ଶ୍ରୀନଗର: କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ମୀର୍ୱାଇଜ୍ ଉମର୍ ଫାରୁକ୍ଙ୍କୁ ଚାରିବର୍ଷ ପରେ ଶୁକ୍ରବାର ଗୃହବନ୍ଦୀରୁ ଖଲାସ କରାଯାଇଛି । ଶ୍ରୀନଗରର ଐତିହାସିକ ଜାମିୟା ମସ୍ଜିଦ୍ର ମୁଖ୍ୟ ମୌଲବୀ ମୀର୍ୱାଇଜ୍ ହୁରିୟତ୍ କନ୍ଫରେନ୍ସର ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ଗୃହବନ୍ଦୀରୁ ଖଲାସ ହେବାପରେ ଏବେ ସେ ମସ୍ଜିଦ୍ରେ ନମାଜ ପଢ଼ାଇପାରିବେ ବୋଲି ପୁଲିସ କହିଛି । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର୍ ଅବ୍ଦୁଲ୍ଲା ଏବଂ ମେହବୁବା ମୁଫ୍ତି ମଧ୍ୟ ଅନ୍ୟ ରାଜନୈତିକ ନେତାଙ୍କ ପରି ମୀର୍ୱାଇଜ୍ଙ୍କୁ ଖଲାସକୁ ସ୍ୱାଗତ କରିଛନ୍ତି ।
ସୂଚନା ଯୋଗ୍ୟ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୨୦୧୯ ଅଗଷ୍ଟ ୫ ତାରିଖରେ ମୀର୍ୱାଇଜ୍ଙ୍କୁ ଗୃହବନ୍ଦୀ କରାଯାଇଥିଲା । ସେତେବେଳେ ବଡ଼ ସ୍ତରର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୀର୍ୱାଇଜ୍ଙ୍କ ସମେତ ଅନ୍ୟ ହଜାର ସଂଖ୍ୟକ ରାଜନୈତିକ ନେତା ଏବଂ କର୍ମକର୍ତ୍ତାଙ୍କୁ ଜେଲ୍ ପଠାଇଦିଆଯାଇଥିଲା ।