ମଧ୍ୟପ୍ରଦେଶ: ନିକଟରେ ଦମୋହର ସ୍କୁଲ୍ରେ ଲାଗିଥିବା ପୋଷ୍ଟର ଭାଇରାଲ ହୋଇଥିଲା । ଯେଉଁଥିରେ ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ଟପ୍ କରିଥିବା ପିଲାଙ୍କ ଫଟୋ ଲଗାଯାଇଥିଲା । ଏହି ପୋଷ୍ଟରରେ ଯେଉଁ ଛାତ୍ରୀଙ୍କ ନାଁ ଟପର୍ସ ଭାବେ ଦର୍ଶାଯାଇଥିଲା, ସେମାନଙ୍କ ମଧ୍ୟରୁ ସମସ୍ତେ ହିଜାବ ପିନ୍ଧିଥିଲେ। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ ହିନ୍ଦୁ ଥିଲେ । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ଏକ ସ୍କୁଲ୍ରେ ପୋଷ୍ଟରରେ ହିନ୍ଦୁ ଛାତ୍ରୀମାନଙ୍କ ହିଜାବ ପିନ୍ଧିବାର ଫଟୋ ସାମନାକୁ ଆସିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ଏନେଇ ବର୍ତ୍ତମାନ ସ୍କୁଲ୍ ଏକ ନିଷ୍ପତ୍ତି ନେଇଛି ଯେ, ସ୍କୁଲ୍ ଡ୍ରେସ୍ କୋର୍ଡରେ ହିଜାବ ବା ସ୍କାର୍ଫ୍ ପିନ୍ଧିବା ମନା ।
ଏଥିସହ ‘ଲବ୍ ପେ ଆତି ହେ ଦୁଆ’ ନାମକ ଗୀତଟିକୁ ଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ଛାତ୍ରୀଙ୍କ ଫଟୋକୁ ଗଙ୍ଗା-ଯମୁନା ହାଇସ୍କୁଲ୍ ଏକ ପୋଷ୍ଟରରେ ଜାରି କରିଥିଲା । ଯେଉଁଥିରେ ହିନ୍ଦୁ ଛାତ୍ରୀଙ୍କୁ ହିଜାବ ବା ସ୍କାର୍ଫ ପିନ୍ଧିଥିବାର ଦର୍ଶାଯାଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏନେଇ ଗୁରୁତ୍ୱ ଦେଇ ଗୁରୁବାର କଲେକ୍ଟରଙ୍କୁ ପୂରା ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲରେ ସକାଳ ପ୍ରାର୍ଥନାରେ କେବଳ ଜନ ଗଣ ମନ ଗୀତ ଗାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହା ପୂର୍ବରୁ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯାଞ୍ଚ କରିବାକୁ ଆଦେଶ ଦେଇଥିଲେ । କିନ୍ତୁ, ଛାତ୍ରୀମାନଙ୍କ ପରିବାର ପକ୍ଷରୁ କେହି ମାମଲା ରୁଜୁ କରିନଥିବାରୁ ସେ ପୋଲିସ ଅଧିକାରୀଙ୍କୁ ମାମଲାର ଯାଞ୍ଚ କରିବାକୁ କହିଥିଲେ ।