ନୂଆଦିଲ୍ଲୀ: ବର୍ତମାନ ଭାରତ କରୋନାର ଦ୍ୱିତୀୟ ଲହରରେ ଉବୁଟୁବୁ ହେଉଛି । ଏହି ମହାମାରୀ ଅନେକଙ୍କ ପ୍ରାଣ ନେଇସାରିଲାଣି । ସେଥିପାଇଁ ସରକାର ବରମ୍ବାର ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ କହୁଛନ୍ତି । ଏହାରି ମଧ୍ୟରେ ମେ ୧ରୁ ୧୮ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ପ୍ରକ୍ରିୟା ବି ଆରମ୍ଭ ହୋଇସାରିଛି । ଏମିତିରେ ଯଦି ଆପଣ ନିଜର ନିକଟସ୍ଥ କରୋନା ଟିକାକରଣ କେନ୍ଦ୍ର ସନ୍ଧାନ କରୁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ଏକ ଭଲ ଖବର ଆଣିଛୁ ।
ମାଇଜିଓଭି କରୋନା ହେଲ୍ପଡେସ୍କ ଏବେ ଆପଣଙ୍କୁ ହ୍ୱାଟସଆପରେ ବି ଆପଣଙ୍କ ନିକଟସ୍ଥ ଟିକାକରଣ କେନ୍ଦ୍ରର ତଥ୍ୟ ଦେବ ।ମାଇଜିଓଭିଇଣ୍ଡିଆ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛି ଯେ, ଏଥିପାଇଁ ବ୍ୟବହାରକାରୀଙ୍କୁ ୯୦୧୩୧୫୧୫୧୫ ରେ ନମସ୍ତେ ପଠାଇବାକୁ ପଡିବ । ଏହାପରେ ଚ୍ୟାଟବାକ୍ସ ଆପଣଙ୍କୁ ଅଟୋମେଟେଡ ରେସପନ୍ସ କରିବ । ଏହା ସାହାଯ୍ୟରେ ଆପଣ ନିକଟସ୍ଥ ଟିକାକରଣ କେନ୍ଦ୍ରର ସୂଚନା ପାଇପାରିବେ । ଏଠାରେ ଆପଣଙ୍କୁ ୬ ଅଙ୍କ ବିଶିଷ୍ଟ ପିନକୋଡ ଦେବାକୁ ପଡିବ ।
ଟିକାକରଣକେନ୍ଦ୍ରର ଲିଷ୍ଟ ସହିତ ମାଇଜିଓଭିଈଣ୍ଡିଆ ଚ୍ୟାଟ ବକ୍ସରେ ଆପଣଙ୍କୁ କୋଭିଡ ୧୯ ପଂଜିକରଣର ଲିଙ୍କ ବି ମିଳିବ । ଯାହା ସିଧା ଆପଣଙ୍କୁ କୋୱିନ ୱେବସାଇଟକୁ ନେଇଯିବ । ଏଥିରେ ଆପଣ ନିଜ ଫୋନ ନମ୍ବର, ଓଟିପି ଓ ଆଇଡି ପ୍ରୁଫ ନମ୍ବର ଦେଇ ପଂଜିକରଣ କରିପାରିବେ ।
ହେଲ୍ପ ଡେସ୍କ ହିନ୍ଦୀ ଓ ଇଂଲିଶ ଦୁଇ ଭାଷାର ସପୋର୍ଟ ଦେବ । ହେଲେ ଡିଫଲ୍ଟ ଭାଷା ଇଂରାଜୀ ଅଛି । ଜଣେ ବ୍ୟକ୍ତି ହିନ୍ଦୀରେ ମେସେଜ ପଠାଇ ତାକୁ ସେଟ କରିପାରିବେ ।