41.1 C
Bhubaneswar
Tuesday, April 30, 2024
Homeଖେଳ୨୫ ରନ୍‌ରେ ଜିତିଲା ହାଇଦ୍ରାବାଦ୍‌; କ୍ରମାଗତ ୫ମ ମ୍ୟାଚ୍‌ରେ ବେଙ୍ଗାଲୁରୁ ପରାଜିତ

୨୫ ରନ୍‌ରେ ଜିତିଲା ହାଇଦ୍ରାବାଦ୍‌; କ୍ରମାଗତ ୫ମ ମ୍ୟାଚ୍‌ରେ ବେଙ୍ଗାଲୁରୁ ପରାଜିତ

ବେଙ୍ଗାଲୁରୁ : ସୋମବାର ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୩୦ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌), ରୟାଲ୍ ଚ୍ୟାଲେଞ୍ଜର୍ସ, ବେଙ୍ଗାଲୁରୁକୁ ୨୫ ରନ୍‌ରେ ପରାଜିତ କରିଛି । ପ୍ରଥମେ ବ୍ୟାଟିଂ ଆହ୍ୱାନ ପାଇଥିବା ହାଇଦ୍ରାବାଦ ଆଜି ପୁଣିଥରେ ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ମାତ୍ର ୩ ୱିକେଟ୍ ହରାଇ ସର୍ବବୃହତ୍ ଆଇପିଏଲ୍ ସ୍କୋର (୨୮୭ ରନ୍‌) କରିବାରେ ସଫଳ ହୋଇଛି । ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାଇଦ୍ରାବାଦ୍ ୨୭୭ ରନ୍‌ର ବିଶାଳ ସ୍କୋର ଛିଡା କରିଥିଲା । ତେବେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଜିର ଏହି ହାଇସ୍କୋରିଂ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ର ବ୍ୟାଟ୍ସମ୍ୟାନ୍‌ମାନେ ନିଜ ଉତ୍କୃଷ୍ଟ ଫର୍ମରେ ଥିବାର ପ୍ରମାଣ ଦେଇଛନ୍ତି । ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ ପାଇଁ ହାଇଦ୍ରାବାଦ୍‌କୁ ଆହ୍ୱାନ କରିଥିଲା । ତେବେ ହାଇଦ୍ରାବାଦ୍ ପକ୍ଷରୁ ଇନିଂସ ଓପନ୍ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟ୍ରାଭିସ୍ ହେଡ୍ ମାତ୍ର ୪୧ ବଲ୍‌ରୁ ଏକ ଦ୍ରୁତ ଶତକୀୟ ଇନିଂସ ଖେଳିଥିଲେ ଯାହାକି, ହାଇଦ୍ରାବାଦ୍ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ।

ଟ୍ରାଭିସ୍ ୯ ଚୌକା ଏବଂ ୮ ଛକା ସହାୟତାରେ ୧୦୨ ରନ୍ ସଂଗ୍ରହ କରିଥିଲେ । ତାଙ୍କ ସହ ଅନ୍ୟପଟେ ଷ୍ଟ୍ରାଇକ୍ ଏଣ୍ଡ ସମ୍ଭାଳିଥିବା ଯୁବ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ୨୨ ବଲ୍ ଖେଳି ୩୪ ରନ୍ (୨ ଚୌକା, ୨ ଛାକା) କରିଥିଲେ । ପ୍ରଥମ ୱିକେଟ୍ ଭାବେ ଅଭିଷେକ ଶର୍ମା ଆଉଟ୍ ହୋଇ ପାଭିଲିୟନ ଫେରିବା ବେଳକୁ ଦଳର ସ୍କୋର ୧୦୮ ଥିଲା । ପରେ ତାଙ୍କ ସ୍ଥାନରେ ଆସିଥିବା ହେନ୍‌ରିକ୍ କ୍ଲାସେନ୍ ନିଜ ଆକ୍ରମଣାତ୍ମକ ଅନ୍ଦାଜ ଜାରି ରଖି ମାତ୍ର ୩୧ ବଲ୍‌ରୁ ୬୭ ରନ୍‌ର (୨ ଚୌକା, ୭ ଛକା) ଏକ ଧୂଆଁଦାର ଇନିଂସ ଖେଳିଥିଲେ । ସେହିପରି ଅବଦୁଲ ସମାଦ ୧୦ ବଲରେ ୩୭ ରନ୍ ଏବଂ ଆଡେନ ମାର୍କ୍ରାମ ୩୨ ରନ ସ୍କୋର କରିଥିଲେ । ନିଜ ବୋଲିଂ ଇନିଂସରେ ବେଙ୍ଗାଲୁରୁ ବୋଲରମାନେ ଅତିରିକ୍ତ ଭାବେ ୧୫ରନ୍ ବିନିମୟ କରିଥିଲେ, ଯାହାକି ହାଇଦ୍ରାବାଦ୍‌ର ସ୍କୋରକୁ ୨୮୭ ରନ୍‌ରେ ପହଞ୍ଚାଇଥିଲା । ଆଇପିଏଲ ଇତିହାସରେ ଏହା ହେଉଛି ସବୁଠାରୁ ବଡ ସ୍କୋର । ବେଙ୍ଗାଲୁରୁ ବୋଲର ଲକି ଫର୍ଗୁସନ୍ ନିର୍ଦ୍ଧାରିତ ୪ ଓଭର ବିନିମୟରେ ୫୨ ରନ୍ ବିନିମୟରେ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ । ଦଳ ପାୱାର ପ୍ଲେ’ର ୬ ଓଭରରେ ୭୬ ରନ୍ ସଂଗ୍ରହ କରିଥିଲା, ଯାହାକୁ ବାକି ୧୪ ଓଭରରେ ୨୮୭ ରନ୍‌ରେ ପରିବର୍ତ୍ତନ କରିପାରିଥିଲେ ହାଇଦ୍ରାବାଦ୍‌ର ବ୍ୟାଟ୍ସମ୍ୟାନ୍‌ମାନେ ।

ଅପରପକ୍ଷେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ୧୦ ଓଭର ସୁଦ୍ଧା ୫ ୱିକେଟ୍ ବିନିମୟରେ ୧୨୩ କରିନେଇଥିଲା । ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ୍‌ମାନେ ପ୍ରଥମରୁ ହିଁ ଦ୍ରୁତଗତିରେ ରନ୍ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବେଙ୍ଗାଲୁରୁ ପ୍ରଥମ ୧୦ ଓଭରରେ ୧୧.୯୦ ହାରରେ ହିଁ ରନ୍ ସଂଗ୍ରହ କରିବାରେ ସଫଳ ହୋଇପାରିଥିଲା । ଓପନ୍‌ର ଯୋଡି ଭାବେ ପଡ଼ିଆକୁ ଓହ୍ଲାଇଥିବା ବିରାଟ୍ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ଦଳଗତ ସ୍କୋର ୮୦ ରନ୍‌ରେ ପହଞ୍ଚାଇଥିଲେ । ପ୍ରଥମ ୱିକେଟ୍ ଭାବେ ଆଉଟ୍ ହୋଇଥିବା ବିରାଟ୍ କୋହଲି ୨୦ ବଲ୍ ଖେଳି ୪୨ ରନ୍ ( ୬ ଚୌକା ଏବଂ ୨ ଛକା) ସଂଗ୍ରହ କରିଥିଲେ ।

ସେହିପରି ୨୮ ବଲ୍ ଖେଳି ୭ ଚୌକା ଏବଂ ୪ ଛକା ସହାୟତାରେ ୬୨ ରନ୍‌ର ଏକ ଧମାକାଦାର ଇନିଂସ ଖେଳିଥିବା ଡୁ ପ୍ଲେସିସ୍ ୪ର୍ଥ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ତେବେ ବେଙ୍ଗାଲୁରୁର ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ଦୁୂଇ ଅଙ୍କର ରନ୍ ମଧ୍ୟ ଛୁଇଁପାରିନଥିଲେ । ତେବେ ଦିନେଶ କାର୍ତ୍ତିକଙ୍କ ଲଢ଼ୁଆ ୮୩ ରନ୍ ( ୩୫ ବଲ୍ ୫ ଚୌକା, ୭ ଛକା) ବଳରେ ବେଙ୍ଗାଲୁରୁ କିଛି ମାତ୍ରାରେ ହାଇଦ୍ରାବାଦ୍ ଉପରେ ଭାରୀ ପଡ଼ିବା ଦେଖିବାକୁ ମିଳିଥିଲା । ୧୮.୫ ତମ ଓଭରରେ କାର୍ତ୍ତିକ ୭ମ ୱିକେଟ୍ ଭାବେ ପାଭିଲିୟନ୍ ଫେରିଥିଲେ । ଏହି ସମୟରେ ବେଙ୍ଗାଲୁରୁର ସ୍କୋର ୨୪୪/୭ ରହିଥିଲା । ହାଇଦ୍ରାବାଦ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ନିଜର ୪ ଓଭର ସ୍ପେଲ୍‌ରେ ୪୩ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ମୟଙ୍କ ମାର୍କଣ୍ଡେ ମଧ୍ୟ ୪ ଓଭରରେ ୪୬ ରନ୍ ବିନିମୟରେ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ତେବେ ଅନୁଜ ରାୱତ୍‌ଙ୍କ ଅପରାଜିତ ୨୫ ରନ୍ ଏବଂ ଅତିରିକ୍ତ ୧୪ ରନ୍ ସହାୟତାରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭର ଶେଷ ସୁଦ୍ଧା ୨୬୨ ରନ୍ କରିପାରିଥିଲା । ଏହି ବିଜୟ ସହ ହାଇଦ୍ରାବାଦ୍ ଅତିରିକ୍ତ ୨ ପଏଣ୍ଟ ସହ ପଏଣ୍ଟ ଏବଂ ୬ ମ୍ୟାଚ୍‌ରୁ ୪ର୍ଥ ବିଜୟ ସହ ଟେବୁଲ୍‌ର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବେଙ୍ଗାଲୁରୁ ୭ଟି ମ୍ୟାଚ୍‌ରୁ ୬ଟି ପରାଜୟ ସହ ଟେବୁଲ୍‌ର ନିମ୍ନ ସ୍ଥାନରେ ଅପରିବର୍ତ୍ତିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking