17.1 C
Bhubaneswar
Saturday, January 11, 2025
Homeଓଡିଶାଦିଗହରା ହୋଇଛି ଦକ୍ଷିଣ ଓଡ଼ିଶାର ଉଚ୍ଚଶିକ୍ଷା; ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅନୁଷ୍ଠାନର ନ୍ୟାକ୍ ମାନ୍ୟତା ନାହିଁ

ଦିଗହରା ହୋଇଛି ଦକ୍ଷିଣ ଓଡ଼ିଶାର ଉଚ୍ଚଶିକ୍ଷା; ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅନୁଷ୍ଠାନର ନ୍ୟାକ୍ ମାନ୍ୟତା ନାହିଁ

ବ୍ରହ୍ମପୁର: ସଂପ୍ରତି ରାଜ୍ୟ,କେନ୍ଦ୍ର ସରକାର ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରୟାସରତ ଅଛନ୍ତି । ଯୁବ ସମାଜକୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଦକ୍ଷତା ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ତେବେ ଦୁର୍ଭାଗ୍ୟର ବିଷୟ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରତିକୁଳ ଚିତ୍ର ଦେଖିବାକୁ ମିଳିଛି । ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ଅଞ୍ଚଳ ଆଦିବାସୀ, ଦଳିତ,ପଛୁଆ ବର୍ଗମାନେ ବସବାସ କରିଥିବା ବେଳେ ଏଠାରେ ଉଚ୍ଚ ଶିକ୍ଷା ସଂପୁର୍ଣ୍ଣ ଭାବେ ଦିଗହରା ହୋଇଥିବା ଅଭିଯୋଗ ହୋଇଛି ।

କାରଣ ଆଜିକା ସ୍ଥିତିରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କ ଠାରେ ନ୍ୟାକ (ନ୍ୟାସନାଲ୍ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଟେସନ କାଉନସିଲ୍‌) ମାନ୍ୟତା ନଥିଲେ ସେଠାରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ନାହିଁ ଏବଂ ସେମାନଙ୍କ ନିଯୁକ୍ତି ପ୍ରଶ୍ନବାଚୀ ହୋଇପଡ଼ିବାର ଆଶଙ୍କା ରହିଛି । ସୂଚନାଯୋଗ୍ୟ ଯେ ୨୦୧୯ରେ ତତ୍କାଳୀନ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଥିଲେ ଯେ ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରୁ ୯୦ ପ୍ରତିଶତ ଶିକ୍ଷାନୁଷ୍ଠାନକୁ ନ୍ୟାକ ମାନ୍ୟତା ମିଳିବା ନେଇ ପଦକ୍ଷେପ ନିଆଯିବ । ଏହି ଘୋଷଣାକୁ ୪ ବର୍ଷ ବିତିଯାଇଛି । ମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇନଥିବା ପରିସ୍ଥିତି ସ୍ପଷ୍ଟ ଭାବେ ଦେଖାଯାଇଛିି ।

ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଳା ଗଞ୍ଜାମ, ଗଜପତି, କନ୍ଧମାଳରେ ମୋଟ ୧୨୩ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରୁ ହାତଗଣତିରେ କେତୋଟି ଅନୁଷ୍ଠାନକୁ ବାଦ ଦେଲେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ମାନଙ୍କୁ ନ୍ୟାକ୍ ମାନ୍ୟତା ମିଳିନାହିଁ । ପ୍ରକାଶଯୋଗ୍ୟ ଯେ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ନ୍ୟାକ ମାନ୍ୟତା କାହିିଁକି ଜରୁରୀ । ଏହି ମାନ୍ୟତା ଜରିଆରେ ଶିକ୍ଷାନୁଷ୍ଠାନର ଭିତ୍ତିଭୁମି, ମାନବସମ୍ବଳ, ନିଯୁକ୍ତି ପ୍ରୟାସ ଆଦି ବିଷୟ ପ୍ରମାଣିତ ହୋଇଥାଏ । ଫଳରେ ନିଯୁକ୍ତି ଦେଉଥିବା ଅନୁଷ୍ଠାନମାନେ ନ୍ୟାକ୍ ମାନ୍ୟତା ପାଇଥିବା ଅନୁଷ୍ଠାନ ମାନଙ୍କୁ ଗୁରୁତ୍ୱ ଦିଅନ୍ତି । ନ୍ୟାକ୍ ମାନ୍ୟତା ପାଇଁ ଅନୁଷ୍ଠାନମାନେ ଏକ ରିପୋର୍ଟ ପ୍ରସ୍ତୁତ କରି ନ୍ୟାକ ସେଲ୍ କର୍ତ୍ତୃପକ୍ଷଙ୍କୁ ପଠାନ୍ତି ।

ସଂପୃକ୍ତ ରିପୋର୍ଟ ସେ ସନ୍ତୁଷ୍ଟ ହେଲେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍‌ମାନେ ଅନୁଷ୍ଠାନକୁ ପରିଦର୍ଶନ କରି ଭିତ୍ତିଭୁମି, ମାନବସମ୍ବଳ, ଯୋଗାଯୋଗ, ଇଣ୍ଟରନାଲ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଆଦି ଅନେକ ବିଷୟକୁ ଅନୁଧ୍ୟାନ କରିବା ପରେ ଯୋଗ୍ୟତା ଅନୁଯାୟୀ ଏ ପ୍ଳସ,ଏ, ବି,ସି ଆଦି ଗ୍ରେଡ ପ୍ରଦାନ କରିଥାନ୍ତି । ଏହି ଗ୍ରେଡ ଅନୁଯାୟୀ ସଂପୃକ୍ତ ଅନୁଷ୍ଠାନର ମହତ୍ତ୍ୱ ପ୍ରକାଶିତ ହୋଇଥାଏ । ଫଳରେ ଅନୁଷ୍ଠାନର ଦକ୍ଷତା ପ୍ରମାଣିତ ହୋଇଥାଏ । ଏହାର ସକାରାତ୍ମକ ପ୍ରଭାବ ଏଠାରୁ ପାସ ଆଉଟ ହୋଇଥିବା ବିଦ୍ୟାର୍ଥୀଙ୍କ ନିଯୁକ୍ତି ଉପରେ ପଡ଼ିଥାଏ । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଓଡ଼ିଶାର ଅନେକ ଅନୁଷ୍ଠାନର ଶୋଚନୀୟ ଅବସ୍ଥାରେ ରହିଛି । ଏଭଳିକି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତିନିଧିତ୍ୱ କରୁଥିବା ଜିଲ୍ଳା ଗଞ୍ଜାମର ବ୍ରହ୍ମପୁର ସହରରେ ରହିଥିôବା ଅତି ପୁରାତନ ମହାବିଦ୍ୟାଳୟ ଖଲ୍ଳିକୋଟ ମହାବିଦ୍ୟାଳୟର ମାନ୍ୟତା ବହୁ ବର୍ଷ ପୂର୍ବେ ସରିଛି । ଏହାର ନବୀକରଣ ହୋଇନି ।

ସେହିଭଳି ଅନ୍ୟ ଏକ ପୁରାତନ ମହିଳା ଶିକ୍ଷାନୁଷ୍ଠ।।ନ ଭାବେ ବିବେଚିତ ଶଶୀଭୁଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟର ଅନୁରୁପ ସ୍ଥିତି ରହିଛି । ସବୁଠୁ ବଡ଼ ବିଡ଼ମ୍ବନା ହେଲା ନିକଟ ଅତୀତରେ ଏହି ଅନୁଷ୍ଠାନ ମାନଙ୍କୁ ଦିଗଦର୍ଶନ ଦେଉଥିବା ଦକ୍ଷିଣ ଓଡ଼ିଶାର ସର୍ବୋଚ୍ଚ ଶିକ୍ଷାନୁ୍‌ଷ୍ଠାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନ୍ୟାକ ମାନ୍ୟତା ଉପରକୁ ଯିବା ପରିବର୍ତ୍ତେ ତଳକୁ ଖସିଛି । ପ୍ରକାଶ ଯୋଗ୍ୟ ଯେ ଗତ ଦେଢ଼ ବର୍ଷ ପୂର୍ବେ ସରକାର ବ୍ରହ୍ମପୁର ଠାରେ ଖଲ୍ଳିକୋଟ ଏକକ ବିଶ୍ୱ ବିଦ୍ୟାଳୟର ସ୍ଥାପନା କରିଛନ୍ତି । ଦୁର୍ଭାଗ୍ୟ ଜନକ ବିଷୟ ଏଯାବତ୍ ଏହାକୁ ୟୁଜିସି ମାନ୍ୟତା ପ୍ରାପ୍ତ ହୋଇନାହିଁ । ଏହାକୁ ନେଇ ଶିକ୍ଷାବିତ୍‌, ଅଭିଭାବକ ମହଲରେ ଅସନ୍ତୋଷ ବଢ଼ୁଛି ।

ଏଠାରେ ଅଧ୍ୟୟନ ରତ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ନ ଠେଲି ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସ୍ଥିତି ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଳାର ହାତଗଣତିର ଅନୁଷ୍ଠାନ ମାନଙ୍କ ଠରେ ନ୍ୟାକ ମାନ୍ୟତା ରହିଛି । ସେଗୁଡିକ ହେଲା ଗୋପାଳପୁର ଡିଗ୍ରୀ କଲେଜ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର, ଖେମୁଣ୍ଡି ଡିଗ୍ରୀ କଲେଜ ଆଦି ଅନୁଷ୍ଠାନ । ଏହାଛଡା ଗଜପତି ଜିଲ୍ଳାର କେବଳ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଚଳିତ ବର୍ଷ ନ୍ୟାକ ମାନ୍ୟତା ପାଇଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଳାର ବାଲିଗୁଡ଼ାସ୍ଥିତ ଆଦିବାସୀ ଡିଗ୍ରୀ କଲେଜ ଏବଂ ଜି.ଉଦୟଗିରି ସ୍ଥିତ କଳିଙ୍ଗା ଡିଗ୍ରୀ ମହାବିଦ୍ୟାଳୟ ଗତ ୨୦୦୭ରେ ନ୍ୟାକ ମାନ୍ୟତା ପାଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ମାନ୍ୟତା ପ୍ରୟାସ ସଂପର୍କରେ ସୂଚନା ନାହିଁ । ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ପ୍ରଭାବିତ କରି ପାରୁଥିବା ଶିକ୍ଷାନୁଷ୍ଠାନ ମାନଙ୍କ ପ୍ରତି ସରକାରଙ୍କ ନିୟମିତ ଅନୁଧ୍ୟାନର ଅଭାବ ସହ ଚରମ ଅବହେଳା ଯୋଗୁଁ ଦକ୍ଷିଣ ଓଡ଼ିଶାର ମୋଟ ୧୨୩ଟି ଶିକ୍ଷାନୁଷ୍ଠାନ ଆଜି କା ସ୍ଥିତିରେ ଦୁର୍ଦିନ ଦେଇ ଗତି କରୁଛି । ପୁଣି ଥରେ ଆଗାମୀ ଦିନରେ ନିର୍ବାଚନ ହେବ ପୁଣିଥରେ ପ୍ରତିଶ୍ରୁତି ମିଳିବ କିନ୍ତୁ ଉଚ୍ଚ ଶିକ୍ଷା ଚିତ୍ର ବଦଳିବା ପରିପ୍ରେକ୍ଷୀରେ ବିଭାଗର ତତ୍ପରତା ପ୍ରକାଶ ପାଇବ କି ନାହିଁ ତାହା ପ୍ରଶ୍ନବାଚୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking