ବେଙ୍ଗାଲୁରୁ : ସ୍ଥାନୟ ଅଞ୍ଜୁ ବବି ଜର୍ଜ ଫାଉଣ୍ଡେସନ୍ରେ ଚାଲିଥିବା ତୃତୀୟ ଇଣ୍ଡିଆନ୍ ଓପନ୍ ଜମ୍ପ୍ ପ୍ରତିଯୋଗିତାରେ କେରଳର ନୟନା ଜେମ୍ସ ବୁଧବାର ବ୍ୟକ୍ତିଗତ ଶ୍ରେଷ୍ଠ ୬.୬୭ ମିଟର ଦୂରତା ସହିତ ଲଙ୍ଗ୍ ଜମ୍ପ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବୁଧବାର କୌଣସି ଆଥ୍ଲେଟ୍ ଅଲିମ୍ପିକ୍ସ କ୍ୱାଲିଫିକେସନ୍ ମାର୍କ ଛୁଇଁପାରି ନଥିବା ବେଳେ ୨୮ ବର୍ଷୀୟା ନୟନ ଦ୍ୱିତୀୟ ପ୍ରୟାସରେ ହିଁ ନିଜର ପ୍ରାୟ ସାତବର୍ଷ ପୁରୁଣା ବ୍ୟକ୍ତିଗତ ରେକର୍ଡ (୬.୬୫) ଭଙ୍ଗ କରିଛନ୍ତି ।
ନୟନାଙ୍କ ଦୂରତା ଅଞ୍ଜୁ ବବି ଜର୍ଜଙ୍କ ଜାତୀୟ ରେକର୍ଡ ଠାରୁ ୧୬ ସେଣ୍ଟିମିଟର ଏବଂ ପ୍ୟାରିସ୍ ମାର୍କଠାରୁ ୧୯ ସେଣ୍ଟିମିଟର କମ୍ ଥିଲା । ଅନ୍ୟପକ୍ଷରେ ୨୦ ବର୍ଷୀୟା ତାଇଲି ସିଂହ ୬.୪୦ ମିଟର ଲମ୍ଫ ପ୍ରଦାନ କରିଥିଲେ । ସେହିପରି ତାମିଲନାଡ଼ୁର ୨୨ ବର୍ଷୀୟା ପବିତ୍ରା ଭେଙ୍କଟେଶ ପୋଲ୍ଭଲ୍ଟରେ ବ୍ୟକ୍ତିଗତ ଶ୍ରେଷ୍ଠ ୪.୧୫ ମିଟର ଉଚ୍ଚତା ହାସଲ କରିଛନ୍ତି ।ପୁରୁଷ ଟ୍ରିପଲ୍ ଜମ୍ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ଅବ୍ଦୁଲ୍ଲା ଆବୁବକର୍ ୧୬.୭୬ ମିଟର ସହ ପ୍ରଥମ ସ୍ଥାନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜେତା ଏଲ୍ଧୋସ୍ ପଲ୍ (୧୬.୪୫ମି.) ଏବଂ ତାମିଲନାଡ଼ୁର ସେଲ୍ଭା ପ୍ରଭୁ (୧୬.୩୨ ମି.) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।