16.1 C
Bhubaneswar
Friday, January 17, 2025
Homeଅପରାଧମାସକୁ ଦରମା ଆଠ ହଜାର ପାଞ୍ଚ ଶହ ହେଲେ ସମ୍ପତ୍ତି ଦେଖିଲେ ଆଖି ଟେରା

ମାସକୁ ଦରମା ଆଠ ହଜାର ପାଞ୍ଚ ଶହ ହେଲେ ସମ୍ପତ୍ତି ଦେଖିଲେ ଆଖି ଟେରା

ଭୁବନେଶ୍ୱର: ମାସକୁ ଦରମା ଆଠ ହଜାର ପାଞ୍ଚ ଶହ । ହେଲେ ସମ୍ପତ୍ତି ଦେଖିଲେ ଆଖି ଟେରା ହୋଇଯିବ । ଗୋଟିଏ କି ଦୁଇଟି ନୁହେଁ, ଟ୍ୱିନ୍‌ସିଟି ଭୁବନେଶ୍ୱର-କଟକରେ ଜିଆର୍‌ଏସ୍‌ଙ୍କର ୫୯ଟି ପ୍ଲଟ୍ ବାହାରିଛି । ସେଥିରୁ ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ୫୮ଟି ରହିଛି । ଯାହାର ମୂଲ୍ୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଭୁବନେଶ୍ୱର କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ୍ (ଗ୍ରାମ ରୋଜଗାର ସେବକ)ଙ୍କ ଏହି ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ କଳାରାହାଙ୍ଗ ଜିଆର୍‌ଏସ୍ ବାବୁଲି ଚରଣ ପଢ଼ିହାରୀଙ୍କ ବିଳାସପୂର୍ଣ୍ଣ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି । ବାବୁଲିଙ୍କ ଭୁବନେଶ୍ୱର ରଘୁନାଥପୁର ମାଉସୀ ମା’ ମନ୍ଦିର ନିକଟ ବାସଭବନ, ଅଫିସ୍ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଛି । ଏଥିରେ ଭିଜିଲାନ୍ସର ୩ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସିପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ୍ ଥିଲେ । ଚଢ଼ଉ ପରେ ତାଙ୍କର କୋଟିକୋଟିର ସମ୍ପତ୍ତି ଠାବ ହୋଇଛି । ଏହି ସମ୍ପତ୍ତି ମଧ୍ୟରେ ଟ୍ୱିନ୍‌ସିଟି ଭୁବନେଶ୍ୱର-କଟକରେ ସମୁଦାୟ ୫୯ଟି ପ୍ଲଟ୍ ବାହାରିଛି । ୫୮ଟି ପ୍ଲଟ୍ ଭୁବନେଶ୍ୱରରେ ଥିବାବେଳେ ଗୋଟିଏ କଟକ ଜିଲ୍ଲା ବାରଙ୍ଗ ବେଲଗଛିଆ ଅଞ୍ଚଳରେ ରହିଛି ।

ସେହିପରି ଭୁବନେଶ୍ୱର ରଘୁନାଥପୁର ମାଉସୀମା ମନ୍ଦିର ନିକଟ ପ୍ଲଟ୍ ନଂ-୧୪୬୮/୩୭୩୬ରେ ୧.୨୪ କୋଟିର ଗୋଟିଏ ୩ ମହଲା କୋଠା, ଦାଢ଼ାରେ ୩୨ଲକ୍ଷର ଏକ ଘର, କଳାରାହାଙ୍ଗ ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ୧୪ ଲକ୍ଷର ଗୋଟିଏ ଫ୍ଲାଟ୍‌, ରଘୁନାଥପୁରରେ ୧୪ ଲକ୍ଷର ଏକ ଘର ଠାବ ହୋଇଛି । ଏଥିସହ ୪.୯୮ ଲକ୍ଷର ଏକ ହୁଣ୍ଡାଇ କାର୍‌, ଗୋଟିଏ ଦୁଇଚକିଆ ମୋଟରଯାନ ରହିଛି । ସେହିପରି ସମୁଦାୟ ୮ ଲକ୍ଷ ୮୫ ହଜାର ଟଙ୍କାର ବ୍ୟାଙ୍କ ଜମା, ସୁନା ଓ ରୂପା ଗହଣା, ଘରୋଇ ଆସବାବପତ୍ର, ନଗଦ ଟଙ୍କା ଠାବ ହୋଇଛି । ଜଣେ ଜିଆର୍‌ଏସ୍‌ଙ୍କ ଏତେ ପରିମାଣର ସମ୍ପତ୍ତି ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଜିଆର୍‌ଏସ୍ ବାବୁଲି ୨୦୦୮ ମସିହା ମାର୍ଚ୍ଚ ୧ ତାରିଖରେ ଜିଆର୍‌ଏସ୍ ଭାବେ ଚାକିରୀରେ ଯୋଗ ଦେଇଥିଲେ । ସେ ୧୪ବର୍ଷ ଚାକିରୀ କାଳରେ ଅନେକ ସରକାରୀ ଟଙ୍କା ହଡ଼ପ କରିଥିଲେ । ଏଥିସହ ବିପୁଳ ପରିମାଣର ସମ୍ପତ୍ତି ହାତେଇଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଜଣେ ତଳିଆ ସରକାରୀ କର୍ମଚାରୀ ଏତେ ଟଙ୍କାର ସମ୍ପତ୍ତି କେମିତି ହାତେଇଲେ ସେନେଇ ଭିଜିଲାନ୍ସ ଖୋଳତାଡ୍ କରିଥିଲା । ପରେ ପ୍ରମାଣ ମିଳିବାରୁ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ସର୍ଚ୍ଚ ୱାରେଣ୍ଟ୍ ଜାରି କରିଥିଲେ । ଏହି ୱାରେଣ୍ଟ ବଳରେ ସୋମବାର ଚଢ଼ଉ ହୋଇଛି ।

ଏହିସବୁ ତାଙ୍କର ପୈତୃକ ସମ୍ପତ୍ତି ବୋଲି ଜିଆର୍‌ଏସ୍ ବାବୁଲି ଦାବି କରୁଛନ୍ତି । ତେଣୁ ବାବୁଲିଙ୍କ ଚାକିରୀ ପୂର୍ବରୁ କେଉଁ ପ୍ଲଟ୍ କିଣାଯାଇଛି, ଚାକିରୀ ପରେ ସେ କେତେଟା ପ୍ଲଟ୍ କିଣିଛନ୍ତି ଏବଂ କେତେଟା ଘର ତିଆରି କରିଛନ୍ତି, ଏହିସବୁ ଦିଗକୁ ନେଇ ଖୋଳତାଡ୍ ଚାଲିଛି । ଭିଜିଲାନ୍ସର ଟେକ୍ନିକାଲ ଟିମ୍ ସବୁ ଯାଞ୍ଚ କରୁଛନ୍ତି । ବାବୁଲିଙ୍କ ଆହୁରି ଧନ ସଂପତ୍ତି ଥିବା ସନ୍ଦେହରେ ଚଢ଼ଉ ଜାରି ରହିଛି । ଆକଳନ ଶେଷ ହୋଇନଥିବାରୁ ଆହୁରି ସମ୍ପତ୍ତି ମିଳିବ ବୋଲି ଅନୁମାନ କରାଯାଉଛି । ତେଣୁ ବାବୁଲିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମଙ୍ଗଳବାର ବାବୁଲିଙ୍କ କେତେ ବେଆଇନ ସମ୍ପତ୍ତି ତାହା ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking