ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ୍ । ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟ ପକ୍ଷରୁ ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବା ସହ “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ କରିବେ । ସାଧାରଣତଃ ସମୂଦ୍ର କୂଳରୁ (12 Nautical miles) ୨୩ କିଲୋମିଟର ପର୍ଯ୍ୟନ୍ତ ଭିତରେ ମାଛଧରା କାର୍ଯ୍ୟ ସୀମିତ ରହିଥାଏ । “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ” କାର୍ଯ୍ୟକାରୀ ହେବା ଦ୍ଵାରା ଓଡ଼ିଶାର ମତ୍ସ୍ୟଜୀବୀମାନେ (200 Nautical miles) ୩୭୦ କିଲୋମିଟର ସୀମା ମଧ୍ୟରେ ମାଛଧରି ପାରିବେ । ଏହା ସହିତ ପ୍ରାଧିକରଣ ପତ୍ର ପାଇଥିବା ମତ୍ସ୍ୟଜୀବୀମାନେ (200 Nautical miles) ସୀମା ଅତିକ୍ରମ କରି ଅନ୍ତର୍ଜାତୀୟ ସମୁଦ୍ରରେ ମଧ୍ୟ ମାଛଧରି ପାରିବେ । ଏହି ପଦକ୍ଷେପ ଦ୍ଵାରା ମତ୍ସ୍ୟଜୀବୀଙ୍କ ଜୀବନ-ଜୀବିକା ଅଧିକ ସଶକ୍ତ ହେବା ସହ ସମୃଦ୍ଧ ନୀଳ ଅର୍ଥନୀତିର ନବ ଦିଗନ୍ତକୁ ଉନ୍ମୋଚନ କରିବ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ, ଓଡ଼ିଶାର ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ଏବଂ ଏମ୍ଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ, ମାନ୍ୟବର ବିଧାୟକ ଶ୍ରୀ ପ୍ରସାନ୍ତ କୁମାର ଜଗଦେବଙ୍କ ସମେତ ପ୍ରାୟ ୧,୦୦୦ ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀ, ମତ୍ସ୍ୟ ଉଦ୍ୟୋଗୀ ଅଂଶଗ୍ରହଣ କରିବେ । ସେମାନଙ୍କ ସହ ଓଡ଼ିଶା ସରକାର, ସମ୍ପୃକ୍ତ ମନ୍ତ୍ରାଳୟ ଏବଂ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।
ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଏବଂ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଡିଜିଟାଇଜେସନ୍ ଉପରେ ବ୍ୟାପକ ପଦକ୍ଷେପ ନିଆଯାଉଛି । ମତ୍ସ୍ୟଜୀବୀ, ଜାତୀୟ ସମବାୟ ରପ୍ତାନି ଲିମିଟେଡ୍, ମାଛ ଧରିବା ଜାହାଜ ମାଲିକମାନଙ୍କ ସମେତ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ମାନ୍ୟବର ଉପରାଷ୍ଟ୍ରପତି ପ୍ରାଧିକରଣ ପତ୍ର ବଣ୍ଟନ କରିବେ । ଏହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକ ସମୁଦ୍ରରେ ମାଛ ଧରିବା କାର୍ଯ୍ୟ କରିପାରିବେ । ଏହି ପଦକ୍ଷେପ ଦ୍ଵାରା ମାଛ ଚାଷୀ ଉତ୍ପାଦକ ସଂଗଠନ ଏବଂ ମତ୍ସ୍ୟ ସମବାୟ ସମିତି ଅଧିକ ସୁଦୃଢ଼ ହୋଇପାରିବ । ଗଭୀର ସମୁଦ୍ରରୁ ମାଛ ଧରିବା ଦ୍ଵାରା ମତ୍ସ୍ୟଚାଷୀମାନଙ୍କ ପାଇଁ ଅଧିକ ଆୟର ସୁଯୋଗ ସୃଷ୍ଟି ହେବ । ପ୍ରାଧିକରଣ ପତ୍ର ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନ୍ଲାଇନ୍ରେ ହେଉଥିବାରୁ ସ୍ୱଚ୍ଛତା, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ପ୍ରଦାନ ଓ ପ୍ରଶାସନିକ ପ୍ରକ୍ରିୟା ଗୁଣାତ୍ମକ ହେବ ।
“ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ” (୨୦୨୬-୨୦୩୬) ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ । ଏହା ଆନ୍ତର୍ଜାତିକ ସମୁଦ୍ର ଓ ଗଭୀର ସମୁଦ୍ରରୁ ମାଛ ଧରିବା ସହ ମତ୍ସ୍ୟ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି । ଉନ୍ନତ ମାଛଧରା ଉପକରଣ, ପରିଚାଳନା ଏବଂ ବଜାର ସଂଯୋଗ ପାଇଁ ସହଯୋଗ ଯୋଗାଇ ଦିଆଯିବ । ଏହା ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ନିଯୁକ୍ତି ସୃଷ୍ଟି, ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି କରିବା ଦିଗରେ ସହାୟକ ହେବ । ସୂଚନାଯୋଗ୍ୟ ଯେ, ଭାରତରେ ପ୍ରାୟ ୧୧,୦୯୯ କିଲୋମିଟର ସୁଦୀର୍ଘ ଉପକୂଳ ଏବଂ ପ୍ରାୟ ୨୪ ଲକ୍ଷ ବର୍ଗ କିଲୋମିଟରର ଏକ ବିଶାଳ ଅର୍ଥନୈତିକ କ୍ଷେତ୍ର ରହିଛି । ଏହି ଅଞ୍ଚଳରେ ପ୍ରାୟ ୫୮.୬ ଲକ୍ଷ ମେଟ୍ରିକ ଟନ୍ର ପର୍ଯ୍ୟାପ୍ତ ମାଛ ଅଛି, ଯାହା ପ୍ରାୟ ୫୦ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନ-ଜୀବିକାକୁ ସମୃଦ୍ଧ କରିଛି । ୨୦୨୫-୨୬ରେ ଭାରତ ପ୍ରାୟ ୭୩,୮୯୦ କୋଟି ମୂଲ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଛି । ଓଡ଼ିଶାରେ ୫୭୫ କିଲୋମିଟରର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳ ରହିଛି । ସାଧାରଣତଃ ସମୂଦ୍ର କୂଳରୁ (12 Nautical miles) ୨୩ କିଲୋମିଟର ପର୍ଯ୍ୟନ୍ତ ଭିତରେ ମାଛଧରା କାର୍ଯ୍ୟ ସୀମିତ ରହିଛି । କିନ୍ତୁ ଅସଲ ମତ୍ସ୍ୟ ସମ୍ପଦ ଗଭୀର ସମୁଦ୍ରରେ ଲୁଚି ରହିଛି । ଟୁନା (Tuna), ବିଲ୍ଫିସ୍- (Marlin, Swordfish), ସାମୁଦ୍ରିକ ସ୍କୁଇଡ୍ (Squid), ଗଭୀର ସମୁଦ୍ର ଚିଙ୍ଗୁଡ଼ି ଏବଂ ଅନ୍ୟ ପ୍ରଜାତିର ମାଛସବୁ ଆମ ହାତ ପାଆନ୍ତାକୁ ଆସି ପାରୁନି । ଏହି ପଦକ୍ଷେପ ଦ୍ଵାରା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ୫ ଲକ୍ଷ ମତ୍ସ୍ୟଜୀବୀ ବଙ୍ଗୋପସାଗର ଉପରେ ପେଟପାଟଣା ପାଇଁ ନିର୍ଭର କରନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ପ୍ରାୟ ୨.୪ ଲକ୍ଷ ମେଟ୍ରିକ ଟନ ରହିଛି ।










