28.1 C
Bhubaneswar
Saturday, July 27, 2024
Homeଓଡିଶାଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ; ରାଷ୍ଟ୍ରପତି

ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ; ରାଷ୍ଟ୍ରପତି

ରାଇରଂଗପୁର: ଗତବର୍ଷ ମେ’ ମାସରେ ଏଠାକୁ ଆସିଥିଲି। ରାଷ୍ଟ୍ରପତି ହେବା ପରେ ତାହା ଥିଲା ଜନ୍ମମାଟିକୁ ମୋର ପ୍ରଥମ ଆଗମନ। ଜନ୍ମମାଟି ଠାରୁ ବହୂ ଦୂରରେ ରହୁଛି। କିନ୍ତୁ ଜନ୍ମମାଟିର ମୋହ ମୋତେ ଏଠାକୁ ବାରମ୍ବାର ଟାଣି ଆଣୁଛି। ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ ହୋଇପାରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏହା କହିଛନ୍ତି। ମୟୂରଭଂଜର ରାଇରଂଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଜନ୍ମମାଟିକୁ ଆସିଥିଲି। ସେହି ଗସ୍ତ ସମୟରେ ରାଇରଂଗପୁର, ବାଦାମପାହାଡ଼, ଟାଟାକୁ ରେଳ ଚଳାଚଳ ପାଇଁ ଟ୍ରେନ୍‌ର ଶୁମାରମ୍ଭ କରିଥିଲି। ସେହି ଗସ୍ତ କାଳରେ ଡାକ ସୁବିଧା ମଧ୍ୟ ଲୋକାର୍ପଣ ହୋଇଥିଲା। ଏହି ମାଟିରୁ ମୁଁ ଜନସାଧାରଣଙ୍କ ମୁହଁକୁ ଆସିଥିଲି। ହୋଲିଡେ ହୋମ ପାଇଁ ଶିଳାନ୍ୟାସ କରି ମୁଁ ଖୁସି ଅନୁଭବ କରୁଛି। ଆଦିବାସୀ ଯୁବକଯୁବତୀମାନେ ଖେଳକୁ ଅଧିକ ଭଲ ପାଆନ୍ତି। ଏଠାରେ ଖେଳାଳିମାନେ ତାଲିମ ନେଇ ନାମ କରିବେ। ଦେଶର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ଏଠାକୁ ଆସିବେ। ଏହା ଦ୍ବାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ। ଏହି ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି।

ମହାମହିମ କହିଥିଲେ ଯେ, ଆମ ଅଞ୍ଚଳ ଏକ ଆଦିବାସୀ ଅଞ୍ଚଳ। ଭାରତ ସରକାର ଆଦିବାସୀମାନଙ୍କ ଉନ୍ନତି ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି। ଆଦିବାସୀମାନେ ଜଙ୍ଗଲରୁ ମିଳୁଥିବା ଅନେକ ଜିନିଷ ବିକ୍ରି କରି ଚଳିଥାନ୍ତି। ୯୦ରୁ ଅଧିକ ଜିନିଷ ଉପରେ ସରକାର ଏମ୍‌ଏସ୍‌ପି ଲାଗୁ କରିଛନ୍ତି। ସରକାର ଆଦିବାସୀ ମହିଳାମାନଙ୍କୁ କମ୍‌ ସୁଧରେ ଋଣ ଦେଉଛନ୍ତି। ଆଦିବାସୀଙ୍କ ସୁବିଧା ପାଇଁ ଜଳ, ବିଦ୍ୟୁତ, ମୋବାଇଲ ସେବା ଯୋଗାଇ ଦେଉଛନ୍ତି। ସିକିଲ ସେଲ ରୋଗ ନିରାକରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏକଲବ୍ୟ ଆବାସିକ ବିଦ୍ୟାଳୟ ମାଧ୍ୟମରେ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି। ଓଡ଼ିଶାରେ ୮୭ଟି ନୂଆ ବିଦ୍ୟାଳୟ ଖୋଲାଯିବ। ଏଥିରୁ ମୟୂରଭଂଜରେ ୧୯ଟି ରହିଛି। ସରକାର ବିଦ୍ୟାଳୟ ପ୍ରତିଷ୍ଠା କରିବେ। କିନ୍ତୁ ପିଲାମାନଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ଅଭିଭାବକଙ୍କ ଦାୟିତ୍ବ। ଓଡ଼ିଶାରେ ୬୨ ପ୍ରକାରର ଆଦିବାସୀ ଅଛନ୍ତି। ଭାରତ ସରକାର ଏଥିରେ ୨ଟି ସଂପ୍ରଦାୟକୁ ଯୋଡ଼ି ୬୪ ପ୍ରକାରର କରିଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗ ବଳରେ ବିକାଶ ହୋଇପାରିବ।

୪ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ମୟୂରଭଂଜ ଜିଲ୍ଲାର ରାଇରଂଗପୁରରେ ‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଦୁଇ ଲ୍ୟାନ୍ ବିଶିଷ୍ଟ ବାଇପାସ୍ ରାସ୍ତା, ରାଇରଙ୍ଗପୁରରୁ ଯଶିପୁର ପର୍ଯ୍ୟନ୍ତ ୨୨୦ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ପ୍ରଶକ୍ତୀକରଣ ପ୍ରକଳ୍ପ, ବାଇଦାପୋଷି ନିକଟରେ ଉପଖଣ୍ଡରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ସ୍ପୋର୍ଟସ କମ୍ପଲେକ୍ସ ଓ ଏସଟି ଏସ୍ସି ରିସର୍ଚ୍ଚ ସେନ୍ଟର୍ (ଆଦିବାସୀ ସଂଗ୍ରହାଳୟ) ପାଇଁ ଶିଳାନ୍ୟାସ ଓ ବଡସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଆଭାଷୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ସମାରୋହରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟପାଳ ରଘୁବର ଦାସ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଜି ସତ୍ୟବ୍ରତ ଭୋଇ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଦ୍ରୌପଦୀ ମୁର୍ମୁ ଜନ୍ମମାଟି ତଥା ନିଜମାଟିକୁ ଆସିଥିବାରୁ ମୟୂରଭଂଜର ଛୋଟପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଇଥିଲେ। ଶ୍ରୀମତୀ ମୁର୍ମୁ ମଧ୍ୟ ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲେ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜରେ ପହଞ୍ଚିଥିଲେ। ବାୟୁସେନାର ସ୍ୱତନ୍ତ୍ର ବିମାନ ଝାଡ଼ଖଣ୍ଡର ରାଞ୍ଚିରେ ଅବତରଣ କଲା ପରେ ସେଠାରୁ ଏକ ହେଲିକପ୍ଟରରେ ଆସି ହେଲିପ୍ୟାଡରେ ଐତିହାସିକ ଖିଚିଂରେ ପହଞ୍ଚିଥିଲେ। ଖିଚିଂରେ ପହଞ୍ଚିଲା ପରେ ମା’ କିଚକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଖିଚିଂରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା। ଖିଚିଂର ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ପ୍ରସାଦରେ ଥିଲା ଖେଚୁଡ଼ି, କାନିକା, ଅରୁଆ ଭାତ, ବେଶର, ଲେଉଟିଆ ସାଗ, ଖଟା, ପାଏସ, କ୍ଷୀରା ଓ ବଡ଼ି ଚୁୁରା। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ମଧ୍ୟ ପ୍ରସାଦ ସେବନ କରିଥିଲେ। ଖିଚିଂରେ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବା ପରେ ସେଠାରୁ ପାଣ୍ଡରଶୀଳସ୍ଥ ଅସ୍ଥାୟୀ ହେଲିପ୍ୟାଡରୁ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ୪.୪୫ରେ ଅବତରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking