ମାଉଣ୍ଟ୍ ମାଉଙ୍ଗାନୁଇ: ଶୁକ୍ରବାରଠାରୁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଆୟୋଜକ ନ୍ୟୁଜିଲାଣ୍ଡ୍କୁ ୩ ରନ୍ରେ ମାତ ଦେଇଛି ୱେଷ୍ଟ୍ଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ ପାଇ ଇଣ୍ଡିଜ୍ ୯ ୱିକେଟ୍ରେ ୨୫୯ ରନ୍ କରିବା ପରେ ନ୍ୟୁଜିଲାଣ୍ଡ୍ ୪୯.୫ ଓଭର୍ରେ ୨୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହି ମ୍ୟାଚ୍ରେ ଶେଷ ଓଭର୍ରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ୍ ମାତ୍ର ୬ ରନ୍ ଆବଶ୍ୟକ କରୁଥିଲେ ହେଁ ଅଲ୍ରାଉଣ୍ଡର୍ ଡିଣ୍ଡ୍ରା ଡଟ୍ଟିନ୍ ଚମତ୍କାର ବୋଲିଂ କରି ଇଣ୍ଡିଜ୍କୁ ବିଜୟୀ କରାଇଥିଲେ । ସେ ଦୁଇ ସେଟ୍ ବ୍ୟାଟ୍ସଓମ୍ୟାନ୍ କାଟେ ମାର୍ଟିନ୍ (୪୪) ଓ ଜେସ୍ କେର (୨୫)ଙ୍କୁ ଆଉଟ୍ କରିବା ସହ ଫ୍ରାନ୍ସ ଜୋନାସ୍ଙ୍କୁ ରନ୍ଆଉଟ୍ କରିଥିଲେ । ୧୬ଟି ଚୌକା ଓ ଗୋଟିଏ ଛକା ସହ ୧୧୯ ରନ୍ କରିଥିବା ଇଣ୍ଡିଜ୍ ଓପନର ହେଲି ମାଥ୍ୟୁସ୍ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ଇଣ୍ଡିଜ୍ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଚେଡିନ୍ ନେସନ୍ ୪ଟି ଚୌକା ସହ ୩୬, ଅଧିନାୟିକା ଷ୍ଟେଫାନି ଟେଲର୍ ୩ଟି ଚୌକା ସହ ୩୦ ଏବଂ ୱିକେଟ୍କିପର୍ ଶିମେନ୍ କ୍ୟାମ୍ପବେଲ୍ ୨ଟି ଚୌକା ସହ ୨୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ ଲିଆ ତାହୁହୁ ୩ଟି ଓ ଜେସ୍ ୨ଟି ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ପକ୍ଷରୁ ଓପନର ତଥା ଅଧିନାୟିକା ସୋଫି ଡିଭାଇନ୍ ୧୦ଟି ଚୌକା ସହ ଚମତ୍କାର ୧୦୮ ରନ୍ର ଇନିଂସ ଖେଳିଥିଲେ । ତା\’ଛଡ଼ା ଆମି ସାତରଥ୍ୱେଟ୍ ୩୧, ମାର୍ଟିନ୍ ୪ଟି ଚୌକା ସହ ୨୫ ଓ ଜେସ୍ ୩ଟି ଚୌକା ସହ ୨୫ ରନ୍ କରିଥିଲେ । ଇଣ୍ଡିଜ୍ ପାଇଁ ମାଥ୍ୟୁସ୍, ଅନିସା ମହମ୍ମଦ ଓ ଡଟ୍ଟିନ୍ ସଫଳ ବୋଲର୍ ଭାବେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଟୁର୍ଣ୍ଣାମେଣ୍ଟ୍ରେ ଶନିବାର ଡୁନେଡିନ୍ଠାରେ ବାଂଲାଦେଶ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।