ତିରୁବନନ୍ତପୁରମ୍: ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗ-ନିରପେକ୍ଷତାର ପ୍ରସାର ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ‘କେରଳ ଷ୍ଟେଟ୍ କମିସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ୍ ରାଇଟ୍ସ୍’ (କେଏସ୍ସିପିସିଆର୍) ରାଜ୍ୟରେ ଥିବା ସ୍କୁଲ୍ଗୁଡ଼ିକୁ ନିର୍ଦେଶ ଦେଇଛନ୍ତି ଯେ, ‘ସାର୍’ ଅଥବା ‘ମାଡାମ୍’ ପରିବର୍ତ୍ତେ ସ୍କୁଲ୍ ଟିଚର୍ମାନଙ୍କୁ (ଶିକ୍ଷକ) ‘ଟିଚର୍’ ବୋଲି ସମ୍ବୋଧନ କରାଯାଉ।
ଲିଙ୍ଗ ଅନୁସାରେ ଶିକ୍ଷକଙ୍କୁ ‘ସାର୍’ ଅଥବା ‘ମାଡାମ୍’ ସମ୍ବୋଧନ କରିବା ଯୋଗୁଁ ସୃଷ୍ଟି ହେଉଥିବା ବୈଷମ୍ୟର ଅବସାନ ଘଟାଇବା ଲାଗି ଜଣେ ବ୍ୟକ୍ତି ଫାଇଲ୍ କରିଥିବା ଆବେଦନର ବିଚାର କରି ‘ଶିଶୁ ଅଧିକାର ପାନେଲ୍’ ଏହି ନିର୍ଦେଶନାମା ଜାରି କରିଛନ୍ତି।
ରାଜ୍ୟରେ ଥିବା ସମସ୍ତ ସ୍କୁଲ୍ଗୁଡ଼ିକରେ ‘ଟିଚର୍’ ସମ୍ବୋଧନ ଲାଗୁ କରିବା ପାଇଁ ନିର୍ଦେଶ ଦେବାକୁ ପାନେଲ୍ ଅଧ୍ୟକ୍ଷ କେ. ଭି. ମନୋଜ କୁମାର ଏବଂ ସଦସ୍ୟ ସି. ବିଜୟକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ ସାଧାରଣ ଶିକ୍ଷା ବିଭାଗକୁ ଆଦେଶ ଦେଇଛନ୍ତି।
କମିସନ୍ ମତ ଦେଇଛନ୍ତି ଯେ, ‘ସାର୍’ ଅଥବା ‘ମ୍ୟାଡାମ୍’ ପରିବର୍ତ୍ତେ ‘ଟିଚର୍’ ଡାକିବାଦ୍ବାରା ସମସ୍ତ ସ୍କୁଲ୍ର ସବୁ ପିଲାଙ୍କ ମଧ୍ୟରେ ସମାନତା ବଜାୟ ରଖାଯାଇ ପାରିବ ଏବଂ ଶିକ୍ଷକମାନଙ୍କ ନିବିଡ଼ତାକୁ ବୃଦ୍ଧି କରିବ।