26.1 C
Bhubaneswar
Saturday, January 11, 2025
Homeଖେଳଆଜିଠାରୁ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ୍

ଆଜିଠାରୁ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ୍

ମୀରପୁର: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ଗୁରୁବାର (ଡିସେମ୍ବର ୨୨)ଠାରୁ ମୀରପୁରର ଶେର୍ ଏ ବାଂଲା ଷ୍ଟାଡିୟମ୍‌ରେ ଖେଳାଯିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ଥିବାବେଳେ ଟିମ୍ କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରହିବ । ଟେଷ୍ଟ ଚାମ୍‌ପିଅନ୍‌ଶିପ୍ ଅଧୀନରେ ଖେଳାଯାଉଥିବା ଏହି ସିରିଜ୍ ଭାରତ ପାଇଁ ବହୁ ମହତ୍ୱ ରଖିଥିବା ବେଳେ ଟିମ୍‌କୁ ଫାଇନାଲ୍ ରେସ୍‌ରେ ରହିବାକୁ ହେଲେ ଯେକୌଣସି ପ୍ରକାରେ ଏହି ମ୍ୟାଚ୍ ଜିତିବାକୁ ହେବ । ତେବେ ଏସବୁ ଭିତରେ ଭାରତୀୟ ଟିମ୍ ଖେଳାଳିଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ଥିବାବେଳେ ଏହାକୁ ନେଇ ଟିମ୍‌କୁ ଲଗାତାର ଚୂଡ଼ାନ୍ତ ଏକାଦଶ ଏବଂ ନେତୃତ୍ୱରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ୁଛି । ଟିମ୍ ଇଣ୍ଡିଆର ନିୟମିତ କ୍ୟାପ୍‌ଟେନ୍ ରୋହିତ ଶର୍ମା ଆହତ କାରଣରୁ ପ୍ରଥମ ଟେଷ୍ଟ୍ ପରେ ଦ୍ୱିତୀୟ ମ୍ୟାଚ୍‌ରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ତାଙ୍କ ବ୍ୟତୀତ ଫାଷ୍ଟ୍ ବୋଲର୍ ନଭଦୀପ ସୈନୀ ମଧ୍ୟ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟ୍ ଖେଳିବେ ନାହିଁ ।

ଏବେ ନେଟ୍ସ ବେଳେ କାର୍ଯ୍ୟବାହକ କ୍ୟାପ୍‌ଟେନ୍ ଲୋକେଶ ରାହୁଲ ମଧ୍ୟ ଆହତ ହୋଇଛନ୍ତି ଏବଂ ଏପରି ସ୍ଥିତିରେ ତାଙ୍କ ଖେଳିବାକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି । ରାହୁଲଙ୍କ ଆହତକୁ ନେଇ ଟିମ୍‌ର ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କ ପକ୍ଷରୁ ଜାରି ଅପ୍‌ଡେଟ୍‌ରେ କୁହାଯାଇଛି ସେ ଏବେ ଡାକ୍ତରଙ୍କ ଦେଖାଶୁଣାରେ ଅଛନ୍ତି ଏବଂ ପରେ ତାଙ୍କ ଖେଳିବା ନେଇ ନିଷ୍ପତ୍ତି ନିଆଯିବ । ଅର୍ଥାତ୍ ରାହୁଲଙ୍କ ଉପରେ ନିଷ୍ପତ୍ତି ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ହିଁ ନିଆଯିବ । ଯଦି ରାହୁଲ ମ୍ୟାଚ୍‌ରୁ ବାଦ୍ ପଡ଼ନ୍ତି, ତେବେ ତାଙ୍କ ସ୍ଥାନରେ ଟିମ୍‌ର ନେତୃତ୍ୱ ଚେତେଶ୍ୱର ପୂଜାରା କରିପାରନ୍ତି ଏବଂ ଅଭିମନ୍ୟୁ ଈଶ୍ୱରନ୍‌ଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିପାରେ । ବେଙ୍ଗଲ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଈଶ୍ୱରନ୍ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି ଏବଂ ଲଗାତାର ରନ୍ ସଂଗ୍ରହ କରୁଛନ୍ତି ।

ଆସନ୍ତାକାଲିର ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ କରାଯାଇପାରେ । ରାହୁଲ ବାଦ୍ ପଡ଼ିଲେ ଈଶ୍ୱରନ୍ ଏବଂ ଶୁବମନ ଗିଲ୍ ଟିମ୍ ପାଇଁ ଇନିଂସ୍ ଓପନ୍ କରିବେ । ଅନ୍ୟପକ୍ଷରେ ମିଡିଲ୍ ଅର୍ଡର୍‌ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ପ୍ରଥମ ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ପାଇଁ ଈଶ୍ୱରନ୍ ଏକ ଜରୁରୀ ପରିବର୍ତ୍ତନ ହୋଇପାରନ୍ତି । ତାଙ୍କ ବ୍ୟତୀତ ବିରାଟ କୋହଲି, ଶ୍ରେୟସ୍ ଆୟର, ଚେତେଶ୍ୱର ପୂଜାରା ଏବଂ ଋଷଭ ପନ୍ତ୍‌ଙ୍କ ଖେଳିବା ନିଶ୍ଚିତ । ସେହିପରି ଚୂଡ଼ାନ୍ତ ଏକାଦଶରେ ଅଲ୍‌ରାଉଣ୍ଡର୍ ଅଶ୍ୱିନଙ୍କ ସ୍ଥାନ ମଧ୍ୟ ପକ୍କା । ସେହିପରି ପ୍ରଥମ ମ୍ୟାଚ୍‌ର ଷ୍ଟାର୍ ପରଫର୍ମର୍ କୁଲଦୀପ ଯାଦବ ନିଜ ସ୍ଥାନ ପକ୍କା କରିସାରିଥିବା ବେଳେ ଫାଷ୍ଟ୍ ବୋଲିଂରେ ମହମ୍ମଦ ସିରାଜ୍ ଏବଂ ଉମେଶ ଯାଦବ ମଧ୍ୟ ଉପସ୍ଥିତ ରହିବେ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଶୁବମନ୍ ଗିଲ୍‌, ଅଭିମନ୍ୟୁ ଈଶ୍ୱରନ୍‌/କେଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ୍‌, ରବିଚନ୍ଦ୍ରନ୍ ଅଶ୍ୱିନ, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ମହମ୍ମଦ ସିରାଜ୍ ଏବଂ ଉମେଶ ଯାଦବ ।

ସମ୍ଭାବ୍ୟ ବାଂଲାଦେଶ ଏକାଦଶ: ନଜମୁଲ ହୋସେନ୍ ଶାନ୍ତୋ, ଜାକିର ହସନ୍‌, ୟାସିର୍ ଅଲୀ, ଲିଟନ୍ ଦାସ, ମୁସ୍‌ଫିକୁର୍ ରହିମ, ସାକିବ୍‌-ଅଲ୍‌-ହସନ୍‌, ନୁରୁଲ୍ ହସନ୍‌, ମେହିଦୀ ହସନ୍ ମିର୍ଜା, ଏବାଦତ୍ ହୋସେନ୍‌, ତାଇଜୁଲ୍ ଇସ୍‌ଲାମ, ଖଲିଦ୍ ଅହମଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking