ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ । କିନ୍ତୁ ଏହି ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଆହତ ଯୋଗୁଁ ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିଛନ୍ତି । ତେବେ ତାଙ୍କ ସ୍ଥାନରେ ଟି-୨୦ ଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ଡେବ୍ୟୁ କରିବାର ସୁଯୋଗ ମିଳିପାରେ ।
ସୂଚନା ଅନୁସାରେ, ଆଗାମୀ ବର୍ଡର ଭାଗାସ୍କର ଟ୍ରଫି ସିରିଜ ଭାରତ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଞ୍ଚିବା ପାଇଁ ଏହି ସିରିଜ ବିଜୟ ଜରୁରୀ ହୋଇପଡିଛି । ଭାରତ ବର୍ତ୍ତମାନ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜିତି ଏକ ନମ୍ବର ସ୍ଥାନ ଅଧିକାର କରିବା ପାଇଁ ଲକ୍ଷ୍ୟ ରଖିଛି ରୋହିତ ସେନା । ତେବେ ଏହି ମ୍ୟାଚ ପୂର୍ବରୁ ଶ୍ରେୟସ ଅୟର ଦଳରୁ ବାଦ ପଡିବା ଭାରତ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।
ତେବେ ତାଙ୍କ ବିକଳ୍ପ କିଏ ହୋଇପାରିବ ତାହା ଏବେ ଚର୍ଚ୍ଚା । ପୁଣିଥରେ ଦଳକୁ ଫେରିବେ କି ଆଜିଙ୍କ୍ୟ ରାହାଣେ? ନିକଟରେ ଦ୍ୱିଶତକ ହାସଲ କରିଥିବା ରାହାଣେଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି । ତେବେ ସୂର୍ଯ୍ୟକୁମାର ଯାଦବ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅଷ୍ଟ୍ରେଲିଆ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଅୟର(ବାଦ୍), କେ.ଏସ ଭରତ, ଇଶାନ କିଶାନ, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ସର ପଟେଲ, କୁଳଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ସୂର୍ଯ୍ୟକୁମାର ଯାଦବ ।