ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନାଗିନା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ ଓରଫ୍ ରାବଣଙ୍କ ବିରୋଧରେ ସର୍ବାଧିକ ୩୬ଟି ମାମଲା ରୁଜୁ ହୋଇଛି । ଆଇପିସିର ୧୬୭ଟି ଧାରା ବିଭିନ୍ନ ବିଭାଗ ଅଧୀନରେ ପଞ୍ଜିକୃତ ହୋଇଥିବା ବେଳେ ଏଥିମଧ୍ୟରା ୭୮ଟି ଧାରା ବେଶ୍ ଗୁରୁତର ରହିଛି । ହତ୍ୟା ଉଦ୍ୟମ, ଡକାୟତି ମାମଲା ଭଳି ଅପରାଧିକ ମାମଲା ମଧ୍ୟ ଏଥିରେ ସାମିଲ ରହିଛି । ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଜାରି ଏକ ରିପୋର୍ଟରେ ପ୍ରମାଣ ଆଧାରରେ ଏପ୍ରକାର ଦାବି କରାଯାଇଛି ।
ଏତଦ୍ବ୍ୟତୀତ ୩୬ବର୍ଷୀୟ ଚନ୍ଦ୍ରଶେଖର ଆଜାଦ୍ଙ୍କ ନିକଟରେ ବର୍ତ୍ତମାନ ସମୟରେ ୩୯ଲକ୍ଷ ୭୧ ହଜାର ୫୮୧ଟଙ୍କା ମୂଲ୍ୟର ସମ୍ପତ୍ତି ରହିଥିବା ଏଡିଆର ଦର୍ଶାଇଛି । ଏଥିମଧ୍ୟରେ ୬ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଥିବା ବେଳେ ବାକି ୩୩ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ସାମିଲ ରହିଛି । ନିଜ ପ୍ରାର୍ଥୀପତ୍ର ସହ ସେ ଦାଖଲ କରିଥିବା ନିଜ ସମ୍ପତ୍ତି ପରିମାଣ ସମ୍ବନ୍ଧିତ ସତ୍ୟପାଠ ଆଧାରରେ ଏଡିଆର୍ ଏହା ପ୍ରକାଶ କରିଛି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜାଦ୍ ନିଜ ରାଜନୈତିକ ଦଳ ସମାଜ ପାର୍ଟି ପକ୍ଷରୁ ନାଗିନା ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରକାଶ, ଆସନ୍ତା ୧୯ ତାରିଖରେ ନାଗିନା ଲୋକସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ।