28.1 C
Bhubaneswar
Monday, July 1, 2024
Homeଓଡିଶାପଶ୍ଚିମା ଝଡ଼ ପ୍ରଭାବ: ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ପଶ୍ଚିମା ଝଡ଼ ପ୍ରଭାବ: ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା । ଦୀର୍ଘ ଦିନର ଗ୍ରୀଷ୍ଣ ପ୍ରବାହ ପରେ ଆଜି ଥଣ୍ଡା ପଡ଼ିଛି ଉତ୍ତର ଓଡ଼ିଶାର ବାଲେଶ୍ୱର,ମୟୂରଭଞ୍ଜ, ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ବଲପୁରର ଓ ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ । ଏସବୁ ଜିଲ୍ଲାର ସ୍ଥାନେ ସ୍ଥାନେ ଆଜି ପବନ ଓ ଘଡ଼ଘଡ଼ି ସହ ଭଲ ବର୍ଷା ହୋଇଛି । ବାଲେଶ୍ୱର ସହରରେ ଆଜି ଆକାଶରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ କିଛି ସମୟ ଧରି ବର୍ଷା ଲାଗି ରହିଥିଲା । ପବନ ଓ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ବି ହୋଇଥିଲା । ସେହିଭଳି ନୀଳଗିରିରେ ମଧ୍ୟ ମୂଷଳ ଧାରାରେ ଘଣ୍ଟାଏ ଧରି ବର୍ଷା ଛେଚିଥିଲା । ଏହି ସମୟରେ ବଜ୍ରାଘାତରେ ନୀଳଗିରି ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗାଁରେ ଏକ ଭଙ୍ଗାଘରେ ଆଶ୍ରୟ ନେଇଥିବା ୧୩ଟି ଗୋରୁ ପ୍ରାଣ ହରଇଛନ୍ତି ।

ସେପଟେ ରାୟଗଡ଼ାରେ ବର୍ଷା ସାଙ୍ଗକୁ ଝଡତୋଫାନ ଦେଖିବାକୁ ମିଳିଥିଲା । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପ୍ରବଳ କୁଆପଥର ବର୍ଷା ହୋଇଛି । ଏଠାରେ ରାସ୍ତା ଓ ସମତଳ ଭୂମିରେ ପଡ଼ିଥିବା କୁଆପଥର କାଶ୍ମୀରରେ ବରଫ ଝଡ଼ର ଭ୍ରମ ସୃଷ୍ଟି କରିଛି । ସେପଟେ ଝଡତୋଫାନରେ କିଛି ଆଜବେଷ୍ଟସ ଘର ଛାଉଣୀ ଉଡିବା ସହ ଦୁଇ ଜଣ ମହିଳା ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ବିଶେଷ ଭାବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପବନ ସହ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ହୋଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା-ଝଡ଼ ପ୍ରଭାବରେ ବିଜୁଳି ଘଡଘଡି ସହ ଲାଗିରହିଛି ଝଡ ପବନ ଏବଂ ମେଘ ସମୂହ ଏକତ୍ରିତ ହୋଇ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ବେଗରେ ଦକ୍ଷିଣ ପଶ୍ଚିମରୁ ଉତ୍ତର -ପୂର୍ବ ଦିଗକୁ ଗତିକରୁଛି । ତେବେ ବଲାଙ୍ଗୀରରେ ବର୍ଷା ସହ ପବନର ବେଗ ୫୭ କିମି ରହିଥିବା ବେଳେ ସମ୍ବଲପୁର ଚିପିଲିମାରେ ୮୦ କିମି ଓ ମୟୂରଭଞ୍ଜରେ ପବନର ବେଗ ଘଣ୍ଟା ପ୍ରତି ୮୧ କିମି ରହିଥିଲା ।

ଅନ୍ୟପଟେ କେତେକ ସ୍ଥାନରେ ଅପରାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଅଦିନିଆ ବର୍ଷା ଓ ବଜ୍ରପାତ କାରଣରୁ କୌଣସି କ୍ଷୟକ୍ଷତି ସଂପର୍କିତ ହସ୍ତଗତ ହୋଇନାହିଁ । ବରଂ ବର୍ଷା ଯୋଗୁଁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ବାଲେଶ୍ୱର ଜିଲ୍ଲାରେ ଅପରାହ୍ଣ ସମୟରେ ବଜ୍ରପାତ ସହ କୁଆ ପଥର ବର୍ଷା ମଧ୍ୟ ହୋଇଛି । ମୟୂରଭଞ୍ଜର ବାରିପଦାରେ ପ୍ରବଳ ପବନ ଘଡଘଡି ସହ ମୁଷଳଧାରାରେ ବର୍ଷା ରେକର୍ଡ କରାଯାଇଛି । ଭଦ୍ରକରେ ମଧ୍ୟମ ଧରଣର ବର୍ଷା ହୋଇଛି । ଜୟପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇଯାଇଛି । ନବରଙ୍ଗପୁର, ଚନ୍ଦାହାଣ୍ଡି ଓ ଝରିଗାଁରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ବିଗତ ତିନି ଦିନ ହେଲା, ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ଆକାଶ ମେଘୁଆ ଦେଖାଯିବା ସହିତ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିନାହିଁ । ଆଜି କିଛି ସ୍ଥାନରେ ବର୍ଷା ହୋଇଥିବାରୁ ତାପମାତ୍ରା ହ୍ରାସ ପାଇଛି । ସେପଟେ ରାଜଧାନୀ ଭୁବନେଶ୍ୱର ଏବଂ କଟକର ଆକାଶ ମେଘାଚ୍ଛନ ରହିଥିବା ବେଳେ ଆଜି ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିଲା । ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ
ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ପାଣିପାଗରେ ଆସିଛି ପରିବର୍ତ୍ତନ । ଏହା ପ୍ରଭାବରେ ରାଜ୍ୟର ଆଜି ବର୍ଷା ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷିବ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୯ ତାରିଖ ପାଇଁ କେତେକ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନଗୁଳ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପୁରୀ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ୨୦ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ଅନଗୁଳ ଜିଳ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking