ବେଙ୍ଗାଲୁରୁ : ବୁଧବାର ଭାରତୀୟ ମହିଳା ହକି ଦଳ ୟୁରୋପ ଗସ୍ତରେ ଯାଇଛି । ଏହି ଗସ୍ତରେ ଭାରତ ଚୀନ୍ ସହ ଗୋଟିଏ ଓ ଜର୍ମାନୀ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବ । ପରେ ଦଳ ସ୍ପେନ୍ ଗସ୍ତ କରି ସେଠାରେ ସ୍ପାନିଶ୍ ହକି ଫେଡେରେସନ୍ର ଶହେତମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ରେ ଅଂଶଗ୍ରହଣ କରିବ । ଦଳ ଲିମ୍ବର୍ଗଠାରୁ ତା’ର ଅଭିଯାନ ଆରମ୍ଭ କରିବ । ଦଳ ସେଠାରେ ଚୀନ୍ ବିପକ୍ଷରେ ଆସନ୍ତା ୧୬ ତାରିଖରେ ଗସ୍ତର ପ୍ରଥମ ମ୍ୟାଚ୍ କେଳିବ । ପରେ ଆୟୋଜକ ଜର୍ମାନୀକୁ ୧୮ ଓ ୧୯ ତାରିଖରେ ଯଥାକ୍ରମେ ୱିସ୍ବାଡେନ୍ ଓ ରସେଲ୍ଶିମ୍ଠାରେ ଭେଟିବ । ଏହି ଗସ୍ତ ମାଧ୍ୟମରେ ଭାରତ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରେ ଚୀନ୍ର ହାଙ୍ଗଝୌଠାରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ଅଭ୍ୟାସ କରିବାର ସୁଯୋଗ ପାଇବ । ଜର୍ମାନୀ ବିପକ୍ଷ ମ୍ୟାଚ୍ ଖେଳିସାରିବା ପରେ ଭାରତ ଆସନ୍ତା ୨୦ରେ ଟେରାସା ଗସ୍ତ କରିବ ।
ସେଠାରେ ଆସନ୍ତା ୨୫ ତାରିଖରେ ଦଳ ସ୍ପାନିଶ୍ ହକି ଫେଡେରେସନ୍ର ଶହେ ବର୍ଷ ପୂର୍ତ୍ତି ଅବସରରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ମ୍ୟାଚ୍ରେ ଆୟୋଜକ ସ୍ପେନ୍କୁ ଭେଟିବ । ପରେ ଜୁଲାଇ ୨୭ ତାରିଖରେ ଦଳର ମୁକାବିଲା ସାଉଥ୍ ଆଫ୍ରିକା ଓ ଶେଷରେ ୨୮ ତାରିଖରେ ଇଂଲଣ୍ଡ ସହ ମୁକାବିଲା ହେବାର କାର୍ଯ୍ୟକ୍ରମ ରହିଛି । ୟୁରୋପ ଗସ୍ତରେ ଯାଇଥିବା ଭାରତୀୟ ଦଳର ନେତୃତ୍ୱ ଦାୟିତ୍ୱ ଅଭିଜ୍ଞ ଗୋଲ୍କିପର୍ ସବିତାଙ୍କୁ ଦିଆଯାଇଥିବା ବେଳେ ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଏକ୍କା ଉପଅଧିନାୟିକା ରହିଛନ୍ତି । ଏହି ଟୁର୍ ସକାଶେ ଭାରତୀୟ ଦଳର ଖେଳାଳିମାନେ ଏଠାକାର ସାଇ ସେଣ୍ଟର୍ଠାରେ ଥିବା ନାସନାଲ୍ କୋଚିଂ କ୍ୟାମ୍ପ୍ରେ ଅଂଶଗ୍ରହଣ କରି ଯଥେଷ୍ଟ ଅଭ୍ୟାସ କରିଛନ୍ତି ।
ଯାତ୍ରା ପୂର୍ବରୁ ବିମାନବନ୍ଦରଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସବିତା କହିଛନ୍ତି ଯେ ଏସିଆ କପ୍ ପୂର୍ବରୁ ଅଭିଜ୍ଞ ଖେଳାଳିଙ୍କ ଭରପୂର ଟିମ୍ଗୁଡ଼ିକ ସହ ମୁକାବିଲା ଆମ ପାଇଁ ଯଥେଷ୍ଟ ଫାଇଦାଦାୟକ ହେବ । ସାଇ ସେଣ୍ଟର୍ଠ।।ରେ ଅଭ୍ୟାସ ଅବସରରେ ଆମେ ନିଜର ଶକ୍ତିଶାଳୀ ଓ ଦୁର୍ବଳ ଦିଗ ଉପରେ ଯଥେଷ୍ଟ ତର୍ଜମା କରିବା ସହ ଆଗାମୀ ଗସ୍ତରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିବୁ ବୋଲି ସବିତା କହିଛନ୍ତି । ସେହିପରି ଦୀପ୍ ଗ୍ରେସ୍ କହିଛନ୍ତି, ଗତ କିଛି ସପ୍ତାହରେ ଆମେ କ୍ୟାମ୍ପ୍ରେ ଯଥେଷ୍ଟ ଅଭ୍ୟାସ କରିଛୁ । ଏହି ପ୍ରସ୍ତୁତି ଆମକୁ ୟୁରୋପ ଟୁର୍ରେ ଯଥେଷ୍ଟ ସହାୟତା କରିବ ଓ ବିଗତ ଦିନର ସଫଳତା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବଢ଼ାଇବ । ଜର୍ମାନୀ ଓ ସ୍ପେନ୍ ବିପକ୍ଷରେ ଆମେ ପୂର୍ବ ସଫଳତା ଦୋହରାଇବାକୁ ମଧ୍ୟ ଭରପୂର ଉଦ୍ୟମ କରିବୁ ବୋଲି ଦୀପ୍ ଗ୍ରେସ୍ କହିଛନ୍ତି ।