29.1 C
Bhubaneswar
Thursday, April 25, 2024
Homeଓଡିଶାନବମୀ ପୂଜାରେ ମା’ଙ୍କ ପୀଠରେ ହୋଇଥାଏ ମାଛ ଭୋଗ

ନବମୀ ପୂଜାରେ ମା’ଙ୍କ ପୀଠରେ ହୋଇଥାଏ ମାଛ ଭୋଗ

ଭୁବନେଶ୍ୱର : ମହାସ୍ନାନ ବିଧି ସମ୍ପନ୍ନ ପରେ ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ନବମୀରେ ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି । ଦଶମୀରେ  ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ କରିଥାନ୍ତି । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।

ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking