ଜୟପୁର : ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ ହେଉଛି ଭାରତ । ଏଠରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ । ହେଲେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି । ଏହି ରାଜ୍ୟର ସାଂସ୍କୃତିକ ଏବଂ ସାମାଜିକ ବିବିଧତା ମଧ୍ୟ ଆଶ୍ଚର୍ଯ୍ୟଜନକ । ଏଠାରେ ଏମିତି କିଛି ରୀତିନୀତି ପ୍ରଚଳିତ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସବୁ ପରେ ବି ଆମେ ଜାଣିଛନ୍ତି ଭାରତରେ ବିବାହ ବନ୍ଧନକୁ ଅବିସ୍ମରଣୀୟ ଏବଂ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ । କିନ୍ତୁ ଜାଣନ୍ତି କି ରାଜସ୍ଥାନରେ ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଅନୁମତି ଦିଆଯାଇଛି । ଆଉ ଏହାକୁ ମଧ୍ୟ ସମସ୍ତେ ଗ୍ରହଣ କରିନିଅନ୍ତି । ସମସ୍ତ ପକ୍ଷଙ୍କ ସହମତିରେ, ବ୍ୟକ୍ତି ଦ୍ୱିତୀୟ ବିବାହ କରିଥା’ନ୍ତି ।
ରାଜସ୍ଥାନର ବାରମର ଜିଲାରେ ଏକ ଗାଁ ଅଛି, ଯେଉଁଠାରେ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଲାଇସେନ୍ସ ପାଇଥା’ନ୍ତି । ଏହି ଗାଁର ନାମ ହେଉଛି ଡେରାସର । ଏହି ବାରମର ଗାଁଟି ମରୁଭୂମି ଅଞ୍ଚଳରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ । ବାରମର ଜିଲାର ଅଧିକାଂଶ ଅଞ୍ଚଳ ମରୁଭୂମି ପୂର୍ଣ୍ଣ । ଏଠାରେ ଥିବା ଗାଁ ଗୁଡ଼ିକରେ ଜଳର ଅଭାବ ଦେଖାଦେଇଥାଏ । ଗ୍ରୀଷ୍ମ ଋତୁରେ, ଏଠାକାର ପରିସ୍ଥିତି ଏତେ ଖରାପ ହୋଇଯାଏ ଯେ କହିଲେ ନ ସରେ । ହେଲେ ଡେରାସର ଗାଁରେ ମହିଳାମାନେ ସାଧାରଣତଃ ପାଣି ଆଣିବା କାମ କରନ୍ତି । ଏଥିପାଇଁ ସେମାନଙ୍କୁ ନିଜ ଘରଠାରୁ ବହୁତ ଦୂରରେ ଯିବାକୁ ପଡ଼ିଥାଏ ।
ଏପରି ପରିସ୍ଥିତିରେ, ଯେତେବେଳେ ମହିଳାମାନେ ଗର୍ଭବତୀ ହୁଅନ୍ତି, ସେମାନଙ୍କ ପକ୍ଷେ ପାଣି ଆଣିବା ସମ୍ଭବ ନୁହେଁ । ତେଣୁ ଏହି ସମସ୍ୟାର ମୁକାବିଲା ପାଇଁ ପୁରୁଷମାନେ ଦ୍ୱିତୀୟ ବିବାହ କରିଥା’ ନ୍ତି । ସେଥିପାଇଁ ଜଣେ ବିବାହିତ ପୁରୁଷ ତାଙ୍କ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ଦ୍ୱିତୀୟ ଥର ବିବାହ କରନ୍ତି । ଫଳରେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ ବିଶ୍ରାମ ପାଇବାର ସୁଯୋଗ ପାଇଥାନ୍ତି । ଦ୍ୱିତୀୟ ସ୍ତ୍ରୀ ଘରର ଦୈନନ୍ଦିନ କାମ ସହ ପାଣି ଆଣିବା ପାଇଁ ଦୂରକୁ ଯାଇଥା’ନ୍ତି ।