28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ୮ ଦିନିଆ ରିମାଣ୍ଡରେ ଗଲେ ଇମ୍ରାନ

୮ ଦିନିଆ ରିମାଣ୍ଡରେ ଗଲେ ଇମ୍ରାନ

ଇସଲାମାବାଦ : ଏକ ଜାଲିଆତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନ୍ୟାସନାଲ ଆକାଉଣ୍ଟାବିଲିଟୀ (ନ୍ୟାବ୍‌) ୮ ଦିନିଆ ରିମାଣ୍ଡରେ ନେଇଛି । ଇମ୍ରାନଙ୍କୁ ବୁଧବାର ଇସଲାମାବାଦର ଏକ ଅଦାଲତରେ ହାଜର କରାଯାଇଥିଲା । ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ଜେରା କରିବାକୁ ନ୍ୟାବ୍ ୧୦ ଦିନିଆ ରିମାଣ୍ଡ ଦାବି କରିଥିବାବେଳେ ବିଚାରପତି କେବଳ ୮ ଦିନ ପାଇଁ ଅନୁମତି ଦେଇଛନ୍ତି । ଚଳିତମାସ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ମଙ୍ଗଳବାର ଏକ ମାମଲାରେ ହାଜର ହୋଇଥିବାବେଳେ ଇମ୍ରାନଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା ।

ଏହାପରେ ଇମ୍ରାନ ସମର୍ଥକମାନେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଓ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ ନିରାପତ୍ତାରକ୍ଷୀମାନେ ଇମ୍ରାନଙ୍କୁ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ । ତେବେ ସେଠାରେ ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିଲା ବୋଲି ଇମ୍ରାନ ଅଭିଯୋଗ କରିଛନ୍ତି । ଏପରିକି ଶୌଚ ହେବାକୁ ବାଥ୍‌ରୁମ ଯିବାକୁ ମଧ୍ୟ ତାଙ୍କୁ କୁଆଡେ ଅନୁମତି ମିଳିନଥିବା ଇମ୍ରାନ କହିଛନ୍ତି । ଅପରପକ୍ଷରେ ମୃଦୁ ହୃଦଘାତ ପାଇଁ ତାଙ୍କୁ ଇଞ୍ଜେକ୍‌ସନ ଦିଆଯାଇଥିବା ଇମ୍ରାନ ଗୁରୁତର ଅଭିଯୋଗ କରିଛନ୍ତି । ଇମ୍ରାନଙ୍କ ନେତୃତ୍ୱାଧୀନ ପିଟିଆଇ (ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌) ଦଳର ସମର୍ଥକମାନେ ଦେଶବ୍ୟାପୀ ହିଂସା ଘଟାଇଛନ୍ତି ।

ସେମାନେ ରାୱଲପିଣ୍ଡି ଓ ଲାହୋରସ୍ଥିତ ମିଲିଟାରୀ କାର୍ଯ୍ୟାଳୟ ଉପରେ ଚଢଉ କରିଥିବାବେଳେ ସାଧାରଣ ସମ୍ପତ୍ତି ପୋଡି ଦେଇଛନ୍ତି । ପାକିସ୍ତାନ ପୁଲିସ ବୁଧବାର ସୁଦ୍ଧା କେବଳ ପଞ୍ଜାବ ପ୍ରଦେଶରୁ ଇମ୍ରାନଙ୍କ ୧ ହଜାର ସମର୍ଥକଙ୍କୁ ଗିରଫ କରିଥିବା ଜଣାପଡିଛି । ହିଂସାରେ ୧୩୦ ଅଫିସର ଓ ଶତାଧିକ ସାଧାରଣ ଜନତା ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଇସଲାମାବାଦ ସମେତ ପ୍ରମୁଖ ସହରରେ ସେନା ଯବାନଙ୍କ ଫ୍ଲାଗମାର୍ଚ୍ଚ ଚାରି ରହିଛି ।

ସୂଚନାଯୋଗ୍ୟ ଇମ୍ରାନ ୨୦୧୮ ଅଗଷ୍ଟ ୧୮ରୁ ୨୦୨୨ ଏପ୍ରିଲ ୧୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୨୨ରେ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହେବାପରଠାରୁ ଇମ୍ରାନ ନିୟମିତଭାବେ ରାଜନେତା, ସେନା ଅଧିକାରୀ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କୁ ଟାର୍ଗେଟ କରି ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଛନ୍ତି । ଫଳରେ ଏପର୍ଯ୍ୟନ୍ତ ବିଭିନ୍ନ ଅଦାଲତରେ ତାଙ୍କ ବିରୋଧରେ ମୋଟ ୧୨୧ଟି ମାମଲା ରୁଜୁ ହୋଇସାରିଛି ।

ତୋଷଖାନା ମାମଲାରେ ଇମ୍ରାନ ଦୋଷୀସାବ୍ୟସ୍ତ

ଗିରଫ ହେବାର ଦିନକ ପରେ ଅର୍ଥାତ ବୁଧବାର ପାକିସ୍ତାନର ଏକ ଅଦାଲତ ତୋଷଖାନା ମାମଲାରେ ଇମ୍ରାନଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଥିବାବେଳେ ଇମ୍ରାନ ଏକାଧିକ ରାଷ୍ଟ୍ର ଗସ୍ତ କରିଥିଲେ । ଏହି ଅବସରରେ ସଂପୃକ୍ତ ରାଷ୍ଟ୍ରମୁଖ୍ୟମାନେ ତାଙ୍କୁ ଦାମୀ ଉପହାର ପ୍ରଦାନ କରିଥିଲେ । ନିୟମ ଅନୁଯାୟୀ ଏହି ଉପହାରଗୁଡିକ ରାଜକୋଷରେ ରହିବା ଜରୁରୀ । ତେବେ ଇମ୍ରାନ ଏଥିମଧ୍ୟରୁ ଅଧିକାଂଶ ଉପହାର ବିକ୍ରି କରିଦେଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ୧୯୭୪ରେ ପାକିସ୍ତାନ ସରକାର କ୍ୟାବିନେଟ୍ ଅଧୀନରେ ତୋଷଖାନା ବିଭାଗ ସ୍ଥାପନ କରିଥିଲେ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଂସଦ ଓ ବରିଷ୍ଠ ସରକାରୀ ଅଫିସରଙ୍କୁ ବିଦେଶ ଗସ୍ତ ସମୟରେ ମିଳୁଥିବା ଉପହାରଗୁଡିକ ତୋଷଖାନାରେ ରହିବାର ବନ୍ଦୋବସ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking