ନୂଆଦିଲ୍ଲୀ “ ଏଠାକାର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଚଳିତ ବର୍ଡର୍-ଗାଭାସ୍କର ଟେଷ୍ଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍ରେ ବୃହତ୍ ଇନିଂସ ବିଜୟ ହାସଲ ପୂର୍ବକ ଘରୋଇ ଭାରତ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ନାଗପୁର ପରି ଏଠାରେ ମଧ୍ୟ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆ ପାଇଁ କଷ୍ଟସାଧ୍ୟ ପରିସ୍ଥିତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଏହି ମ୍ୟାଚ୍ରେ ଭାରତର ତୃତୀୟ ନମ୍ବର ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ତାଙ୍କ ଟେଷ୍ଟ୍ କ୍ୟାରିଅର୍ର ମହତ୍ତ୍ୱପୂର୍ଣ୍ଣ ଶତକୀୟ ମ୍ୟାଚ୍ ଖେଳିବେ। ନାଗପୁର ଟେଷ୍ଟ୍ରେ ବିଫଳ ରହିଥିବା ପୂଜାରା ତାଙ୍କର ଶତକୀୟ ମ୍ୟାଚ୍ଟିକୁ ସ୍ମରଣୀୟ କରିବା ସକାଶେ ଉଦ୍ୟମ କରିବେ । ପୂଜାରା ମଜଭୁତ ଇନିଂସ ଖେଳିପାରିଲେ, ଘରୋଇ ଦଳର ଟପ୍ ଅର୍ଡର୍ ମଜଭୁତ ପ୍ରଦର୍ଶନରେ ସଫଳ ହେବ ।
କାରଣ ଗତ ନାଗପୁର ଟେଷ୍ଟ୍ରେ କେବଳ ଅଧିନାୟକ ରୋହିତ ଶର୍ମାଙ୍କୁ ବାଦ୍ ଦେଲେ, ଅନ୍ୟ କେହି ବି ଟପ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲୀୟ ବୋଲରଙ୍କ ଉପଯୁକ୍ତ ମୁକାବିଲା କରିପାରି ନ ଥିଲେ । ନାଗପୁର ପିଚ୍ ସ୍ପିନର୍ମାନଙ୍କ ପାଇଁ ଭୂସ୍ୱର୍ଗ ସାବ୍ୟସ୍ତ ହୋଇଥିବାରୁ ରୋହିତଙ୍କ ଶତକ ନିଶ୍ଚିତ ଭାବେ ଏକ ବ୍ୟତିକ୍ରମ ଥିଲା । କିନ୍ତୁ ଅନ୍ୟତମ ଓପନର ଲୋକେଶ ରାହୁଲ୍ ଓ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ନିରାଶ କରିଥିଲେ । ଲଗାତାର ଫେଲ୍ ମାରୁଥିବା ରାହୁଲ୍ଙ୍କ ପାଇଁ ଜେଟ୍ଲୀ ଷ୍ଟାଡିୟମ୍ ଅଗ୍ନିପରୀକ୍ଷା ସଦୃଶ ହେବ । କାରଣ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ କ୍ରମାଗତ ବିଫଳ ହୋଇଚାଲିଛନ୍ତି । ଏହି କାରଣରୁ ୪୬ଟି ଟେଷ୍ଟ୍ ଖେଳିସାରିବା ପରେ ବି ତାଙ୍କର ଆଭରେଜ୍ ୩୪ରୁ ବି କମ୍ ରହିଛି ।
ନାଗପୁର ଟେଷ୍ଟ୍ର ବିଫଳତା ପରେ ଟିମ୍ ଇଣ୍ଡିଆ ମ୍ୟାନେଜ୍ମେଣ୍ଟ୍ ତାଙ୍କୁ ଏଠାରେ ଆଉ ଏକ ସୁଯୋଗ ଦେବା ନିଶ୍ଚିତ । କିନ୍ତୁ ଦଳରେ ରହିବାକୁ ହେଲେ ତାଙ୍କୁ ଦ୍ୱିତୀୟ ଟେଷ୍ଟ୍ରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ନଚେତ୍ ଅନ୍ତିମ ଦୁଇଟି ଟେଷ୍ଟ୍ ସକାଶେ ଦଳ ଘୋଷଣା ବେଳେ ଚୟନ କମିଟି ତାଙ୍କଠାରୁ ମୁହଁ ଫେରାଇନେବା ଅସମ୍ଭବ ନୁହେଁ । କିନ୍ତୁ ଏଠାକାର ପିଚ୍ ସ୍ପିନର୍ଙ୍କୁ ସୁହାଇବାକୁ ଥିବାରୁ ଭାରତୀୟ ଦଳର ଟପ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ଙ୍କୁ ସଫଳତା ପାଇଁ ଅଧିନାୟକ ରୋହିତଙ୍କୁ ଅନୁସରଣ କରିବାର ଆବଶ୍ୟକତା ରହିଛି । କିନ୍ତୁ ଭାରତୀୟ ବୋଲରଙ୍କ ପାଇଁ ଏହା ଏକ ସୁଖଦ ଖବର । ପ୍ରଥମ ଟେଷ୍ଟ୍ରେ ଭାରତର ବୋଲିଂ ଲାଇନ୍ ମୁଖ୍ୟତଃ ସ୍ପିନର୍ଙ୍କ ଉପରେ ନିର୍ଭରଶୀଳ ରହିଥିଲା ଏବଂ ଭେଟେରାନ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ୫ ମାସ ପରେ ପ୍ରତ୍ୟାବର୍ତ୍ତନ କରିଥିବା ରବୀନ୍ଦ୍ର ଜାଡେଜା ଯଥାକ୍ରମେ ଦ୍ୱିତୀୟ ଓ ପ୍ରଥମ ଇନିଂସରେ ୫ଟି ଲେଖାଏଁ ୱିକେଟ୍ ନେଇ ରୋହିତଙ୍କ ପାଇଁ ବିଜୟ ବେଶ୍ ସହଜ କରିଦେଇଥିଲେ ।
ଜାଡେଜା ଉଭୟ ବ୍ୟାଟ୍ ଆଉ ବଲ୍ରେ ଚମକ ଦେଖାଇ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହାଛଡ଼ା ଦଳରେ ସାମିଲ୍ ଥିବା ତୃତୀୟ ସ୍ପିନର୍ ଅକ୍ଷର ପଟେଲ୍ ଯଦିଓ ବୋଲିଂରେ ସେତେଟା ସଫଳତା ପାଇ ନ ଥିଲେ, କିନ୍ତୁ ବ୍ୟାଟିଂରେ ସ୍କୋର୍କୁ ୪୦୦ରେ ପହଞ୍ଚାଇ ଭାରତକୁ ବୃହତ୍ ଅଗ୍ରଣୀ ଦେଇଥିଲେ । ତେବେ ଦଳର ବ୍ୟାଟିଂ ଲାଇନ୍କୁ ଅଧିକ ମଜଭୁତ କରିବା ସକାଶେ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ନିକଟରେ ଫିଟ୍ନେସ୍ ସାବ୍ୟସ୍ତ କରିଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଶେଷକରି ଡେବ୍ୟୁ ଟେଷ୍ଟ୍ରେ ସୂର୍ଯ୍ୟକୁମାର ଯାଦବ କୌଣସି କରିସ୍ମା ଦେଖାଇପାରି ନ ଥିବାରୁ ଏହା ଶ୍ରେୟସ୍ଙ୍କ ପାଇଁ ଚୂଡ଼ାନ୍ତ ଏକାଦଶକୁ ଫେରିବା ଦିଗରେ ସହାୟକ ହେବ ।
କିନ୍ତୁ ଗତ ମାସକ ଭିତରେ ଶ୍ରେୟସ୍ କୌଣସି ମ୍ୟାଚ୍ ଖେଳି ନ ଥିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ତା’ଛଡ଼ା ଋଷଭ ପନ୍ତ୍ଙ୍କ ଅନୁପସ୍ଥିତିରେ ଦଳ ପାଇଁ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାର ଦକ୍ଷତା ରଖନ୍ତି, ଏହା ମଧ୍ୟ ଦ୍ରାବିଡ ଭୁଲିବେ ନାହିଁ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଁ ତାରକା ଓପନର ଡେଭିଡ୍ ୱାର୍ଣ୍ଣର୍ଙ୍କ ଦୁର୍ବଳ ଫର୍ମ ମୁଖ୍ୟ ଚିନ୍ତାର କାରଣ ହୋଇଛି । ନାଗପୁର ଟେଷ୍ଟ୍ରେ ଜୀବନଦାନ ପାଇବା ସତ୍ତ୍ୱେ ଏହି ବାମହାତୀ ଓପନର ଜଣକ ସଫଳ ହୋଇପାରି ନ ଥିଲେ । ତେଣୁ ଏଠାରେ ସେ ଦଳର ମୂଳଦୁଆ ସୁଦୃଢ଼ କରିବା ସକାଶେ ୱାର୍ଣ୍ଣର୍ ଉଦ୍ୟମ କରିବେ । ଏଠାକାର ପିଚ୍ ସ୍ପିନର୍ଙ୍କୁ ସୁହାଇବାକୁ ଥିବାରୁ ଅଧିନାୟକ ପ୍ୟାଟ୍ କମିନ୍ସ ଚୂଡ଼ାନ୍ତ ଏକାଦଶରେ ୩ ଜଣ ସ୍ପେଶାଲିଷ୍ଟ୍ ସ୍ପିନର୍ଙ୍କୁ ନେଇପାରନ୍ତି ।
ତା’ଛଡ଼ା ତାରକା ପେସର୍ ମିଚେଲ୍ ଷ୍ଟାର୍କଙ୍କୁ ନାଗପୁର ଟେଷ୍ଟ୍ରେ ଦଳ ମିସ୍ କରିଥିବାରୁ ଏଠାରେ ସେ ଦଳକୁ ଫେରିଲେ ଅଷ୍ଟ୍ରେଲିଆ ବୋଲିଂ ଲାଇନ୍ଅପ୍ ବେଶ୍ ସଶକ୍ତ ହୋଇପାରିବ । ପିଚ୍ ପେସର୍ଙ୍କୁ ସୁହାଇବାକୁ ନ ଥିଲେ ମଧ୍ୟ ଷ୍ଟାର୍କ ତାଙ୍କ ଅଭିଜ୍ଞତାର ଉପଯୋଗ ପୂର୍ବକ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ସମସ୍ୟାରେ ପକାଇବାର ଦକ୍ଷତା ରଖନ୍ତି । ସେହିପରି ପ୍ରଥମ ଟେଷ୍ଟ୍ରେ ଉଭୟ ଇନିଂସ ବିଫଳ ରହିଥିବା ପିଟର୍ ହ୍ୟାଣ୍ଡ୍ସକମ୍ବଙ୍କ ସ୍ଥାନରେ କମିନ୍ସ ଅଲ୍ରାଉଣ୍ଡର୍ କାମେରନ୍ ଗ୍ରୀନ୍ଙ୍କୁ ସାମିଲ୍ କରିପାରନ୍ତି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ, ସିରିଜ୍ ବଞ୍ଚାଇବା ପାଇଁ ଅଷ୍ଟ୍ରେଲିଆକୁ କିଛି ଚମତ୍କାର କରି ଦେଖାଇବାକୁ ପଡ଼ିବ ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ଶ୍ରେୟସ୍ ଆୟର୍, ରବୀନ୍ଦ୍ର ଜାଡେଜା, କେଏସ୍ ଭରତ (ୱିକେଟ୍କିପର୍), ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଷର ପଟେଲ୍, ମହମ୍ମଦ ଶମି ଓ ମହମ୍ମଦ ସିରାଜ୍ ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ୍ ୱାର୍ଣ୍ଣର୍, ଉସମାନ୍ ଖୱାଜା, ମାର୍ନସ୍ ଲାବୁଶେନ୍, ଷ୍ଟିଭେନ୍ ସ୍ମିଥ୍, ପିଟର୍ ହ୍ୟାଣ୍ଡ୍ସକମ୍ବ୍, ମ୍ୟାଟ୍ ରେନ୍ଶ’/କାମେରନ୍ ଗ୍ରୀନ୍, ଆଲେକ୍ସ କ୍ୟାରୀ (ୱିକେଟ୍କିପର୍), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ୍ ଷ୍ଟାର୍କ, ଟଡ୍ ମର୍ଫି ଓ ନାଥନ୍ ଲିଅନ୍ ।