ସେଣ୍ଟ୍ କିଟ୍ସ : ୱେଷ୍ଟଇଣ୍ଡିଜ୍ରେ ଚାଲିଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ରେ ଅବ୍ଦୁଲ୍ ଫସିହ ଓ ମାଜ ସଦାକନ୍ଙ୍କ ଆକର୍ଷଣୀୟ ବ୍ୟାଟିଂ ଓ ଅଭେସ୍ ଅଲୀଙ୍କ ବୋଲିଂ ବଳରେ ଆଫଗାନିସ୍ତାନକୁ ୨୪ ରନ୍ରେ ହରାଇ ପାକିସ୍ତାନ ଦ୍ୱିତୀୟ ବିଜୟ ହାସଲ କରିଛି । ଏହା ସହିତ ଆଫଗାନିସ୍ତାନ କ୍ୱାର୍ଟର୍ ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି । ସେହିପରି ଅନ୍ୟ ମ୍ୟାଚ୍ରେ ଇଂଲଣ୍ଡ ୟୁଏଇକୁ ୧୮୯ ରନ୍ରେ ଏବଂ ବାଂଲାଦେଶ କାନାଡାକୁ ୮ ୱିକେଟ୍ରେ ହରାଇଛନ୍ତି । ପାକିସ୍ତାନ ପ୍ରଥମେ ୯ ୱିକେଟ୍ରେ ୨୩୯ ରନ୍ କରିଥିଲା ।
ଅବ୍ଦଲ ୬୮, ମାଜ୍ ଅପରାଜିତ ୪୨ ଓ କ୍ୟାପ୍ଟେନ୍ କାସିମ୍ ଆକ୍ରମ ୩୮ ରନ୍ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ଇଜହାରୁଲ ହକ୍ ନଭିଦ୍ ୩ଟି ଓ ନୁର୍ ଅହମଦ୍ ଓ ନାଭେଦ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ୨୪୦ ରନ୍ର ପିଛା କରୁଥିବା ଆଫଗାନିସ୍ତାନ ୯ ୱିକେଟ୍ ହରାଇ ୨୧୫ ରନ୍ କରିବାକୁ ସମର୍ଥ ହୋଇଥିଲା । ବିଲାଲ୍ ୪୨ ଓ ଇଜାଜ୍ ଅହମଦ ୩୯ ରନ୍ କରିଥିବା ବେଳେ ପାକିସ୍ତାନ ପକ୍ଷରୁ ଅଭେସ୍ ଅଲୀ ୩ଟି, କାସିମ୍ ଆକ୍ରମର ୨ଟି ୱିକେଟ୍ ନେଇଥିଲେ ।
ସେହିପରି ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶ କାନାଡାକୁ ୮ ୱିକେଟ୍ରେ ପରାସ୍ତ କରିଥିଲା । ଟୁର୍ଣ୍ଣାମେଣ୍ଟ୍ରେ ଏହା ବାଂଲାଦେଶର ପ୍ରଥମ ବିଜୟ ଥିଲା । ପୂର୍ବରୁ ଟିମ୍ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ୧୩୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ୱିକେଟ୍କିପର୍ ବ୍ୟାଟ୍ସମ୍ୟାନ୍ ଅନୁପ ଚିମା ସର୍ବାଧିକ ୬୩ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ରିପୁନ ମଣ୍ଡଳ ଏବଂ ମହରୋବ ୪ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଏକ ସହଜ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଇଫ୍ତିଖେର ହୁସେନ୍ଙ୍କ ଅପରାଜିତ ୬୧ ରନ୍ ବଳରେ ୧୧୯ ବଲ୍ ପୂର୍ବରୁ ୨ ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରି ନେଇଥିଲା ।
ଅନ୍ୟ ଏକ ମ୍ୟାଚ୍ରେ କ୍ୟାପ୍ଟେନ୍ ଟମ୍ ପ୍ରିଷ୍ଟଙ୍କ ଅପରାଜିତ ୧୫୪ ରନ୍ର ଇନିଂସ୍ ସହାୟତାରେ ଇଂଲଣ୍ ୟୁଏଇକୁ ୧୮୯ ରନ୍ରେ ହରାଇ ଦେଇଛି । ପ୍ରଥମେ ଇଂଲଣ୍ଡ ୬ ୱିକେଟ୍ ହରାଇ ୩୬୨ ରନ୍ କରିଥିଲା । କ୍ୟାପ୍ଟେନ୍ ପ୍ରିଷ୍ଟ୍ଙ୍କ ବ୍ୟତୀତ ଜ୍ୟାକବ୍ ବେଥେଲ୍ ୬୨ ରନ୍ କରିଥିଲେ । ଜବାବରେ ୟୁଏଇ ମାତ୍ର ୧୭୩ ରନ୍ରେ ଅଲ୍ଆଉଟ୍ ହୋଇ ଯାଇଥିଲା । ଇଂଲଣ୍ଡ ପକ୍ଷରୁ ରେହାନ୍ ଅହମଦ ୪ଟି ଓ ଜୋଶୁଆ ବାୟଡେନ୍ ୨ଟି ୱିକେଟ୍ ହାସଲ କରିଥିଲେ ।