ମୁମ୍ବାଇ: ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଏବଂ ସମୟ ଜମା ସହିତ କ୍ଷୁଦ୍ରସଞ୍ଚୟ ଯୋଜନାର ସୁଧହାରକୁ କେନ୍ଦ୍ର ସରକାର ବୃଦ୍ଧିକରିଛନ୍ତି । ସୁଧହାରରେ ଏହି ବୃଦ୍ଧି ଏପ୍ରିଲଊ ୧ରୁ ଲାଗୁହେଉଛି । ଜାତୀୟ ସଞ୍ଚୟ ପ୍ରମାଣପତ୍ର, ମାସିକ ଆୟ ଯୋଜନା ଏବଂ କିଷାନ ବିକାଶପତ୍ର ଉପରେ ସୁଧହାର ମଧ୍ୟ ବୃଦ୍ଧିପାଇଛି । ତଥାପି, ପିପିଏଫ୍ ଏବଂ ସେଭିଂ ଆକାଉଣ୍ଟ୍ ସ୍କିମ୍ର ସୁଧହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ୯ ମାସ ମଧ୍ୟରେ ତୃତୀୟଥର କ୍ଷୁଦ୍ରସଞ୍ଚୟ ଯୋଜନା ଉପରେ ସରକାର ସୁଧ ହାରରେ ପରିବର୍ତ୍ତନ କରିଛନ୍ତି । ଏବେ କ୍ଷୁଦ୍ରସଞ୍ଚୟ ଯୋଜନାରେ ୪%ରୁ ୮.୨% ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯିବ ।
ଏହାପୂର୍ବରୁ ଜାନୁଆରୀ ୧ରେ ସରକାର ଜାନୁଆରୀ-ମାର୍ଚ୍ଚ ତ୍ରୟମାସିକ ପାଇଁ ଏକ୍ଷେତ୍ରରେ ସୁଧହାର ବୃଦ୍ଧିକରିଥିଲେ । ପରବର୍ତ୍ତୀ ସମୟରେ ଜୁଲାଇ ୧ରେ ସୁଧହାରରେ ପୁଣି ପରିବର୍ତ୍ତନ କରାଯିବ । ବିଶେଷଜ୍ଞଙ୍କ ଅନୁଯାୟୀ, ଋଣହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସୁଧ ବୃଦ୍ଧିପାଇଁ ନିଷ୍ପତ୍ତି ନିଆଯାଇଛି । ଯେତେବେଳେ ୠଣହାର ମହଙ୍ଗା ହୁଏ, ସେତେବେଳେ ସର୍ବସାଧାରଣ ଜମା ମଧ୍ୟ ଅଧିକ ରିଟର୍ଣ୍ଣ ପାଇଥାଏ । ବ୍ୟାଙ୍କ୍ଗୁଡିକ ମଧ୍ୟ ସ୍ଥିର ଜମା ଉପରେ ସୁଧହାର କ୍ରମାଗତ ଭାବରେ ବୃଦ୍ଧିକରୁଛନ୍ତି ବୋଲି ଏଥିରୁ ଆକଳନ କରାଯାଇପାରିବ । ୨୦୨୦ରେ ସ୍ଥିର ଜମା ଉପରେ ସୁଧହାର ୪%ରେ ପହଞ୍ଚିଥିଲା । ବର୍ତ୍ତମାନ କିଛି ବ୍ୟାଙ୍କ୍ ମଧ୍ୟ ୮% ସୁଧ ଦେଉଛନ୍ତି । ପ୍ରତ୍ୟେକ ତ୍ରୟମାସରେ ସୁଧହାର ସମୀକ୍ଷା କରାଯିବାର ବ୍ୟବସ୍ଥାରହିଛି ।
କ୍ଷୁଦ୍ରସଞ୍ଚୟ ଯୋଜନାରେ ସୁଧହାର ସ୍ଥିରକରିବାର ଫର୍ମୁଲା ଶ୍ୟାମଲା ଗୋପୀନାଥ କମିଟି ପ୍ରଦାନ କରିଥିଲା । କମିଟି ସୁପାରିସ କରିଥିଲା, ଏହିପରି ଯୋଜନାଗୁଡିକର ସୁଧହାର ସମାନ ମାଚ୍ୟୁରିଟି ସରକାରୀ ବଣ୍ଡ୍ରୁ ପ୍ରାପ୍ତ ମୁନାଫାଠାରୁ ୦.୨୫-୧.୦୦% ଅଧିକ ହେବା ଆବଶ୍ୟକ । କ୍ଷୁଦ୍ରସଞ୍ଚୟ ଯୋଜନା ହେଉଛି ଭାରତରେ ଘରୋଇ ସଞ୍ଚୟର ମୁଖ୍ୟଉତ୍ସ ଏବଂ ଏଥିରେ ୧୨ଟି ଉପକରଣ ଅନ୍ତର୍ଭୁକ୍ତ ରହିଛି । ଏହି ଯୋଜନାଗୁଡିକରେ, ଜମାକାରୀମାନେ ସେମାନଙ୍କ ଟଙ୍କା ଉପରେ ସୁଧ ସୁନିଶ୍ଚିତ କରନ୍ତି ।
ସମସ୍ତ ସ୍ୱଳ୍ପସଞ୍ଚୟ ଯୋଜନାରୁ ସଂଗ୍ରହ ରାଶି ଜାତୀୟ କ୍ଷୁଦ୍ର ସଞ୍ଚୟ ପାଣ୍ଠି (ଏନ୍ଏସ୍ଏସ୍ଏଫ୍)ରେ ଜମାରହିଥାଏ । ନିଷ୍ପତ୍ତି ଅନୁଯାୟୀ, ସିନିୟର ସିଟିଜେନ୍ ସେଭିଂ ସ୍କିମ୍ରେ ପୂର୍ବରୁ ମିଳୁଥିବା ୮.୦% ସୁଧ, ଏବେ ବଢ଼ି ୮.୨% ହୋଇଛି । ସେହିଭଳି ସୁକନ୍ୟା ସମୃଦ୍ଧି ଯୋଜନାରେ ପୂର୍ବରୁଥିବା ୭.୬% ସୁଧ ବଢ଼ି ଏବେ ହୋଇଛି ୮.୦%, କିଷାନ ବିକାଶପତ୍ର ୭.୨ରୁ ୭.୫%, ନାସନାଲ୍ ସେଭିଂ ସାର୍ଟିଫିକେଟ୍ ୭.୦ରୁ ୭.୭%, ମାସିକ ରୋଜଗାର ସ୍କିମ୍ ୭.୧ରୁ ୭.୪% ଏବଂ ରେକରିଂ ଡିପୋଜିଟ୍ ୫.୮ରୁ ୬.୨%କୁ ବୃଦ୍ଧିପାଇଛି ।