28.3 C
Bhubaneswar
Tuesday, May 20, 2025
Homeଦେଶ ବିଦେଶଚୀନ୍‌ରୁ ଆମଦାନି ହେଉଛି ନର୍ଦ୍ଦମା ପାଣି ଓ ମଳମୂତ୍ର ଖତରେ ଚାଷ ହେଉଥିବା ରସୁଣ; ତଦନ୍ତ...

ଚୀନ୍‌ରୁ ଆମଦାନି ହେଉଛି ନର୍ଦ୍ଦମା ପାଣି ଓ ମଳମୂତ୍ର ଖତରେ ଚାଷ ହେଉଥିବା ରସୁଣ; ତଦନ୍ତ ଦାବି କଲେ ଆମେରିକା ସିନେଟର୍‌

ଟାଲାହାସି : ଚୀନ୍‌ରୁ ଆମଦାନି କରାଯାଉଥିବା ରସୁଣର ସ୍ବାସ୍ଥ୍ୟପ୍ରତି ବିପଦ ମୁକ୍ତ କି, ନୁହେଁ, ତାହା ଉପରେ ତଦନ୍ତ କରିବା ଲାଗି ଆମେରିକା ଅନ୍ତର୍ଗତ ଫ୍ଲୋରିଡାର ସିନେଟର୍‌ ରିକ୍‌ ସ୍କଟ୍‌ ‘ଫେଡେରାଲ୍‌ ରେଗୁଲେଟର୍‌’ଙ୍କୁ କହିଛନ୍ତି। ତାଙ୍କର ସନ୍ଦେହ ହୋଇଛି କି, ନର୍ଦ୍ଦମା ଆବର୍ଜନାଦ୍ବାରା ସଂକ୍ରମଣ ସମ୍ଭାବନା ଥିବା ଅଞ୍ଚଳରେ ଉକ୍ତ ରସୁଣ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ଚାଷ କରାଯାଉଛି। ବାଣିଜ୍ୟ ସଚିବ ଜିନା ରାଇମଣ୍ଡୋଙ୍କୁ ଲେଖିଥିବା ଚିଠିରେ ସ୍କଟ୍‌ ୧୯୬୨ ମସିହାରେ ପ୍ରଣିତ ‘ବାଣିଜ୍ୟ ସମ୍ପ୍ରସାରଣ ଆଇନ’ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଆମଦାନି କରାଯାଉଥିବା କେତେକ ସାମଗ୍ରୀ ଜାତୀୟ ନିରାପତ୍ତା ନିମନ୍ତେ କ୍ଷତିକାରକ ବୋଲି ମନେ ହେଲେ ,ଏହି ଆଇନ ବଳରେ ସେ ସବୁର ତଦନ୍ତ କରାଯାଇ ପାରିବ। ଚୀନ୍‌ରେ କେତେକ ରସୁଣ ଚାଷୀ ସାର ଭାବେ ମନୁଷ୍ୟ ମଳ ଓ ନର୍ଦ୍ଦମା ଖତ ଆଦି ବ୍ୟବହାର କରୁଛନ୍ତି ବୋଲି ହେଉଥିବା ଅଭି‌ଯୋଗକୁ ଭିତ୍ତି କରି ସିନେଟର୍‌ ସ୍କଟ୍‌ ଏଭଳି ଆପତ୍ତି କରିଛନ୍ତି। ଏ ଘଟଣା ନୂଆ ନ ହୋଇଥିଲେ ବି ଏହାଦ୍ବାରା ଅମଳ କରାଯାଉଥିବା ରସୁଣର ସ୍ବାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ବିଷୟରେ ସନ୍ଦେହ ସୃଷ୍ଟି କରିଛି। ଏହାଛଡ଼ା, ରସୁଣକୁ ଚକଚକିଆ ଧଳା କରିବା ପାଇଁ ସେମାନେ ‘ବ୍ଲିଚ୍‌’ ବା ‘କ୍ଷାର’ ବ୍ୟବହାର କରୁଛନ୍ତି, ଯାହାଦ୍ବାରା ରସୁଣ ପରିଷ୍କାର ଦିଶୁଛି। ଗଣମାଧ୍ୟମ ‘ବିବିସି’ ରିପୋର୍ଟ କରିଛି ଯେ, ଚୀନ୍‌ ହେଉଛି ବିଶ୍ବରେ ବୃହତ୍ତମ ତଟକା ଓ ଶୀତଳିକୃତ ରସୁଣ ରପ୍ତାନିକାରୀ ଏବଂ ଆମେରିକା ହେଉଛି ତା’ର ପ୍ରମୁଖ ଆମଦାନିକାରୀ। କିନ୍ତୁ, ରସୁଣ ବ୍ୟବସାୟକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking