ଭୁବନେଶ୍ୱର : ରାଜଧାନୀରେ ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । କ୍ୟାପିଟାଲ୍ ହସ୍ପିଟାଲ୍ ପ୍ରସୂତୀ ୱାର୍ଡ ସମ୍ମୁଖରେ ପ୍ରସବ କଲେ ପ୍ରସୂତି। ଦେଖାଦେଲା ପ୍ରବଳ ଉତ୍ତେଜନା । ପ୍ରସୂତିଙ୍କ ପରିବାର ଲୋକ କଲେ ହୋ-ହଲ୍ଲା । ପ୍ରସୂତୀ ଜଣକ ଲେବର ରୁମ୍ ବାହାରେ ପ୍ରସବ କରିବାରୁ ଉତ୍ତେଜନା ଦେଖାଦେଇଛି । ପ୍ରସୂତୀଙ୍କୁ ଲେବର ରୁମ୍କୁ ନେବାରେ ବିଳମ୍ବ ହେବାରୁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ତାଙ୍କ ସହ ଆସିଥିବା ଆଶାକର୍ମୀ । ଆଶାକର୍ମୀ ଜଣକ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥାର ପ୍ରମାଣ ରଖିବା ପାଇଁ ମୋବାଇଲ୍ରେ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ହଠାତ୍ ଧାଇଁ ଆସିଲେ ହସ୍ପିଟାଲରେ ମୁତୟନ ଥିବା ସୁରକ୍ଷା କର୍ମଚାରୀ । ଆଉ ସାଙ୍ଗେ ସାଙ୍ଗେ ଝାମ୍ପିନେଲେ ଆଶା କର୍ମୀଙ୍କ ମୋବାଇଲ । ଆଉ ଏଭଳି ଅବ୍ୟବସ୍ଥାର ଫଟୋ ଉଠାଇବା ପାଇଁ ଆଶାକର୍ମୀଙ୍କୁ ବାରଣ କଲେ ।