29.1 C
Bhubaneswar
Tuesday, February 10, 2026
Homeଓଡିଶାଆମ ଶିମିଳିପାଳ ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଉପରେ ଉଚ୍ଚସ୍ତରୀୟ ବୈଠକ

ଆମ ଶିମିଳିପାଳ ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଉପରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆମ ଶିମିଳିପାଳ ଯୋଜନା ପାଇଁ ଚଳିତ ୨୦୨୫ ବଜେଟ୍‌ରେ ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଉପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଆହୂତ ହୋଇଥିଲା ।

ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଯେ ଶିମିଳିପାଳ ଆମ ରାଜ୍ୟର ଗର୍ବ ଓ ଗୌରବ । କେବଳ ଆମ ରାଜ୍ୟ କାହିଁକି, ସମଗ୍ର ଭାରତରେ ଏହାର ଅନନ୍ୟ ଜୈବବିବିଧତା ସୁନାମ ଆଣି ଦେଇଛି । ଶିମିଳିପାଳରେ ବାଘ ଏବଂ ହାତୀ ସମେତ ବିଭିନ୍ନ ପ୍ରକାରର ବନ୍ୟପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ଉଭୟଚର ପ୍ରାଣୀ ଏବଂ ୬୨ ପ୍ରଜାତିର ସରୀସୃପ, ୧୦୭୬ ଫୁଲ ପ୍ରଜାତି ଏବଂ ୯୬ ପ୍ରଜାତିର ଅର୍କିଡ୍ ଥିବାବେଳେ ଅର୍ଦ୍ଧ-ଚିରହରିତ ଜଙ୍ଗଲ, ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲ, ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲ, ଉଚ୍ଚକୋଟୀର ଶାଳ ଜଙ୍ଗଲ ଏବଂ ବିସ୍ତୃତ ସବୁଜିମା ରହିଛି । ତେବେ ଏହି ଅଞ୍ଚଳ ଜଙ୍ଗଲ କ୍ଷୟ, ବିସ୍ଥାପନ ଏବଂ ସ୍ଥାନୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉପଲବ୍ଧତାର ଅଭାବ ଆଦି ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛି । ଏହାକୁ ହୃଦୟଙ୍ଗମ କରି ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିମିଳିପାଳ ଅଞ୍ଚଳର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରିଥିବାରୁ ମୁଁ ତାଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତି ରହିଛି। ପ୍ରସ୍ତାବିତ ବାର୍ଷିକ ବଜେଟ୍ ଅନୁଯାୟୀ ପାଣ୍ଠିର ପ୍ରବାହ ନିୟମିତ ରହିବ ଓ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସଂସ୍ଥାଗତ ସହାୟତା ବ୍ୟବସ୍ଥା କରାଯାଉଛି । ଶିମିଳିପାଳକୁ ଖୁବ୍‌ଶୀଘ୍ର ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ପ୍ରକାଶ କରିଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବୈଠକରେ ଉପସ୍ଥିତ ରହି କହିଲେ ଯେ ଆମ ଶିମିଳିପାଳ ଯୋଜନାରେ ଜନଜାତି ସମ୍ପ୍ରଦାୟଗୁଡିକର ଆର୍ଥିକ ଉନ୍ନତି ନିମନ୍ତେ ପ୍ରତିଷ୍ଠାନ ନିର୍ମାଣ, ପ୍ରାକୃତିକ ସମ୍ପଦ ଏବଂ ଜୈବ ବିବିଧତାର ସୁପରିଚାଳନା, ବନ୍ୟଜନ୍ତୁ ବାସସ୍ଥାନ ଉନ୍ନତି ଏବଂ ପରିଚାଳନା, ମଣିଷ ପ୍ରାଣୀ ସଂଘର୍ଷ ପାଇଁ ପ୍ରଶମନ ପଦକ୍ଷେପ, ପରିବେଶ ସଂରକ୍ଷଣ ପଦକ୍ଷେପ, ସମ୍ପ୍ରଦାୟ ଭିତ୍ତିକ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହନ, ଫାର୍ମ ବନୀକରଣ ପଦକ୍ଷେପ, ଜୀବିକାକୁ ଉନ୍ନତ କରିବା ପାଇଁ ପ୍ରୟାସ ଏବଂ ସାମାଜିକ-ସାଂସ୍କୃତିକ ଜୀବନରେ ସମୁନ୍ନତି, ଦକ୍ଷତା ବୃଦ୍ଧି ପ୍ରଚେଷ୍ଟା , ସର୍କଲ ସ୍ତରୀୟ ସେଲ୍, ଡିଏମୟୁ ଏବଂ ଏଫଏମୟୁ ଗଠନ ଓ ପ୍ରକଳ୍ପ କର୍ମଚାରୀଙ୍କୁ ତାଲିମ, ସର୍ଭେ ଏବଂ ସୀମା ନିର୍ଦ୍ଧାରଣ, ବନ ସୁରକ୍ଷା ସମିତି ଓ ପରିବେଶ ଉନ୍ନୟନ କମିଟି ଗଠନ, ଗ୍ରାମସ୍ତରୀୟ ଅଣୁଯୋଜନା ପ୍ରସ୍ତୁତି, ଲାଇନ ବିଭାଗ ଗୁଡିକର ବିଭିନ୍ନ ଜୀବିକା ଯୋଜନା ପାଇଁ ହିତାଧିକାରୀଙ୍କ ଚିହ୍ନଟ ଏବଂ ଚୟନ, ବନ ସୁରକ୍ଷା ସମିତି ଓ ପରିବେଶ ଉନ୍ନୟନ କମିଟି ପାଇଁ ପ୍ରତ୍ୟେକ ଗ୍ରାମରେ ସ୍ଥାନ ଚିହ୍ନଟ ଓ ସେଠାରେ ଘର ନିର୍ମାଣ ଉପରେ ଗୁରୁତ୍ଵାରୋପ କରାଯିବ । ପ୍ରାକୃତିକ ସମ୍ପଦ ଏବଂ ଜୈବ ବିବିଧତା ପରିଚାଳନା କ୍ଷେତ୍ରରେ ବନାଗ୍ନି ନିୟନ୍ତ୍ରଣ ଏବଂ ପରିଚାଳନା, ଜଳ ନିଷ୍କାସନ ସହିତ ମାଟିର ଆର୍ଦ୍ରତା ରକ୍ଷା ପଦକ୍ଷେପ, କ୍ଷତିକାରକ ଘାସ ଓ ଦଳ ଅପସାରଣ, ପଥପାର୍ଶ୍ଵ ବନୀକରଣ, ଔଷଧୀୟ ଉଦ୍ଭିଦ ନର୍ସରୀ ଏବଂ ଉଦ୍ୟାନ, ଜଙ୍ଗଲ ସୀମା ସୁରକ୍ଷା ଓ ଜଙ୍ଗଲ ରାସ୍ତା ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନିଆଯିବ । ବଣ୍ୟପ୍ରାଣୀଙ୍କ ବାସସ୍ଥାନ ଉନ୍ନତି ଏବଂ ପରିଚାଳନା ନିମିତ୍ତ ପ୍ରାଣୀମାନଙ୍କ ପିଇବା ଓ କ୍ରୀଡା ପାଇଁ ଜଳାଶୟ ନିର୍ମାଣ ଓ ରକ୍ଷଣାବେକ୍ଷଣ, ତୃଣଭୋଜୀ ପ୍ରାଣୀମାନଙ୍କ ପାଇଁ ଚାରା ଉଦ୍ୟାନ ଏବଂ ଘାସ ଭୂମି, ଆଶୁ ଚେତାବନୀ ବ୍ୟବସ୍ଥା କରାଯିବ । ମାନବ ପ୍ରାଣୀ ସଂଘର୍ଷ ହ୍ରାସ ଏବଂ ପରିବେଶ ସଂରକ୍ଷଣ ପାଇଁ ବନ୍ୟ ପ୍ରାଣୀ ତଡିବା ଉପକରଣ, ସୌରଚାଳିତ ବାଡ଼, ପରିବେଶ ଉନ୍ନୟନ କମିଟି କୋଠାରେ ସୌର ଆଲୋକ ପୋଷ୍ଟ ଏବଂ ସୌର ଆଲୋକ ବ୍ୟବସ୍ଥା, ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ, ସଲ୍ଟ ଲିକ ପ୍ରତିଷ୍ଠା ଏବଂ ରକ୍ଷଣାବେକ୍ଷଣ, ହାତୀ ପ୍ରତିରୋଧୀ ଖାତ ଖନନ ଓ ବିକଳ୍ପ ରୋଷେଇ ଇନ୍ଧନକୁ ପ୍ରୋତ୍ସାହନ ଦିଆଯିବ । କୃଷି ବନୀକରଣ ପଦକ୍ଷେପ ଦିଗରେ କୃଷି ବନୀକରଣ ବୃକ୍ଷରୋପଣ, କୃଷି ବନୀକରଣ କ୍ଷେତ୍ରର ବାଡ଼ ତିଆରି, କୃଷି ବନୀକରଣକୁ ପ୍ରୋତ୍ସାହନ ମିଳିବ । ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରକଳ୍ପ କର୍ମଚାରୀ, ପ୍ରତିଷ୍ଠାନ ନିର୍ମାଣ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନ, କ୍ଷୁଦ୍ର ଯୋଜନା, ଜଙ୍ଗଲ ଏବଂ ଜଳ ପରିବହନ ପରିଚାଳନା, ଜଙ୍ଗଲ ଅଗ୍ନି ପରିଚାଳନା, ଜୈବ ବିବିଧତା ସଂରକ୍ଷଣ ଏବଂ ପରିଚାଳନା, ଯୁବକମାନଙ୍କ ପାଇଁ ବୃତ୍ତିଗତ ତାଲିମ ଓ ପ୍ରାଥମିକ ହିତାଧିକାରୀଙ୍କ ପାଇଁ କ୍ଲଷ୍ଟର ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

ବୈଠକରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (OFSDP) ଦ୍ୱିତୀୟ ପର୍ଯ୍ୟାୟ ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ବଜେଟରେ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ କୋଟି ଟଙ୍କାର ଆନୁପାତିକ ବ୍ୟୟବରାଦ କରିଛନ୍ତି । ପ୍ରସ୍ତାବିତ ପ୍ରକଳ୍ପ ସମ୍ବନ୍ଧରେ ଆଲୋକପାତ କରି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଶ୍ରୀମତୀ ମିତା ବିଶ୍ଵାଳ କହିଲେ ଯେ ଏହା ଏକ ବ୍ୟାପକ ପ୍ରକଳ୍ପ ହେବ ଯାହା ବନୀକରଣ, ଜୈବ-ବିବିଧତା ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ, ଜୀବିକା ପ୍ରୋତ୍ସାହନ ଏବଂ ଆନୁଷ୍ଠାନିକ ବିକାଶ ପଦକ୍ଷେପଗୁଡ଼ିକୁ ସମନ୍ୱିତ କରିବ ଓ ଓଡ଼ିଶାରେ ଜଙ୍ଗଲ ନିକଟରେ ବାସ କରୁଥିବା ସମ୍ପ୍ରଦାୟଗୁଡ଼ିକର ସାମଗ୍ରିକ ବିକାଶ ସାଧିତ ହେବ । ସମ୍ପ୍ରଦାୟଭିତ୍ତିକ ସ୍ଥାୟୀ ଜଙ୍ଗଲ ପରିଚାଳନା ଅଭ୍ୟାସର ପ୍ରୋତ୍ସାହନ, ଜଙ୍ଗଲ ନିକଟରେ ବାସ କରୁଥିବା ସମ୍ପ୍ରଦାୟ ମଧ୍ୟରେ ବିକଳ୍ପ ଜୀବିକାର ପ୍ରୋତ୍ସାହନ, ସମ୍ପ୍ରଦାୟଭିତ୍ତିକ ଅନୁଷ୍ଠାନ (VSS ଏବଂ SHG) ର ସୁଦୃଢ଼ୀକରଣ ଉପରେ ଏହି ପ୍ରକଳ୍ପରେ ଧ୍ୟାନ ଦିଆଯିବ । ଜୈବ-ବିବିଧତା ସଂରକ୍ଷଣରେ ଗୋଷ୍ଠୀ ଅଂଶଗ୍ରହଣ, ଜୀବିକା ସୁରକ୍ଷା ପ୍ରଦାନ ମାଧ୍ୟମରେ ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକର ଆର୍ଥିକ ସ୍ଥିରତା, ଜଳ ଉପରେ ନିର୍ଭରଶୀଳ ସମ୍ପ୍ରଦାୟଗୁଡ଼ିକର କ୍ଷମତା ବୃଦ୍ଧି, ପରିବେଶ ସଂରକ୍ଷଣ ଅଭ୍ୟାସରେ ଗୋଷ୍ଠୀ ଜ୍ଞାନର ଡକ୍ୟୁମେଣ୍ଟେସନ୍, ସମ୍ପ୍ରଦାୟ ନେତୃତ୍ୱାଧୀନ ପ୍ରାକୃତିକ ସମ୍ପଦ ସୁରକ୍ଷା ଏବଂ ସଂରକ୍ଷଣ ରଣନୀତି, ମିଳିତ ଏବଂ ଅଂଶଗ୍ରହଣମୂଳକ ପଦ୍ଧତି ମାଧ୍ୟମରେ ଜଙ୍ଗଲ ସମ୍ପଦ ବ୍ୟବାହାରକାରୀ ଏବଂ ପ୍ରଶାସକଙ୍କ ମଧ୍ୟରେ ସମନ୍ୱୟ, ବୃଦ୍ଧି ପାଇଁ ସ୍ଥାୟୀ ଜଙ୍ଗଲ ପରିଚାଳନାର ସହଯୋଗୀ ମଡେଲ, ପରିବେଶଗତ ସ୍ୱାସ୍ଥ୍ୟ, ସମ୍ପ୍ରଦାୟର ସମୃଦ୍ଧି ଏବଂ ରାଜ୍ୟର ପରିବେଶ କ୍ଷେତ୍ରରେ କଲ୍ୟାଣ ସାଧିତ ହୋଇପାରିବ । ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ ସ୍ଥାୟୀ ଜଙ୍ଗଲ ପରିଚାଳନା ଓ ଲାଇନ ବିଭାଗର ଯୋଜନାଗୁଡ଼ିକର ସମନ୍ୱୟ ମାଧ୍ୟମରେ ଜୀବିକା ପ୍ରୋତ୍ସାହନ ପ୍ରସ୍ତାବିତ ପ୍ରକଳ୍ପର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ।

ଆମ ରାଜ୍ୟରେ ସମୁଦାୟ ୧୬,୧୬୯ ଟି ବନ ସୁରକ୍ଷା ସମିତି ରହିଛି । ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (OFSDP) ପ୍ରଥମ ପର୍ଯ୍ୟାୟ ଅଧୀନରେ ଅନ୍ତର୍ଭୁକ୍ତ ୨୪୨୬ଟି ବନ ସୁରକ୍ଷା ସମିତି, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (OFSDP) ଦ୍ଵିତୀୟ ପର୍ଯ୍ୟାୟ ଅଧୀନରେ ଅନ୍ତର୍ଭୁକ୍ତ ୧୨୨୦ଟି ବନ ସୁରକ୍ଷା ସମିତି, ଆମ ଜଙ୍ଗଲ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ୪୬୦୧ ଟି ବନ ସୁରକ୍ଷା ସମିତି- ଏହିପରି ୮୨୪୭ଟି ବନ ସୁରକ୍ଷା ସମିତି (୬୧ ଟି ପରିବେଶ ଉନ୍ନୟନ କମିଟି ସମେତ ) ଏପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇଛନ୍ତି । ପ୍ରକଳ୍ପ ଅଧୀନରେ ଏପର୍ଯ୍ୟନ୍ତ ୭୯୮୩ ଟି ବନ ସୁରକ୍ଷା ସମିତି ଅନ୍ତର୍ଭୁକ୍ତ ହୋଇ ନାହାନ୍ତି । ଏହି ନୂତନ ପ୍ରକଳ୍ପ ଅଧୀନରେ ୩୨ ଟି ଆଞ୍ଚଳିକ ବନ ଡିଭିଜନରେ ପ୍ରାୟ ୩୬୦୦ ଟି ବନ ସୁରକ୍ଷା ସମିତି ଅନ୍ତର୍ଭୁକ୍ତ ହେବାର ପ୍ରସ୍ତାବ ରହିଛି ବୋଲି ପ୍ରକଳ୍ପର ନିର୍ଦ୍ଦେଶକ ଶ୍ରୀମତୀ ମିତା ବିଶ୍ଵାଳ ପ୍ରକାଶ କରିଥିଲେ ।

ଏହି ସମୀକ୍ଷା ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ଥ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶ୍ରୀ ପ୍ରେମ କୁମାର ଝା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଶ୍ରୀମତୀ ମିତା ବିଶ୍ଵାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଶ୍ରୀମତୀ ଉମା ନଂଦୂରୀ, ଅତିରିକ୍ତ ସଚିବ ଶ୍ରୀ ଦେବେନ ପ୍ରଧାନ, ଯୁଗ୍ମ ସଚିବ ଶ୍ରୀ ଧରମ ହାଂସଦା, ଅତିରିକ୍ତ ସଚିବ ଉଷାରାଣୀ ଦାସ, ଯୁଗ୍ମ ସଚିବ ଶ୍ରୀ ଦୀନକୃଷ୍ଣ କର ଓ ବିଭାଗୀୟ ଅନ୍ୟ ସମସ୍ତ ଉଚ୍ଚାଧିକାରୀମାନେ ଉପସ୍ଥିତ ରହି ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ବହୁ ତଥ୍ୟ ଯୋଗାଇ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking