21.1 C
Bhubaneswar
Sunday, January 19, 2025
Homeଓଡିଶାଶତାଧିକ ବସ୍ତିଘର ଉଚ୍ଛେଦ,ଅଧିକାଂଶଙ୍କୁ ଥଇଥାନ

ଶତାଧିକ ବସ୍ତିଘର ଉଚ୍ଛେଦ,ଅଧିକାଂଶଙ୍କୁ ଥଇଥାନ

ବ୍ରହ୍ମପୁର: ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ସହର ମଧ୍ୟରେ ପୁଷ୍କରିଣୀ କଡରେ ବସବାସ କରି ରହିଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କାର୍ଯ୍ୟକ୍ରମ କରିଛି ବିଏମ୍‌ସି । ଗତ ଦୁଇ ଦିନ ଭିତରେ ସ୍ଥାନୀୟ ପୁର୍ଣ୍ଣବାସୀ କଲୋନି ସ୍ଥିତ ୧୨୯ଟି ଘର ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟ ହେଲା ବେଳେ ବସ୍ତିବାସିନ୍ଦା ସହ ଅଧିକାରୀମାନଙ୍କ ପାଟିତୁଣ୍ଡ ହୋଇଥିବା ପରିଲକ୍ଷିତ ହୋଇଛି । ଅବଶ୍ୟ କିଛି ସମୟ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ବୋଲି ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ତରୁଣ କୁମାର ସୂଚନା ଦେଇଛନ୍ତି । ଗତ କାଲି ସାମାନ୍ୟ ଉତ୍ତେଜନା ରହିଥିଲା । ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ନିର୍ଦିଷ୍ଟ ସମୟ ମଧ୍ୟରେ ପାଳନ କରିବାକୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଉଛୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଉଚ୍ଛେଦ ହୋଇଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଇଛି ।

ଆଜି ସେମାନେ ସ୍ୱତପ୍ରବୃତ୍ତ ଭାବେ ନିଜ ସାମଗ୍ରୀ ଧରି ତାଙ୍କୁ ଯୋଗାଇ ଦିଆଯାଇଥିବା ଘରକୁ ସ୍ଥାନାନ୍ତର ହୋଇଛନ୍ତି ବୋଲି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ତରୁଣ କୁମାର କହିଛନ୍ତି । ପ୍ରକାଶଯୋଗ୍ୟ ଯେ, ଆଜି ବିଏମସି ପକ୍ଷରୁ ବହୁ ସଂଖ୍ୟକ ପୁଲିସ ଫୋର୍ସ ଏବଂ ଅଗ୍ନିଶମ କର୍ମଚାରୀ ଉଚ୍ଛେଦ ସ୍ଥଳରେ ରହିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଉଚ୍ଛେଦ ହୋଇଥିବା ପରିବାର ମାନଙ୍କ ମଧ୍ୟରୁ ୯୬ଟି ପରିବାରକୁ ନିକଟରେ ରହିଥିବା ରାଜୀବ ଆବାସ ଯୋଜନା ଗୃହକୁ ନେଇ ଥଇଥାନ କରାଯାଇଛି । ସେହିଭଳି ୧୩ଟି ପରିବାରକୁ ଆନନ୍ଦ ସରଣୀରେ ,ଆଉ କେତେକ ପରିବାରକୁ ଆଇନା ବନ୍ଧ ଠାରେ ଥିବା ରାଜୀବ ଆବାସ ଯୋଜନା ଗୃହରେ ଥଇଥାନ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ସହରରେ ରହିଥିବା ମୋଟ ୧୧ଟି ପୁଷ୍କରିଣୀଠାରେ ବସ୍ତି ବାସିନ୍ଦା ଆବାସ କରି ରହିଥିଲେ ।

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ସୁ୍‌ଦ୍ଧା ନେଳିଆ ବନ୍ଧ, ଫୁଲସୁନ୍ଦରୀ ସାହି ବସ୍ତି, ଶାଳିଆବନ୍ଧ ନିକଟ ବସ୍ତି, ଧୋବା ବନ୍ଧ ହୁଡା ନିକଟ ବସ୍ତି, ଆଙ୍କୋଲି ବାଉରି ସାହି ବସ୍ତି, ମୁକ୍ତେଶ୍ୱର ମନ୍ଦିର ନିକଟ ବସ୍ତି, ଲାଞ୍ଜିପଲ୍ଲୀ ବାଉରୀ ସାହି ବସ୍ତି ଗୁଡିକୁ ଉଚ୍ଛେଦ କରାଯାଇଛି । ଆଉ ଦୁଇଟି ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି । ଏବେ ସହରବାସିନ୍ଦାଙ୍କ ମନରେ ବଡ଼ ପ୍ରଶ୍ନ ହେଲା ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ ପୁଷ୍କରିଣୀ କଡରେ, ଅଞ୍ଚଳରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯିବା ଆବଶ୍ୟକ । ବିଏମ୍‌ସି ପକ୍ଷରୁ ବସ୍ତି ଉଚ୍ଛେଦ କାର୍ଯ୍ୟକ୍ରମ ପ୍ରାୟତଃ ସରିଛି, କିନ୍ତୁ ଅନେକ ପୁଷ୍କରିଣୀ କଡରେ ରହିଥିବା ବଡ଼ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ଅନୁଷ୍ଠାନ ଗୁଡିକ ପ୍ରତି ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବସ୍ତି ଉଚ୍ଛେଦ ପ୍ରତି ଦେଖାଇଥିବା ତତ୍ପରତା ବିଏମସି ଅନ୍ୟ ଅନୁଷ୍ଠାନ ପ୍ରତି ଦେଖାଇବା ନେଇ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking