ନୂଆଦିଲ୍ଲୀ : ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦର ପରିଚାଳନା କରିବାକୁ ନେଇ ତେହରାନ୍ ସହ ଭାରତ ଚୁକ୍ତି କରିଛି । ଏହି ବନ୍ଦର ଚଳାଇବା ସହିତ ଭାରତ ମଧ୍ୟ ଏହାର ବିକାଶ କରିବ। ପ୍ରଥମ ଥର ପାଇଁ ଭାରତ ଏକ ବିଦେଶୀ ବନ୍ଦରର ପରିଚାଳନା ଦାୟିତ୍ୱ ଗ୍ରହଣ କରିବ। ଏହା ସହିତ ଭାରତ ଆଫଗାନିସ୍ତାନ, ମଧ୍ୟ ଏସିଆ ଏବଂ ୟୁରୋପ ସହିତ ସଂଯୋଗ କରିବାକୁ ସକ୍ଷମ ହେବ। ଏହି ପୋର୍ଟ ବିକଶିତ ହେଲେ ଭାରତ ପାକିସ୍ତାନକୁ ଅତିକ୍ରମ କରି ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହିତ ସିଧାସଳଖ ସଂଯୋଗ କରିପାରିବ। ତେବେ ଏହି ଚୁକ୍ତିକୁ ନେଇ ରାଗି ଯାଇଛି ଆମେରିକା। ଏହି ଡିଲ୍କୁ ସେ ପସନ୍ଦ କରିନି। ଭାରତକୁ ସେ ପରୋକ୍ଷ ଭାବେ ଦେଖାଇଛି ନାଲି ଆଖି। ଯିଏବି ଇରାନ୍ ସହ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତାଙ୍କୁ ଆମ ପକ୍ଷରୁ ବ୍ୟାନ୍ର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଆମେରିକା ଚେତାବନୀ ଦେଇଛି।
ଆମେରିକାର ବୈଦେଶିକ ବିଭାଗର ପ୍ରଧାନ ଉପ-ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ଇରାନ ଏବଂ ଭାରତ ମଧ୍ୟରେ ଚାବାହାର ବନ୍ଦରକୁ ନେଇ ଏକ ଚୁକ୍ତି ହୋଇଛି। ଭାରତ ସରକାରଙ୍କ ନିଜର ବୈଦେଶିକ ନୀତି ରହିଛି। ଚାବାହାର ବନ୍ଦର ଏବଂ ଇରାନ ସହିତ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଇରାନ ସହିତ ହୋଇଥିବା ଚୁକ୍ତି ସେ ଭଲ ଭାବରେ ବୁଝିଛନ୍ତି। କିନ୍ତୁ ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ଜାରି ରହିବ ବୋଲି ସେ କହିଛନ୍ତି।