ବେଗୁସରାଏ: ଭାଇରାଲ ଗୀତରେ ସ୍ତ୍ରୀ କରୁଥିଲା ରିଲ୍ । ସ୍ୱାମୀ ବିରୋଧ କରିବାରୁ ସ୍ତ୍ରୀର ପରିବାର ଲୋକେ କଲେ ହତ୍ୟା । ଘଟଣାଟି ଘଟିଛି ବିହାରର ବେଗୁସରାଏ?ରେ । ମୃତକଙ୍କ ନାମ ମହେଶ୍ୱର କୁମାର ରାଏ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ମହେଶ୍ୱର କୁମାର ରାୟ ୬ବର୍ଷ ପୂର୍ବେ ରାଣୀ କୁମାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ ପାଞ୍ଚ ବର୍ଷର ପୁଅ ଅଛି । ଗତକାଲି ରାତିରେ ବିହାରର ବେଗୁସରାଏ ଜିଲ୍ଲାର ଫଫେ?ତ୍ ଗ୍ରାମରେ ଏହି ଘଟଣା ଘଟିଛି । ୨୫ବର୍ଷୀୟ ମହେଶ୍ୱର କୁମାର କୋଲକାତାରେ ଶ୍ରମିକ ଭାବରେ କାମ କରୁଥିଲେ ଏବଂ ନିକଟରେ ଘରକୁ ଫେରିଥିଲେ ।
ଘରକୁ ଫେରିବା ପରେ ସ୍ତ୍ରୀ ବାପ ଘରକୁ ଯାଇଥିବା ଜାଣି ସେ ସେଠାରେ ପହଞ୍ଚିଥିଲେ । ସେଠାକୁ ଯିବା ପରେ ସ୍ତ୍ରୀ କରିଥିବା ରିଲକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏବିଷୟରେ ଜାଣି ରାଣୀଙ୍କୁ ତାଙ୍କ ପରିବାର ଲୋକେ ସମର୍ଥନ କରିଥିଲେ, ଯାହାଫଳରେ ଝଗଡ଼ା ଆହୁରି ବଢ଼ିଥିଲା । ଏହି ସମୟରେ ମହେଶ୍ୱରଙ୍କ ଭାଇ ତାଙ୍କୁ ଫୋନ କରିବାରୁ ଅନ୍ୟ ଜଣେ ଫୋନ ଉଠାଇଥିଲେ ।
ଫୋନ ଉଠାଇବା ପରେ ଜୋରରେ ପାଟି ଶୁଭିବାରୁ ସେ ତୁରନ୍ତ ନିଜ ପରିବାରକୁ ଫୋନ କରି ଏବିଷୟରେ ଜଣାଇଥିଲେ । ସୂଚନା ପାଇ ମହେଶ୍ୱରଙ୍କ ପରିବାର ତାଙ୍କ ଶଶୁର ଘରେ ପହଞ୍ଚିବା ପରେ ମହେଶ୍ୱର ମୃତଦେହ ପଡ଼ିଥିବାର ଦେଖିଥିଲେ । ତୁରନ୍ତ ଏନେଇ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ । ଏବେ ମହେଶ୍ୱରଙ୍କ ପରିବାର ରାଣୀଙ୍କ ପରିବାର ଉପରେ ହତ୍ୟା ଆରୋପ ଲଗାଇଥିବା ବେଳେ ତଦନ୍ତ କରୁଛି ପୁଲିସ ।