26.1 C
Bhubaneswar
Sunday, January 26, 2025
Homeଓଡିଶାଆହାରରେ ପାହାର !: ନିରାଶରେ ଫେରୁଛନ୍ତି ଭୋକିଲା

ଆହାରରେ ପାହାର !: ନିରାଶରେ ଫେରୁଛନ୍ତି ଭୋକିଲା

କଟକ: ରାଜ୍ୟ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ‘ଆହାର’ଉପରେ ଏବେ ପାହାର ପଡ଼ିଛି । ପାଞ୍ଚ ଟଙ୍କାରେ ପେଟେ ଅରୁଆ ଭାତ ଆଉ ଡାଲମା ଖାଇବାର ସୁବିଧାରୁ ଏବେ ଅନେକ ଭୋକିଲା ମଣିଷ ବଞ୍ôଚତ ହେଉଥିବା ପରିଲକ୍ଷିତ ହେଉଛି । ଆହାର ଯୋଜନାକୁ ୭ ବର୍ଷ ପୁରିବା ପରେ ମିଲ୍ ସଂଖ୍ୟା ବୃଦ୍ଧି କରାଯାଇଥିଲେ ବି ଖାଦ୍ୟ ନ ପାଇ ଅନେକ ଲୋକ ନିରାଶ ହୋଇ ଫେରୁଥିବା ଦେଖାଯାଇଛି । ବିଶେଷକରି ଶିଶୁଭବନ,ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଏବଂ ଏସ୍‌ସିବି ଆହାର କେନ୍ଦ୍ରରେ ଖାଦ୍ୟ ନିୟମିତ ଭାବେ ନିଅଣ୍ଟ ପଡୁଛି । ଚଳିତ ମାସଠାରୁ ଆହାର ମିଲ୍ ସଂଖ୍ୟାରେ ୮୦୦କୁ ବୃଦ୍ଧି କରାଯାଇଛି ।

କଟକରେ ମୋଟ ୭ଟି ଆହାର କେନ୍ଦ୍ର ରହିଥିଲା ଏଥିମଧ୍ୟରୁ ଚାରୋଟି ଶିଶୁଭବନ,ଏସସିବି ମେଡିକାଲ, ସିଟି ହସ୍ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରଠାରେ ଥିବା ବେଳେ ଅନ୍ୟ ୩ଟି ବାଦାମବାଡି, ମାଲଗୋଦାମ ଓ ଜଗତପୁରରେ ରହିଛି । ଏସ୍‌ସିବିକୁ ସର୍ବାଧିକ ଦିନରେ ୧୩୦୦ ଓ ରାତିରେ ୮୦୦ କରି ମୋଟ ୨୧ଶହ ମିଲ୍ ପ୍ରଦାନ କରାଯାଉଛି । ଏହାଛଡା ଆଚାର୍ଯ୍ୟ ହରିହରରେ ଦିନରେ ୯୦୦ ଓ ରାତିରେ ୪୫୦,ଶିଶୁଭବନରେ ଦିନରେ ୭୦୦, ରାତିରେ ୪୦୦ ଏବଂ ସିଟି ହସ୍ପିଟାଲ୍‌ରେ ଦିନରେ ୪୦୦ ଓ ରାତିରେ ୨୦୦ ମିଲ୍ ପ୍ରଦାନ କରାଯାଉଛି । ଏହି ୪ଟି କେନ୍ଦ୍ରରେ କେବଳ ରାତିରେ ଆହାର ବ୍ୟବସ୍ଥା ଥିଲା ବେଳେ ବାଦାମବାଡି, ମାଲଗୋଦାମ ଓ ଜଗତପୁରରେ ଦିନବେଳା ଖାଦ୍ୟ ବ୍ୟବସ୍ଥା ରହିଛି ।

ବାଦାମବାଡିରେ ଦୈନିକ ୬୫୦, ମାଲଗୋଦାମରେ ୩୦୦ ଓ ଜଗତପୁରରେ ଦୈନିକ ୭୦୦ ମିଲ୍ ଯୋଗାଇ ଦିଆଯାଉଛି । ତେବେ ଏସସିବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଠାରେ ଯେଉଁ ପରିମାଣର ଆହାର ଦିଆଯାଉଛି ତାହା ପର୍ଯ୍ୟାପ୍ତ ହେଉନଥିବା ଦେଖାଯାଉଛି। ଫଳରେ ପ୍ରତିଦିନ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ରୋଗୀ ଓ ସଂପର୍କୀୟମାନେ ଖାଦ୍ୟ ନ ପାଇ ନିରାଶରେ ଫେରୁଛନ୍ତି । ଶିଶୁଭବନରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେଉଛି । ଅନ୍ୟପଟେ ରାତ୍ରି ଖାଦ୍ୟର ବିତରଣ ସମୟ ସନ୍ଧ୍ୟା ୬ରୁ ରାତି ୮ଟା ମଧ୍ୟରେ ଥିବା ବେଳେ ଅନେକ ଲୋକ ଖାଦ୍ୟ ନ ପାଇ ଦୁଃଖରେ ଫେରୁଛନ୍ତି । ଆହାର ଭଳି ଜନକଲ୍ୟାଣ ଯୋଜନାର ବେଶ୍ ଚାହିଦା ମଧ୍ୟ ରହିଛି ।

ହେଲେ ଆହାର କେନ୍ଦ୍ରକୁ ଯେଉଁ ପରିମାଣରେ ଖାଦ୍ୟ ଆସୁଛି ତାହା ଲୋକଙ୍କ ଚାହିଦା ପୂରଣ କରିପାରୁନାହିଁ । କଟକ ବାହାରୁ ଆସୁଥିବା ଲୋକଙ୍କ ବାଦ୍ ଦେଲେ ସହର ଭିତରେ ରହୁଥିବା ଅନେକ ଅସହାୟ ଲୋକ ପ୍ରତିଦିନ ଏହା ଉପରେ ମଧ୍ୟ ନିର୍ଭର କରିଥାନ୍ତି । ଯାହାକି ଖାଦ୍ୟ ନିଅଣ୍ଟ ହେବାର ଏକ କାରଣ ବୋଲି ଅନୁମାନ କରାଯାଉଛି । ତେବେ ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଏସସିବି ଓ ଆଚାର୍ଯ୍ୟ ହରିହରରେ ଲୋକଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି ହେଉଛି । ଏଣୁ ଏସସିବିରେ ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ରର ଆବଶ୍ୟକ ଭିତ୍ତିଭୂମି ସହ ଅନ୍ୟ କେନ୍ଦ୍ରଗୁଡିକରେ ମିଲ୍ ସଂଖ୍ୟା ବଢାଇବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking