୧୫ ବର୍ଷ ପରେ ମୁହାଁମୁହିଁ ହେବେ ଦୁଇ ମହିଳା ଟିମ୍
ଗୋଲ୍ଡକୋଷ୍ଟ: ସ୍ଥାନୀୟ ମେଟ୍ରିକୋନ୍ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଆରମ୍ଭ ହେବ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ୩ୟ ତଥା ଅନ୍ତିମ ଦିନିକିଆରେ ମିଳିଥିବା ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଭାରତୀୟ ଟିମ୍ ଆୟୋଜକ ଟିମ୍ ବିପକ୍ଷରେ ସେହି ଲୟକୁ ବଜାୟ ରଖିବାକୁ ଚାହିଁବ । ୩ୟ ଦିନିକିଆ ରବିବାର ଖେଳାଯାଇଥିବା ବେଳେ ସୋମବାର ବିଶ୍ରାମ ଦିନ ଥଲା । ଫଳରେ ମିତାଲି ରାଜଙ୍କ ନେତୃତ୍ୱାଧୀନ ଟିମ୍କୁ ଏହି ଟେଷ୍ଟର ପ୍ରସ୍ତୁତି ପାଇଁ ମାତ୍ର ଦୁଇଟି ସେସନ୍ ମିଳିଥିଲା । ଭାରତୀୟ ଟିମ୍ ପ୍ରଥମ ଥର ଦିବାରାତ୍ର ମ୍ୟାଚ୍ ଖେଳିବାକୁ ଥିବାବେଳେ ଟିମ୍ର କୌଣସି ସଦସ୍ୟଙ୍କୁ ପିଚ୍ରେ ପିଙ୍କ୍ବଲ୍ର ପ୍ରଭାବ କିପରି ହେବ ତାହା ଜଣାନାହିଁ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟିମ୍ ଏକମାତ୍ର ଦିବାରାତ୍ର ଟେଷ୍ଟ ୨୦୧୭ରେ ଖେଳିଥିଲା ।
ଅଭ୍ୟାସ ପାଇଁ ଟିମ୍କୁ ମଧ୍ୟ ଅଧିକ ସମୟ ମିଳିନଥିଲା । ମାତ୍ର ମେଟ୍ରିକାନ୍ ଷ୍ଟାଡିୟମ୍ର ଘାସପିଚ୍ରେ ଟିମ୍ର ଫାଷ୍ଟ ବୋଲର୍ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇପାରନ୍ତି । ଭାରତ ୭ ବର୍ଷ ପରେ ଗତ ଜୁନ୍ ମାସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିବା ବେଳେ ଏହି ମ୍ୟାଚ୍ଟି ଡ୍ର’ରେ ଶେଷ ହୋଇଥିଲା । ତେବେ ଖେଳାଳି ଓ ବିଶେଷଜ୍ଞଙ୍କ ମତରେ ପିଙ୍କ୍ବଲ୍ର ଆହ୍ୱାନ ଭାରତ ପାଇଁ ଏକ ଆହ୍ୱାନ ହେବ । ଭାରତ ଓ ଅଷ୍ଟ୍ରେଲିଆ ଶେଷଥର ପାଇଁ ୨୦୦୬ରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ବର୍ତ୍ତମାନର ଉଭୟ ଟିମ୍ରୁ ସଦସ୍ୟଙ୍କ ମଧ୍ୟରୁ କେବଳ ମିତାଲି ରାଜ ଓ ଝୁଲନ୍ ଗୋସ୍ୱାମୀ ହିଁ ସେହି ଟେଷ୍ଟ ମ୍ୟାଚ୍ର ଅଂଶ ଥିଲେ । ଦ୍ୱିତୀୟରେ ମ୍ୟାଚ୍ ପୂର୍ବରୁ ଭାଇସ୍ କ୍ୟାପ୍ଟେନ୍ ତଥା ଓପ୍ନର୍ ରାଚେଲ୍ ହେନ୍ସ ଆଘାତ ଯୋଗୁଁ ଟିମ୍ରୁ ବାଦ୍ ପଡ଼ିବା କାରଣରୁ ଅଷ୍ଟ୍ରେଲିଆକୁ ଏକ ଧକ୍କା ଲାଗିଛି ।
ସେହିପରି ଭାରତୀୟ ଟିମ୍ରେ ହରମନ୍ପ୍ରୀତ୍ ଉପଲବ୍ଧ ହେବେ ନାହିଁ । ତାଙ୍କ ଅଙ୍ଗୁଳିରେ ଲାଗିଥିବା ଆଘାତ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇନଥିବା ମିତାଲି କହିଛନ୍ତି । ଅନ୍ୟପକ୍ଷରେ ଫାଷ୍ଟ ବୋଲର୍ ମେଘନା ସିଂହ ଓ ଯୁବ ବ୍ୟାଟର୍ ୟାସ୍ତିକା ଭାଟିଆଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ । ଅନୁଭବୀ ଝୁଲନ୍ ଗୋସ୍ୱାମୀଙ୍କ ସହ ମେଘଡ଼ା ଓ ପୂଜା ବସ୍ତ୍ରାକାର ଫାଷ୍ଟ ବୋଲିଂ ଆକ୍ରମଣର ଦାୟିତ୍ୱ ସମ୍ଭାଳିବାକୁ ଥିବାବେଳେ ସ୍ପିନ୍ ବୋଲିଂ ଦାୟିତ୍ୱ ସ୍ନେହ ରାଣା ଓ ଦୀପ୍ତି ଶର୍ମାଙ୍କ ଉପରେ ରହିବ । ସେହିପରି ୱିକେଟ୍କିପର୍ ତାନିଆ ଭାଟିଆଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ହୋଇଥିବା ବେଳେ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଥିବା ପୁନମ ରାଉତ ମଧ୍ୟ ଖେଳିପାରନ୍ତି ।
ମ୍ୟାଚ୍ର ପୂର୍ବ ସନ୍ଧ୍ୟାରେ ମିତାଲି କହିଛନ୍ତି, ଦିବାରାତ୍ର ଟେଷ୍ଟକୁ ନେଇ ଖେଳାଳିମାନେ ବହୁ ଉତ୍ସାହିତ ଥିବାବେଳେ ପୂରା ଆଶ୍ୱସ ଅଛ । ପିଙ୍କ୍ ବଲ୍ରେ ଖେଳିବା ଆମ ପାଇଁ ଏକ ନୂଆ ଅନୁଭୂତି ହେବ । ସାଧାରଣତଃ ଟେଷ୍ଟ ମ୍ୟାଚ୍ ଲାଲ୍ ବଲ୍ରେ ଖେଳାଯାଉଥିବା ବେଳେ ପିଙ୍କ୍ବଲ୍ ଟେଷ୍ଟ କିଛିଟା ଅଲଗା ହେବ ।
ଭାରତ ଏକାଦଶ: ଶେଫାଳୀ ବର୍ମା, ସ୍ମୃତି ମନ୍ଧାନା, ମିତାଲି ରାଜ (କ୍ୟାପ୍ଟେନ୍), ପୁନମ ରାଉତ / ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ସ୍ନେହ ରାଣା, ତାନିୟା ଭାଟିଆ, ପୂଜା ବସ୍ତ୍ରାକାର / ଶିକ୍ଷା ପାଣ୍ଡେ, ଝୁଲନ୍ ଗୋସ୍ୱାମୀ, ମେଘନା ସିଂହ, ରାଜେଶ୍ୱରୀ ଗାଏକ୍ୱାଡ୍ ।
ଅଷ୍ଟ୍ରେଲିଆ ଏକାଦଶ: ଏଲିସା ହିଲି, ବେଥ୍ ମିନୀ, ମେଗ୍ ଲେନିଙ୍ଗ୍ (କ୍ୟାପ୍ଟେନ୍), ଏଲିସ୍ ପେରୀ, ତାହଲିୟା ମ୍ୟାଗ୍ରାଥ୍, ଆଶ୍ ଗାର୍ଡନର୍, ଆନ୍ନାବେଲ୍ ସଦରଲାଣ୍, ସୋଫି ମୋଲିନିକ୍ସ, ଜର୍ଜିଆ ୱାର୍ହାମ୍, ଡାର୍ସି ବ୍ରାଉନ୍, ଷ୍ଟେଲା କ୍ୟାମ୍ପ୍ବେଲ୍ ।