ପୋଚେଷ୍ଟ୍ରୁମ୍: ଚଳିତ ଆଇସିସି ଅଣ୍ଡର୍-୧୯ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଛି ଭାରତ । ପ୍ରତିଯୋଗିତାର ଉଦ୍ଘାଟନୀ ସଂସ୍କରଣରେ ଦଳ ଶୁକ୍ରବାର ନ୍ୟୁଜିଲାଣ୍ଡ୍କୁ ୮ ୱିକେଟ୍ରେ ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଛି । ଟସ୍ ଜିତି ଭାରତ ନ୍ୟୁଜିଲାଣ୍ଡ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରମାନେ ଲକ୍ଷ୍ୟଭେଦୀ ବୋଲିଂ କରିବା ଫଳରେ ନ୍ୟୁଜିଲାଣ୍ଡ୍ ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ୍ ବିନିମୟରେ ମାତ୍ର ୧୦୭ ରନ୍ କରିଥିଲା । ଭାରତ ୧୬ ବର୍ଷୀୟ ଲେଗ୍ସ୍ପିନର୍ ପାଶ୍ୱର୍ୀ ଚୋପ୍ରା ମାତ୍ର ୨୦ ରନ୍ ଦେଇ ୩ଟି ୱିକେଟ୍ ନେବା ଫଳରେ ନ୍ୟୁଜିଲାଣ୍ଡ୍ର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଫଳସ୍ୱରୂପ ନ୍ୟୁଜିଲାଣ୍ଡ୍ ୧୩ ଓଭର୍ରେ ୫ ୱିକେଟ୍ ବିନିମୟରେ ୭୪ ରନ୍ କରିଥିଲା ।
ଭାରତ ପକ୍ଷରୁ ଟିଟାସ୍ ସାଧୁ, ମନ୍ନତ କଶ୍ୟପ, ଅଧିନାୟିକା ଶେଫାଳୀ ବର୍ମା ଓ ଅର୍ଚ୍ଚନା ଦେବୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ ଜର୍ଜିଆ ପ୍ଲିମର୍ ୨ଟି ଚୌକା ସହ ସର୍ବାଧିକ ୩୫ ରନ୍ କରିଥିବା ବେଳେ ଇସାବେଲା ଗେଜ୍ ୪ଟି ଚୌକା ଜରିଆରେ ୨୬, ଅଧିନାୟିକା ଇଜି ଶାର୍ପ ଗୋଟିଏ ଛକା ସହ ୧୩ ଓ କେଲି ନାଇଟ୍ ଗୋଟିଏ ଚୌକା ଜରିଆରେ ୧୨ ରନ୍ କରିଥିବା ବେଳେ ଅନ୍ୟ କେହି ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ବି ପହଞ୍ଚି ପାରି ନଥିଲେ । ଜବାବରେ ଶେଫାଳୀ ମାତ୍ର ୧୦ ରନ୍ କରି ଆଉଟ୍ ହେବା ଫଳରେ ଭାରତ ସଅଳ ୱିକେଟ୍ ହରାଇଥିଲା । କିନ୍ତୁ ତାଙ୍କ ଓପନିଂ ଯୋଡ଼ିଦାର ଶ୍ୱେତା ଶେରାୱତ୍ ଓ ସୌମ୍ୟା ତିୱାରୀ ଦ୍ୱିତୀୟ ୱିକେଟ୍ରେ ୬୨ ରନ୍ ଯୋଡ଼ିବା ଫଳରେ ଭାରତ ବିଜୟ ନିକଟତର ହୋଇଥିଲା । ତିୱାରୀ ୩ଟି ଚୌକା ସହ ୨୨ ରନ୍ କରି ଆଉଟ୍ ହେବା ପରେ ଶେରାୱତ୍ ସାଥୀ ବ୍ୟାଟ୍ସଓମ୍ୟାନ୍ ଗୋଙ୍ଗଡି ତ୍ରିଶା (୫)ଙ୍କ ସହଯୋଗ କ୍ରମେ ଦଳୀୟ ସ୍କୋର୍କୁ ୧୪.୨ ଓଭର୍ରେ ୨ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଶ୍ୱେତା ୪୫ ବଲ୍ର ସମ୍ମୁଖୀନ ହୋଇ ୧୦ଟି ଚୌକା ଲଗାଇଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ ଆନ୍ନା ବ୍ରାଉନିଙ୍ଗ୍ ୨ଟିଯାକ ୱିକେଟ୍ ଦଖଲ କରିଥିଲେ । ପାଶ୍ୱର୍ୀ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଆସନ୍ତା ୨୯ରେ ଫାଇନାଲ୍ ଖେଳାଯିବ ।