ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଏହି ଅବସରରେ ତିନି ରଥର ଗୁଜ ଅନୁକୂଳ କରିଛନ୍ତି ରୂପକାର ସେବକମାନେ । ଗୁଜ ଗୁଡ଼ିକ ରଥର ରକ୍ଷା କବଚ ସଦୃଶ ହୋଇଥିବାରୁ ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି । ସେହିପରି ଚକ ନିର୍ମାଣ ପାଇଁ ବିଶ୍ୱକର୍ମା ମାନେ ଅର ଓ ପହିର ବିନ୍ଧ ଅନୁକୂଳ ପୂଜା କରିଥିବା ବେଳେ ଭୋଇ ସେବକ ମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚର୍ଚ୍ଚିକା ମନ୍ଦିର ସମ୍ମୁଖରେ ଜନ୍ତାଗାଡ ଖୋଳିଛନ୍ତି । ଏପଟେ ବାତ୍ୟା ଆଶଙ୍କା ଥିବାରୁ ରଥ ନିର୍ମାଣ କାର୍ଯ୍ୟରେ ଯେଭଳି କୌଣସି ବାଧା ନ ଉପୁଜେ ସେନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ମତ ପ୍ରକାଶ କରିଥିଲେ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି ।
ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା ମହାରଣା, ଭୋଇ, କମାର ଓ କରତିଆ ସେବକଙ୍କ ପରେ ଆଜି ରୂପକାର ସେବାୟତ ମାନେ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ । ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ହୋଇଥିବାରୁ ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଭୋଇ ସେବକ ମାନେ ୧୨ ଫୁଟିଆ କାଠ ଆଣି ରଥଖଳାରେ ରଖିବା ପରେ ବିଶ୍ୱକର୍ମା ମହାରଣା ମାନେ ବାରସି ଦ୍ୱାରା ଚଉପଟ କରି ରୂପକାର ମାନଙ୍କୁ ଜିମା ଦେଇଥିଲେ । ତେବେ ଗୁଜ ଜଳଯନ୍ତ୍ର ଓ କୁଡୁକା ଆଦି ତିଆରି ହେବା ପରେ ରୂପକାର ମାନେ ଗୁଜରେ ନୃସିଂହଙ୍କ ମୁର୍ତ୍ତି ଖୋଦେଇ ନିର୍ମାଣ ଆରମ୍ଭ କରିଥିଲେ । ନୃସିଂହ ଚତୁର୍ଦଶୀ ରେ ଶ୍ରୀ ମନ୍ଦିରରେ ବିଶେଷ ନୀତି କାନ୍ତି ଅନୁଷ୍ଠିତ ହେବା ସହ ରଥ ଖଳାରେ ମଧ୍ୟ ମହାପ୍ରଭୁଙ୍କ ରଥ କାର୍ଯ୍ୟ ର ମଧ୍ୟ କୋଣ ଗୁଜ, ଜନ୍ତା ଗାଡ ଓ ପଟା ବାଡ଼ିଆ ଆଦି ବିଶ୍ୱକର୍ମା ସେବକ ମାନେ ଶ୍ରୀ ଫଳ ଭାଙ୍ଗି ଅନୁକୂଳ କରିଛନ୍ତି ।
ଜନ୍ତା ଗାଡ ଖୋଲିବା ପାଇଁ ୪୦ ଫୁଟିଆ କାଠ ର ଆବଶ୍ୟକତା ଥାଏ । ଜନ୍ତା ଗାଡ଼ରେ ପଡି ତୁମ୍ବ ସହିତ ଅର ଖଞ୍ଜାଜାଇ ସିଙ୍ଗଡ଼ା ପ୍ରସ୍ତୁର୍ତ୍ତ ହେବ ରଥ ଖଳାରେ ବିଲେଇ ବାଡିଆ ପଦ୍ଧଥିରେ ସିଙ୍ଗଡ଼ାରେ ପହି ସଂଯୁକ୍ତ ହୋଇ ଚକ ପ୍ରସ୍ତୁତ ହେବ । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଭଉଁରୀ ଉତ୍ସବରେ ରଥର ଚକ ଓ ଅଖ ସଂଯୁକ୍ତ ହେବାର ପରମ୍ପରା ରହିଛି । ୩ ରଥର ୬ ଟି ଲେଖାଏଁ ଚକ ପାଇଁ ପହି କାଠ ରଥ ଖଳାରେ ପହଂଚିସାରିଛି । ବିଶ୍ୱକର୍ମା ମାନେ ୩ ରଥର ୪୨ ତୁମ୍ବରେ ବିନ୍ଦ ଖୋଦେଇ ସାରିଛନ୍ତି । ଅନ୍ୟପଟେ ଦୋଳବେଦି ସ୍ଥିତ ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକ ମାନେ ୪୨ଟି ତୁମ୍ବରେ ଅର ସଂଯୋଗ ପାଇଁ ଆବଶ୍ୟକ ଅରକଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଏଥିସହ ୪୨ଟି ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରି ବଳା ନିର୍ମାଣ କାମ ଜାରି ରହିଛି । ଆଜି ରଥ ନିର୍ମାଣରେ ମୋଟ ୧୩୯ ଜଣ ସେବକ ନିୟୋଜିତ ରହିଥିଲେ ।