ନୂଆଦିଲ୍ଲୀ : ଆମ ଦେଶରେ ସବୁବେଳେ ପରିବାର ଓ ସମ୍ପର୍କକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏପରିକି ଏହି ପ୍ରସଙ୍ଗରେ ଭାରତ ସାରା ଦୁନିଆରେ ସବୁଠାରୁ ଆଗରେ ରହିଛି । ଭାରତୀୟମାନେ ସମ୍ପର୍କକୁ ବଞ୍ଚାଇ ରଖିବାକୁ ସବୁବେଳେ ଚାହାନ୍ତି । କାରଣ ଭାରତରେ ଛାଡପତ୍ର ମାମଲା ମାତ୍ର ୧ ପ୍ରତିଶତ ରହିଛି । ତେବେ ଏଭଳି ବହୁଦେଶର ରହିଛି, ଯେଉଁଠି ୯୪ ପ୍ରତିଶତ ପର୍ଯ୍ୟନ୍ତ ସମ୍ପର୍କ ଭାଙ୍ଗି ସାରିଛି । ‘ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍’ ଡାଟା ଅନୁସାରେ, ଏସୀୟ ଦେଶରେ ସମ୍ପର୍କ ଖୁବ୍ କମ୍ ତୁଟିଥାଏ, ସେଭଳି ୟୁରୋପ ଓ ଆମେରିକାରେ ପରିବାର ଅଧିକ ଭାଙ୍ଗି ଯାଇଥାଏ । ରିପୋର୍ଟ ଅନୁସାରେ, ଭାରତ ପରେ ଭିଏତନାମର ନମ୍ବର ରହିଛି, ଯେଉଁଠି ୭% ଛାଡପତ୍ର ମାମଲା ରହିଛି । ଏହାଛଡା ତାଜକିସ୍ତାନରେ ୧୦%, ଇରାନ ୧୪% ଓ ମେକ୍ସିକୋରେ ୧୭% ସମ୍ପର୍କରେ ଛାଡପତ୍ର ହୋଇଯାଇଥାଏ । ସବୁଠାରୁ କମ୍ ଛାଡପତ୍ର ମାମଲା ଦେଖିବାକୁ ମିଳିଥିବା ୧୦ ଦେଶ ଭିତରେ ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ତୁର୍କୀ ଓ କଲୋମ୍ବିଆ ରହିଛି । ଏହି ରିପୋର୍ଟରେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ନାହିଁ, ସେଭଳି ଜାପାନରେ ୩୫% ସମ୍ପର୍କରେ ଛାଡପତ୍ର ମାମଲା ଦେଖିବାକୁ ମିଳିଛି ।
ଏହାଛଡା ଜର୍ମାନୀରେ ୩୮% ଓ ବ୍ରିଟେନରେ ୪୧% ସମ୍ପର୍କ ତୁଟି ଯାଉଛି । ସେଭଳି ଚୀନ୍ରେ ୪୪% ବିବାହ ବିଚ୍ଛେଦ ଦେଖିବାକୁ ମିଳୁଛି । ଆମେରିକାରେ ଏହା ୪୫% ରହିଛି । ସେଭଳି ଡେନମାର୍କ, ଦକ୍ଷିଣ କୋରିଆ ଓ ଇଟାଲୀରେ ୪୬% ବିବାହ ବିଚ୍ଛେଦ ଦେଖିବାକୁ ମିଳୁଛି । ସମ୍ପର୍କ ଅତୁଟ ରଖିବାରେ ସବୁଠାରୁ ତଳେ ରହିଛି ୟୁରୋପ । ପର୍ତ୍ତୁଗାଲରେ ସବୁଠାରୁ ୯୪% ଛାଡପତ୍ର ମାମଲା ସାମନାକୁ ଆସିଥାଏ । ଏହାଛଡା ସ୍ପେନ୍ ଶେଷରେ ଦ୍ୱିତୀୟ ସ୍ଥାନରେ ରହିଛି, ଯେଉଁଠି ୮୫% ସମ୍ପର୍କ ଚାଲି ପାରୁନି । ଏହାଛଡା ଲକ୍ସେମର୍ବରେ ୭୯% ବିବାହ ଜୀବନସାରା ଚାଲିପାରୁନି । ସେଭଳି ଋଷରେ ମଧ୍ୟ ୭୩% ଛାଡପତ୍ର ଓ ପଡୋଶୀ ଦେଶ ୟୁକ୍ରେନ୍ରେ ମଧ୍ୟ ୭୦% ବିବାହ ବିଚ୍ଛେଦ ହେଉଛି । ସମାଜ ବିଜ୍ଞାନୀଙ୍କ ମତରେ ଭାରତରେ ସମ୍ପର୍କରେ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବାର କାରଣ ହେଉଛି ଆମ ଦେଶର ସଂସ୍କୃତି, ଯାହାକି ପରିବାରକୁ ଅତୁଟ ରଖିବାର ମୂଳ ରହସ୍ୟ । ଏହାଛଡା ବହୁମାତ୍ରରେ ଛାଡପତ୍ର ମାମଲା ଆଇନଗତ ପକ୍ରିୟାରେ ଯାଇ ପାରିନଥାଏ, ଯାହାଫଳରେ ସ୍ୱାମୀ-ସ୍ତ୍ରୀ ଅଲଗା ରୁହନ୍ତି । ଏହି କାରଣରୁ ମଧ୍ୟ ବହୁବାର ସଠିକ ସଂଖ୍ୟା ସାମନାକୁ ଆସିପାରେନି । ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ଛାଡପତ୍ର ମାମଲା ଖୁବ୍ କମ୍ ।