ଦୁବାଇ: ଚଳିତ ଏସିଆ କପ୍ରେ ବୁଧବାର ଦ୍ୱିତୀୟ ଦଳ ଭାବେ ଭାରତ ସୁପର୍-୪ରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଥିବା ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ରେ ହଂକଂକୁ ୪୦ ରନ୍ରେ ହରାଇ ଗ୍ରୁପ୍-ଏ’ରୁ ପ୍ରଥମ ଦଳ ଭାବେ ଏହି ପର୍ଯ୍ୟାୟରେ ପହଞ୍ଚିଛି । ପୂର୍ବରୁ ମଙ୍ଗଳବାର ଗ୍ରୁପ୍-ବି’ରୁ ଆଫଗାନିସ୍ତାନ ସୁପର୍-୪ରେ ପହଞ୍ଚିଥିଲା । ବୁଧବାର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ ପାଇ ଭାରତ ମାତ୍ର ୨ଟି ୱିକେଟ୍ ହରାଇ ୧୯୨ ରନ୍ କରିଥିଲା । ଜବାବରେ ହଂକଂ ୫ଟି ୱିକେଟ୍ ହରାଇ ୧୫୨ ରନ୍ କରିଥିଲା ।
ଭାରତ ପାଇଁ ଦୁଇ ଓପନର୍ ଲୋକେଶ ରାହୁଲ୍ ଓ ଅଧିନାୟକ ରୋହିତ ଶର୍ମା ୩୮ ରନ୍ ଯୋଡ଼ିଥିଲେ । ତେବେ ରୋହିତ ୧୩ଟି ବଳ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ସହ ୨୧ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ତାଙ୍କ ବିଦାୟ ପରେ ରାହୁଲ୍ ଓ ବିରାଟ କୋହଲି ଦ୍ୱିତୀୟ ୱିକେଟ୍ରେ ୫୬ ରନ୍ର ଭାଗୀଦାରୀ କରିବା ଫଳରେ ଭାରତ ସ୍କୋର୍ ୯୪ରେ ପହଞ୍ଚିଥିଲା । ରାହୁଲ୍ ୩୯ଟି ବଲ୍ ଖେଳି ୨ଟି ଛକା ମାଧ୍ୟମରେ ୩୬ ରନ୍ କରି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ । ତାଙ୍କ ବିଦାୟ ପରେ କୋହଲିଙ୍କ ସହ ଯୋଗଦେଇଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ତୃତୀୟ ୱିକେଟ୍ରେ ମାତ୍ର ୪୫ଟି ବଲ୍ରେ ୯୮ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲେ । ବିଶେଷକରି ସୂର୍ଯ୍ୟକୁମାର ମାତ୍ର ୨୨ଟି ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କ ପୂର୍ବରୁ କୋହଲି ଅର୍ଦ୍ଧଶତକ ପୂରଣ କରିଥିଲେ ମଧ୍ୟ ସୂର୍ଯ୍ୟକୁମାର ତାଙ୍କୁ ଟପିଯାଇଥିଲେ । ଅନ୍ତିମ ଓଭର୍ରେ ସେ ୪ଟି ଛକା ସହ ୨୬ ରନ୍ ସଂଗ୍ରହ କରି ଦଳୀୟ ସ୍କୋର୍କୁ ୧୯୨/୨ରେ ପହଞ୍ଚାଇଥିଲେ । ସୂର୍ଯ୍ୟକୁମାର ୨୬ଟି ବଲ୍ ଖେଳି ୬ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୬୮ ରନ୍ କରିଥିବା ବେଳେ କୋହଲି ୪୪ଟି ବଲ୍ରେ ଗୋଟିଏ ଚୌକା ଓ ୩ଟି ଛକା ଜରିଆରେ ୫୯ ରନ୍ କରି ଅପରାଜିତ ଥିଲେ । ହଂକଂ ପକ୍ଷରୁ ଆୟୁଷ ଶୁକ୍ଲା ଓ ମହମ୍ମଦ ଗଜନ୍ଫର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ବ୍ୟାଟିଂରେ ଦ୍ୱିତୀୟ ଓଭର୍ର ଅନ୍ତିମ ବଲ୍ରେ ହଂକଂ ଓପନର୍ ୟାସିମ୍ ମୁରତାଜାଙ୍କ ୱିକେଟ୍ ହରାଇଥିଲା । ସେତେବେଳକୁ ମୁର୍ତାଜା ୨ଟି ଚୌକା ସହ ୯ ରନ୍ କରିଥିଲେ । ଦ୍ୱିତୀୟ ୱିକେଟ୍ରେ ଅନ୍ୟତମ ଓପନର ତଥା ଅଧିନାୟକ ନିଜାକତ୍ ଖାନ୍ ଓ ବାବର୍ ହୟାତ୍ଙ୍କ ମଧ୍ୟରେ ୩୯ ରନ୍ର ଭାଗୀଦାରୀ ହେବା ଫଳରେ ଦଳୀୟ ସ୍କୋର୍ ଅର୍ଦ୍ଧଶତକ ଅତିକ୍ରମ କରିଥିଲା । ଜାଡେଜାଙ୍କ ଏକ ସିଧା ଥ୍ରୋ’ରେ ନିଜାକତ୍ ଆଉଟ୍ ହେବା ପୂର୍ବରୁ ଗୋଟିଏ ଚୌକା ସହ ୧୦ ରନ୍ କରିଥିଲେ । ପରେ ହୟାତ୍ ୩୫ଟି ବଲ୍ରେ ୩ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୪୧ ରନ୍ କରି ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ବିଦାୟ ନେଇଥିଲେ । ହୟାତ୍ ଆଉଟ୍ ହେବା ପରେ ହଂକଂ ବସ୍ତୁତଃ ଆତ୍ମସମର୍ପଣ କରିଦେଇଥିଲା । କିଞ୍ଚିତ ଶାହ ୨ଟି ଚୌକା ଓ ଗୋଟିଏ ଛକା ସହ ୩୯, ଜିଶାନ୍ ଅଲୀ ୨ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୨୬, ସ୍କଟ୍ ମ୍ୟାକ୍କେଞ୍ଚି ୨ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୧୬ ଏବଂ ଏଜାଜ୍ ଖାନ୍ ୨ଟି ଚୌକା ସହ ୧୪ ରନ୍ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ରବୀନ୍ଦ୍ର ଜାଡେଜା ଓ ଅଭେଶ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।