ଭୁବନେଶ୍ୱର,(ଓଏନଏ): ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ, ଅର୍ଦ୍ଧସାମରିକ ବାହିନୀ, ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ ଅଭିବାଦନ ଗ୍ରହଣ କରନ୍ତି । ଭାରତୀୟ ସେନା ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାନ୍ତି । ଏଥିସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥାନ୍ତି ।
ଇଂରେଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡ ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭ ବଳରେ ବ୍ରିଟିଶ ବାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତ ଓ ପାକିସ୍ତାନ ବିଭକ୍ତ ହୋଇ କମନେଓଲ ନେସନରେ ସଂଯୁକ୍ତ ହେଲା । ୧୫ ଅଗଷ୍ଟ ୧୯୪୭ ଦିନଠାରୁ ମାଉଣ୍ଟ ବ୍ୟାଟେନ ପ୍ରଥମ ଗଭର୍ନର ଜେନେରାଲ ହେଲେ । ଯାହାକୁ କନଷ୍ଟିଚ୍ୟୁସନାଲ ମୋନାର୍କି କୁହାଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ ୧୯୩୫ ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ପରେ ଭାରତର ସମ୍ବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା । ଯାହାର ଚେୟାରମ୍ୟାନ ବି ଆର ଆମ୍ବେଦକର ଥିଲେ । ଏହି କମିଟି ୧୯୪୭ ୪ ନଭେମ୍ବରରେ ସମ୍ବିଧାନ ଚିଠା ବିଧାନସଭାକୁ ହସ୍ତାନ୍ତର କଲେ । ଶେଷରେ ଜାନୁଆରୀ ୨୪ ୧୯୫୦ ମସିହାରେ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ପରେ ଏହି ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ରେ ଏହା ବଳବତ୍ତର ହେଲା । ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁ ।