ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନରେ ମଙ୍ଗଳବାର ଭାରତ ଓ ଆମେରିକା ମଧ୍ୟରେ ୨+୨ ବୈଠକ ଆୟୋଜିତ ହୋଇଛି । ଉକ୍ତ ବୈଠକରେ ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇଥିବାବେଳେ ଆମେରିକା ପକ୍ଷରୁ ବିଦେଶ ସଚିବ ଆନ୍ଥୋନୀ ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ପ୍ରତିନିଧିତ୍ୱ କରିଥିଲେ । ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ନିମନ୍ତେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି । ପାକିସ୍ତାନ ଓ ଚୀନ୍ ସହ ସମ୍ପର୍କକୁ ନେଇ ରାଜନାଥ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ।
ଏହାବ୍ୟତୀତ ଭାରତ ମହାସାଗରକୁ ଚୀନ୍ ପ୍ରାଦୁର୍ଭାବରୁ ମୁକ୍ତ ରଖିବା ଉପରେ ମଧ୍ୟ ଦୁଇ ଦେଶ ଗୁରୁତ୍ୱ ଦେଇଥିବା ଜଣାପଡିଛି । ଅତୀତର ସବୁ ତିକ୍ତତାକୁ ଭୁଲି କିଭଳି ଏହି ସମ୍ପର୍କକୁ ଆଗେଇ ନିଆଯିବ, ତାହା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଦୁଇପକ୍ଷ ସମ୍ମତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ-ରୁଷ୍ ସମ୍ପର୍କକୁ ନେଇ ବ୍ଲିଙ୍କେନ କହିଛନ୍ତି ଯେ ଏହି ସମ୍ପର୍କ ଯଥେଷ୍ଟ ପୁରୁଣା । ତେଣୁ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଭୁଲ ବୁଝିବା ଅନୁଚିତ ବୋଲି ସେ କହିଛନ୍ତି । ବର୍ତ୍ତମାନ ସମୟ ବଦଳି ଯାଇଛି । ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ର ସହ ବନ୍ଧୁତା କରିବାକୁ ଆମେରିକା ଆଗ୍ରହୀ । ବାଣିଜ୍ୟଠାରୁ ଆରମ୍ଭ କରି ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଓ ନିରାପତ୍ତା ସମେତ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତକୁ ସହଯୋଗ କରିବାକୁ ଆମେରିକା ବିଶେଷଭାବେ ଆଗ୍ରହ ପ୍ରକାଶ କରୁଥିବା ବ୍ଲିଙ୍କେନ କହିଛନ୍ତି ।
ରୁଷ୍ରୁ ତେଲ କିଣିବା ପ୍ରସଙ୍ଗରେ ମଧ୍ୟ ଭାରତକୁ ଅସୁବିଧାରେ ନପକାଇବାକୁ ଆମେରିକା ଚାହୁଁଥିବା ସେ କହିଛନ୍ତି । ପ୍ରତ୍ୟେକ ରାଷ୍ଟ୍ରର ଭୌଗଳିକ ସ୍ଥିତି ଓ ଆବଶ୍ୟକତା ଭିନ୍ନ ଭିନ୍ନ ରହିଛି । ତେଣୁ ସବୁ ରାଷ୍ଟ୍ରଙ୍କ ଉପରେ ସମାନ କଟକଣା ଲାଗୁ କରାଯିବା ଅନୁଚିତ ବୋଲି ସେ କହିଛନ୍ତିି । ଭାରତ ପୂର୍ବରୁ ସାମରିକ ଅସ୍ତ୍ରଶସ୍ତ୍ର କିଣିବାକୁ ରୁଷ୍ ସହ ଏକାଧିକ ଚୁକ୍ତି ସମ୍ପାଦିତ କରିଥିବାରୁ ବର୍ତ୍ତମାନ ଏଥିରୁ ଓହରିଯିବା ଏତେ ସହଜ ନୁହେଁ ବୋଲି ଆମେରିକା ହୃଦୟଙ୍ଗମ କରୁଛି । ତେବେ ଭବିଷ୍ୟତରେ ରୁଷ୍ ସହ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ନକରିବାକୁ ଭାରତକୁ ପରାମର୍ଶ ଦିଆଯାଇଛି ।