ତ ବଳବତ୍ତର ରହିପାରେ ବୋଲି ମଧ୍ୟ ଆଶା କରାଯାଉଛି ।